29.1 C
Bhubaneswar
Monday, April 27, 2026
Homeଓଡିଶାକରୋନା ମହାମାରୀ ସମୟରେ ନର୍ସମାନଙ୍କ ତ୍ୟାଗ ଅଭୂତପୂର୍ବ: ସୋଆ ଉପସଭାପତି

କରୋନା ମହାମାରୀ ସମୟରେ ନର୍ସମାନଙ୍କ ତ୍ୟାଗ ଅଭୂତପୂର୍ବ: ସୋଆ ଉପସଭାପତି

ଭୁବନେଶ୍ୱର:  ହସ୍ପିଟାଲ୍‌ରେ ରୋଗୀଟିଏ ନର୍ସମାନଙ୍କର ଚିକିତ୍ସା ଓ ସେବା ଦ୍ୱାରା ହିଁ ସୁସ୍ଥତା ପାଇଥାଏ । କରୋନା ମହାମାରୀ ସମୟରେ ସେମାନଙ୍କର ତ୍ୟାଗ ସମ୍ପୂର୍ଣ୍ଣ ସମାଜ ଉପଲବ୍ଧି କରିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ଚଳିତ ଶିକ୍ଷା ବର୍ଷର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍ ଛାତ୍ରଛାତ୍ରୀମାନଙ୍କର ଶପଥ ଗ୍ରହଣ ଏବଂ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ନର୍ସିଂ ବୃତିରେ ଅଧ୍ୟୟନ ପାଇଁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଜୀବନରେ ଏକ ନୂଆ ଅନୁଭୂତି ଆଣିଦେବ ।

କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କଲେଜ ପକ୍ଷରୁ ଆୟୋଜିତ ପର୍ସନାଲିଟି ପ୍ରତିଯୋଗିତାର ମହିଳା ବିଭାଗରେ କଲେଜର ଦୁଇ ଜଣ ଆନ୍ତର୍ଜାତୀୟ ଛାତ୍ରୀ ବିଏସ୍‌ସି ନର୍ସିଂ ପ୍ରଥମରେ ଅଧ୍ୟୟନ କରୁଥିବା ଲିଲେ ଥାଣ୍ଡୋଲଉଥୁସିବୋଣ୍ଡଜା ‘ମିସ୍ ଏସ୍‌ଏନ୍‌ସି’ ଆଖ୍ୟା ହାସଲ କରିଥିବା ବେଳେ ବିଏସ୍‌ସି ନର୍ସିଂର ପ୍ରଥମ ବର୍ଷର ଆଉ ଜଣେ ବିଦେଶୀ ଛାତ୍ରୀ ଫେଥ ଲିକାନ୍‌ଡୋମୁନିଉ ଦ୍ୱିତୀୟ ରନର ଅପ୍ ଆଖ୍ୟା ହାସଲ କରିଛନ୍ତି । ଥାଣ୍ଡୋଲଉଥୁସିବୋଣ୍ଡଜା ଆଫ୍ରିକାର ସ୍ୱାଜିଲ୍ୟାଣ୍ଡ ଦେଶରୁ ଆସିଥିବା ବେଳେ ଲିକାନ୍‌ଡୋମୁନିଉ ଜାମ୍ବିଆର ନାଗରିକ । ସେହିପରି ବିଏସ୍‌ସି ନର୍ସିଂ ଚତୁର୍ଥ ବର୍ଷର ଛାତ୍ରୀ ସୁଶ୍ରୀ ଦେବସ୍ମିତା ଦାସ ପ୍ରଥମ ରନର ଅପ୍ ଆଖ୍ୟା ହାସଲ କରିଛନ୍ତି । ସେମାନଙ୍କୁ ପୁରସ୍କୃତ କରିବା ଅବସରରେ ଶ୍ରୀମତି ଦାସ ନିଜର ଖୁସି ବ୍ୟକ୍ତ କରିଥିଲେ । ବିଦେଶରୁ ଆସି ସୋଆରେ ଅଧ୍ୟୟନ କରୁଥିବା ଛାତ୍ରୀ ନିଜ ପ୍ରତିଭାର ପରିପ୍ରକାଶ କରିବା ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।

ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ଷ୍ଟେଟ୍ ଆଡପ୍ସନ୍ ରିସର୍ଚ୍ଚ ଏଜେନ୍ସି (ସାରା), ଓଡ଼ିଶାର ଗଭର୍ଣ୍ଣିଂ ବଡି ସଦସ୍ୟା ଶ୍ରୀମତି କାନ୍ତା ମହାନ୍ତି କହିଥିଲେ ଯେ ନର୍ସମାନେ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କର ଜୀବନ ରକ୍ଷା କରିଥିଲେ । ତେଣୁ ନୂତନ ଭାବରେ ଏହି ପାଠ୍ୟକ୍ରମରେ ପ୍ରବେଶ କରି ଶପଥ ଗ୍ରହଣ କରିବା ପାଇଁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ଶପଥ ଗୋଟିଏ ଦିନ ନୁହେଁ ବରଂ ସାରା ଜୀବନ ପାଇଁ ଏକ ସମର୍ପଣ ବୋଲି ସେ କହିଥିଲେ । ତେବେ ବର୍ତମାନର ଛାତ୍ରଛାତ୍ରୀମାନେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ରୁ ବାହାରି ଇମୋସ୍‌ନାଲ୍ ଇନ୍‌ଟେଲିଜେନ୍ସକୁ ଅଧିକ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ଓଡ଼ିଶାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ବ୍ରଜକିଶୋର ଦାଶ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସନାଲ ଗେଷ୍ଟ ଭାବେ ସୋମି, ଓଡ଼ିଶା ଶାଖାର ସଚିବ ପ୍ରଫେସର ଅମ୍ରିତା ଲେଙ୍କା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଆଡିସ୍‌ନାଲ୍ ଡିନ୍ (ପ୍ଲେସ୍‌ମେଂଟ ଆଣ୍ଡ ଟ୍ରେନିଂ) ପ୍ରଫେସର ତପତୀ ଶାହା ବକ୍ତବ୍ୟ ରଖିଥିଲେ । ସମ୍ ନର୍ସିଂ କଲେଜର ଆସୋସିଏଟ୍ ପ୍ରଫେସର ଦେବଯାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଶପଥ ପାଠ କରାଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଆସୋସିଏଟ୍ ପ୍ରଫେସର ମନୀଷା ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking