ଭୁବନେଶ୍ୱର: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ପଙ୍କଜ ଲୋଚନ ମହାନ୍ତି । ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ । ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟ ନେଇ ମତ ରଖିଲେ ନୂଆ ସଭାପତି ପଙ୍କଜ । ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି ବୋଲି କହିଛନ୍ତି । ତେବେ ଅଚାନକ୍ ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେଇଥିଲେ । ପ୍ରାୟ ୨ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ପଦ ଛାଡିଥିଲେ ବବି । ନିୟମ ଅନୁସାରେ ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବାର ଥିଲା । ଏହାପରେ କାମଚଳା ସଭାପତି ଭାବରେ ଓସିଏ ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଦ୍ବାୟିତ୍ବ ତୁଲାଇଥିଲେ। ୨୦୨୨ ଅକ୍ଟୋବର ୨୮ରେ ଓସିଏ ସଭାପତି ଭାବରେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଏହା ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଙ୍କଜ ଲୋଚନ ମହାନ୍ତି ଓସିଏର ସଭାପତି ଥିଲେ। ସେତେବେଳେ ଶାସକ ବିଜେଡ଼ି ଓସିଏକୁ ନିଜ ଅକ୍ତିଆରରେ ରଖିବା ପାଇଁ ଚାହିଁବାରୁ ୨୦୨୨ ଓସିଏ ନିର୍ବାଚନରେ ପ୍ରଣବ ବିନା ପ୍ରତିଦ୍ବନ୍ଦ୍ବିତାରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବରେ ସେ ଏହି ଦାୟିତ୍ବ ନେଇଥିବା ସେତେବେଳେ ଓସିଏ ପକ୍ଷରୁ କୁହାଯାଇଥିଲା। ବିଜେଡ଼ି ସରକାରର ପତନ ପରେ ପ୍ରଣବ ପ୍ରକାଶଙ୍କ ପତିଆରା କମିଯାଇଥିଲା। ଗତ ୨ ବର୍ଷ ଭିତରେ ପ୍ରଣବ ଓସିଏରେ ୨/୩ଟି ବୈଠକରେ ଯୋଗ ଦେଇଥିବା ବେଳେ ପ୍ରାୟ କୌଣସି ବୈଠକୁକୁ ଆସୁନଥିବା ଓସିଏର ଜଣେ କର୍ମକର୍ତ୍ତା କହିଥିଲେ। ବିଜେପି କ୍ଷମତାକୁ ଆସିବା ପରେ ପ୍ରଣବ ପ୍ରକାଶ ଦାସଙ୍କୁ ବାଦ୍ ଦେଇ ଓସିଏର କେତେ ଜଣ କର୍ମକର୍ତ୍ତା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ। ଏପରକି ଓସିଏ ଓ ବାରବାଟୀ ଷ୍ଟାଡ଼ିୟମର ଉନ୍ନତି ପାଇଁ ଆଲୋଚନା କରିଥିବା ନେଇ ଚର୍ଚ୍ଚା ହେଉଛି। ବିଜେଡ଼ି ସରକାର ଥିବା ବେଳେ ଓସିଏର କର୍ମକର୍ତ୍ତା ବିଶେଷ କରି ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ବିଜେଡ଼ି ନେତାଙ୍କ ଉତ୍ତମ ସମ୍ପର୍କ ରକ୍ଷା କରୁଥିଲେ। ଏପରିକି କଟକ ସହରରେ ନିର୍ବାଚନ ବେଳେ ଆଶୀର୍ବାଦ ବେହେରା ବିଜେଡ଼ିକୁ ସର୍ମଥନ କରନ୍ତି ବୋଲି ଚର୍ଚ୍ଚା ହୁଏ। ଗତ ବିଧାନସଭା ନିର୍ବାଚନ ବେଳେ ବାରବାଟୀ-କଟକ ଆସନରୁ ବିଜେଡ଼ିରୁ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ସେତେବେଳେ ଉଭୟ ଆଶୀର୍ବାଦ ବେହେରା ଓ ତାଙ୍କ ପୁଅ ସଞ୍ଜୟ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ବାରବାଟୀ-କଟକରୁ ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡ଼ି।










