ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ହେବ ତାତି । ଡହ ଡହ ଖରା ଲୋକଙ୍କୁ କଲବଲ କରିବ । ତତଲା କଡେଇରେ ଭାଜି ହେବେ ରାଜ୍ୟବାସୀ । ଆଉ ୪ ଦିନ ପରେ ରାଜ୍ୟରେ ବୃଦ୍ଧି ହେବ ତାପମାତ୍ରା । ୨ରୁ ୩ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ଦିନ ହେବ ରାଜ୍ୟରେ ବର୍ଷା ଯୋଗୁଁ ତାତି କମ ରହିଥିଲା । ଏବେ ବର୍ଷାର ସତର୍କତା ହଟିବା ପରେ ସ୍ୱାଭାବିକ ହୋଇଛି ପାଗ । ଆଗକୁ ବଢିବ ପାରଦ । ବୃଦ୍ଧି ହେବ ତାପମାତ୍ରା । ପୁଣି ଅନୁଭବ ହେବ ଅସମ୍ଭାଳ ତାତି । ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ୪ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ବୁଧବାର ଜାଗରରେ ପାଗ ସ୍ୱାଭାବିକ ରହିବା ନେଇ ଆକଳନ କରାଯାଇଛି ।
ସେହିପରି ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଥିଲା । ମୟୂରଭଞ୍ଜର କପ୍ତିପଦାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡା, ଭଦ୍ରକରେ ବି ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ”ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର କପ୍ତିପଦାରେ ସର୍ବାଧିକ ୪୮.୦ ମିମି ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡା, ଭଦ୍ରକରେ ବି ବର୍ଷା ହୋଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ । ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ୪ ଦିନ ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ । ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡି ଠାରେ ୩୬ ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀର ଓ ମାଲକାନଗିରିରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଜାଗରରେ ପାଗରେ କୌଣସି ପରିବର୍ତ୍ତନ ହେବନି ।










