25.1 C
Bhubaneswar
Sunday, December 21, 2025
Homeଓଡିଶାବିଶୁଦ୍ଧ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା ପାଇଁ ସି ପି ଆଇ(ଏମ୍)ର...

ବିଶୁଦ୍ଧ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା ପାଇଁ ସି ପି ଆଇ(ଏମ୍)ର ଦାବି

ଭୁବନେଶ୍ୱର : ସି ପି ଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପୁଷ୍ପା ଦାଶ,ଯମେଶ୍ୱର ସାମନ୍ତରାୟ, ପୁରୀ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଦସ୍ୟ ଭୀମସେନ ସ୍ଵାଇଁ ପ୍ରମୁଖ କଣାସ ବ୍ଲକ୍ ର ଜାଗୁଳେଇ ପଦର,ନୂଆଗାଁ ନଇକୁଳ ପାଟଣା ଏବଂ କଉଡ଼ିଖଣି ପ୍ରଭୃତି ହଇଜା ପ୍ରପୀଡ଼ିତ ଗ୍ରାମ ଗୁଡିକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହଇଜାରେ ମୃତ୍ୟୁ ବରଣ କରିଥିବା ଛଅ ଜଣଙ୍କର ପରିବାର ମାନଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ଦଳ ରେ ସି ପି ଆଇ(ଏମ୍) କଣାସ ଆଞ୍ଚଳିକ କମିଟି ସମ୍ପାଦକ ଦୀନବନ୍ଧୁ ଦାସ, ଆଞ୍ଚଳିକ କମିଟି ନେତା ଅନାମ ବେହେରା, କାଶୀନାଥ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ସି ପି ଆଇ(ଏମ୍) ପ୍ରତିନିଧି ଦଳର କହିଛନ୍ତି ଯେ ଦୟାନଦୀ ଜଳ ପ୍ରଦୂଷିତ ହୋଇ ବିଷାକ୍ତ ହୋଇ ସାରିଛି। ଏହି ନଦୀର ପାଣି ବ୍ୟବହାର କରିବା ସମ୍ପୂର୍ଣ୍ଣ ନିଷେଧ ଘୋଷଣା ହୋଇଛି। ମାତ୍ର ଲୋକଙ୍କର ଦୈନନ୍ଦିନ ଜୀବନରେ ବ୍ୟବହାର ନିମନ୍ତେ ଆବଶ୍ୟକୀୟ ପାଣି ପାଇଁ ଅନ୍ୟ କୌଣସି ବିକଳ୍ପ ଜଳ ଉତ୍ସ ନାହିଁ। ହଇଜା ରୋଗରେ ଆକ୍ରାନ୍ତ ହେବା ପରେ ଜିଲ୍ଳା ପ୍ରଶାସନ ତରଫରୁ ଟ୍ୟାଙ୍କର ରେ ପାଣି ବଣ୍ଟନ ହେଉଛି। ମାତ୍ର ତାହା ଆବଶ୍ୟକତା ଅନୁସାରେ ଯଥେଷ୍ଟ କମ୍।
ଶତାଧିକ ଲୋକ ହଇଜାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ସୁଦ୍ଧା ସଂପୂର୍ଣ୍ଣ ନିରାକରଣ ପାଇଁ ୬ମାସ ସମୟ ଲାଗିବ ବୋଲି ସଂକ୍ରାମକ ରୋଗ ପ୍ରତିକାର ପାଇଁ ନିୟୋଜିତ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ହଇଜା ପରେ ସ୍ୱାସ୍ଥ୍ୟ ବିଭାଗ ର ତତ୍ପରତା ପ୍ରକାଶ ପାଇଛି। ମାତ୍ର ଗ୍ରାମୀଣ ଜଳ ଯୋଗାଣ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଆଗରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥିଲେ, ଏହିଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା। ଗାଁ ଗୁଡ଼ିକର ସାଧାରଣ ପରିଷ୍କାର, ପରିଚ୍ଛନ୍ନତା, ପରିମଳ ବ୍ୟବସ୍ଥା ଏବଂ ଜନ ସଚେତନତା ଖୁବ୍ ଖରାପ ସ୍ଥିତି ରେ ରହିଛି।
ସି ପି ଆଇ (ଏମ୍) ପ୍ରତିନିଧି ଦଳ ହଇଜା ପ୍ରତିକାର ଏବଂ ଚିକିତ୍ସା ପାଇଁ ନିୟୋଜିତ ଥିବା ଡ଼ାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ଅନ୍ୟାନ୍ୟ କ୍ଷେତ୍ରୀୟ କର୍ମଚାରୀଙ୍କୁ ଭେଟି ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ପରିସ୍ଥିତିରେ ସମଗ୍ର ଅଞ୍ଚଳ କୁ ସରକାର ଏକ ସ୍ବତନ୍ତ୍ର ଜୋନ କରି ସ୍ଥାୟୀ ସମାଧାନ କରିବା ନିମନ୍ତେ “ସ୍ବତନ୍ତ୍ର ପ୍ରକଳ୍ପ” ଘୋଷଣା କରିବା ପାଇଁ ସି ପି ଆଇ(ଏମ୍) ଦାବୀ କରିବା ସହିତ ନିମ୍ନ ମତେ କେତେକ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ହେବ।
ଦାବି ସମୁହ:
୧) ସମସ୍ତ ବ୍ଯବହାର ପାଇଁ ପ୍ରତି ଲୋକ ପିଛା ଦୈନିକ ସର୍ବନିମ୍ନ ୭୦-୮୦ ଲିଟର ପାଣି ହିସାବ ରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ଟ୍ୟାଙ୍କର ରେ ପାଣି ବଣ୍ଟନ ବ୍ୟବସ୍ଥା କରାଯାଉ।

୨) ଗ୍ରାମ୍ୟ ପରିମଳ, ପରିଷ୍କାର ଏବଂ ପରିଚ୍ଛନ୍ନତା ସଂପର୍କ ରେ ବ୍ୟାପକ ସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉ।

୩) ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, କମ୍ୟୁନିଟି ସ୍ଵାସ୍ଥ୍ୟ କେନ୍ଦ୍ର,ଉପକେନ୍ଦ୍ର ଇତ୍ୟାଦି ରେ ପର୍ଯ୍ୟାପ୍ତ ଓ ଅର୍ ଏସ, ହଇଜା ନିବାରକ ଔଷଧ, ସାଲାଇନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଔଷଧ ଗୁଡିକୁ ମହଜୁଦ ରଖିବା ସହିତ ସମ୍ପୃକ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ସ୍ଥାୟୀ ଡାକ୍ତର, ସ୍ଵାସ୍ଥ୍ୟ କର୍ମୀ ଏବଂ ଅନ୍ୟାନ୍ୟ ଷ୍ଟାଫ୍ ନିଯୁକ୍ତି ଦିଆଯାଉ। ପ୍ରତ୍ୟୋକ ପଞ୍ଚାୟତ ରେ ପିଇବା ପାଣି ମହଜୁଦ କରି ସଂରକ୍ଷଣ କରାଯାଉ।

୪) ଦୟା,ମକରା ନଦୀ ସମେତ ତତ୍ ସଲଂଗ୍ନ ସମସ୍ତ ନଦୀ ଗୁଡିକ ରେ ପାଣି ବ୍ଯବହାର ପାଇଁ ସଂପୂର୍ଣ୍ଣ ନିଷେଧ ଘୋଷଣା କରି କାର୍ଯ୍ୟକାରୀ କରାଯାଉ।
ଗଙ୍ଗୁଆ ନାଳ/ନଦୀ ରେ ପଡ଼ୁଥିବା ବର୍ଜ୍ୟବସ୍ତୁ ଗୁଡିକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ଜରିଆରେ ବିଶୋଧନ କଲା ପରେ ଦୟା ନଦୀ କୁ ଛଡ଼ାଯାଉ। ଭୁବନେଶ୍ୱର ମହାନଗର ନିଗମ ବିନା ଟ୍ରିଟମେଣ୍ଟ ରେ ଗଙ୍ଗୁଆ କୁ ବର୍ଜ୍ୟ ପାଣି ଛାଡୁଥିବା ଭଳି ଅମାନବିକ-ଅପରାଧିକ କାର୍ଯ୍ୟ ବନ୍ଦ କରାଯାଉ ।ଏହି ସମସ୍ତ ନଦୀ ଗୁଡିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ “ସ୍ୱତନ୍ତ୍ର ଯୋଜନା ପ୍ରଣୟନ” କରାଯାଉ।

୫) କେନ୍ଦ୍ର- ରାଜ୍ୟ ସରକାର ସଂପୃକ୍ତ ଅଞ୍ଚଳର ସାଂସଦ, ବିଧାୟକ, ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା ସହିତ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking