25.1 C
Bhubaneswar
Monday, March 23, 2026
Homeଦେଶ ବିଦେଶୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆମେରିକା ଏବଂ ରୁଷିଆ ମଧ୍ୟରେ ଆଲୋଚନା

ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆମେରିକା ଏବଂ ରୁଷିଆ ମଧ୍ୟରେ ଆଲୋଚନା

ରିୟାଦ୍‌: ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟସ୍ଥି ସାଜିଥିବା ଆମେରିକା ଏବେ ରୁଷ୍ ସହ ଆଲୋଚନା ଆରମ୍ଭ କରିଛି। ରିପୋର୍ଟ ଅନୁସାରେ ସାଉଦିଆରବରେ ଏନେଇ ଏକ ବୈଠକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଯେଉଁଥିରେ ଆମେରିକା ଏବଂ ରୁଷ୍‌ର ଅଧିକାରୀମାନେ ଯୋଗଦେବା ପୂର୍ବକ ଆଲୋଚନା କରୁଛନ୍ତି। ତେବେ ସବୁଠୁ ବଡ଼କଥା ହେଉଛି ଏହି ବୈଠକରେ ୟୁକ୍ରେନ୍ ପ୍ରତିନିଧିମାନେ ଯୋଗଦେଇନାହାନ୍ତି। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ଲକ୍ଷ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହି ଆଲୋଚନାକୁ ୟୁକ୍ରେନକୁ ନିମନ୍ତ୍ରଣ କରାଯାଇ ନାହିଁ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋମବାର କହିଥିଲେ, ଯଦି କିଭ୍ ଏହି ବୈଠକରେ ଅଂଶଗ୍ରହଣ ନ କରେ, ତେବେ ତାଙ୍କ ଦେଶ ବୈଠକର ଫଳାଫଳକୁ ଗ୍ରହଣ କରିବ ନାହିଁ। ସେହିପରି ୟୁରୋପୀୟ ସଂଘକୁ ମଧ୍ୟ ଆଲୋଚନାରେ ସାମିଲ କରାଯାଇ ନାହିଁ। ୟୁରୋପୀୟ ନେତାମାନେ ଏହାକୁ ବିରୋଧ କରିଛନ୍ତି ଏବଂ ଯେକୌଣସି ଶାନ୍ତି ଆଲୋଚନାରେ ସେମାନଙ୍କର ଅଂଶଗ୍ରହଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ୟୁରୋପୀୟ ସଂଘ କହିଛି, ଏକ ନିରପେକ୍ଷ ଏବଂ ସ୍ଥାୟୀ ଶାନ୍ତି ପାଇଁ ସେମାନଙ୍କର ଉପସ୍ଥିତି ଆବଶ୍ୟକ। ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ତାଙ୍କ ବିବୃତିରେ କହିଛନ୍ତି ଯେ, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ସ୍ଥାୟୀ ଶାନ୍ତି ପାଇଁ ଆମେରିକାର ସୁରକ୍ଷା ଗ୍ୟାରେଣ୍ଟି ଆବଶ୍ୟକ।

ମଙ୍ଗଳବାର ଦିନ ରିୟାଦ୍‌ରେ ଅନୁଷ୍ଠିତ ବୈଠକରେ ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁତିିନଙ୍କ ବୈଦେଶିକ ନୀତି ପରାମର୍ଶଦାତା ୟୁରି ଉଶାକୋଭ ରୁଷ୍ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ସେହିପରି ଆମେରିକା ପକ୍ଷରୁ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଜ ଏବଂ ପଶ୍ଚିମ ଏସିଆ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ବୈଠକରେ ଉପସ୍ଥିତ ଥିଲେ। ସେହିପରି ମଧ୍ୟସ୍ଥତା କରୁଥିବା ସାଉଦିଆରବର ପ୍ରତିନିଧିମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି। କିନ୍ତୁ ଏହି ବୈଠକକୁ ୟୁକ୍ରେନକୁ ନିମନ୍ତ୍ରଣ କରାଯାଇ ନାହିଁ, ଯାହାକୁ ନେଇ ୟୁରୋପ ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଛି। ୟୁକ୍ରେନ୍‌କୁ ଉଦ୍ଦେଶ୍ୟମୂଳକ ଭାବେ ସାଇଡ୍ କରିଦିଆଯାଇଥିବା କୁହାଯାଉଛି। କିନ୍ତୁ ଉଭୟ ଆମେରିକା ଏବଂ ରୁଷ୍ ପକ୍ଷରୁ ଆଜିର ଏହି ବୈଠକ ସମ୍ପୂର୍ଣ୍ଣ ରୂପେ ଦ୍ୱିପାକ୍ଷିକ ଏବଂ ଏଥିରେ ୟୁକ୍ରେନ୍‌ର ଉପସ୍ଥିତିର କୌଣସି ଆବଶ୍ୟକତା ନଥିବା ସଫେଇ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking