23.1 C
Bhubaneswar
Sunday, February 8, 2026
Homeଓଡିଶାକେନ୍ଦ୍ର ବଜେଟରେ ଓଡ଼ିଶାର ନାଁ ଗନ୍ଧ ନାହିଁ, ରାଜ୍ୟବାସୀଙ୍କୁ ଧୋକା: ବିଜେଡି

କେନ୍ଦ୍ର ବଜେଟରେ ଓଡ଼ିଶାର ନାଁ ଗନ୍ଧ ନାହିଁ, ରାଜ୍ୟବାସୀଙ୍କୁ ଧୋକା: ବିଜେଡି

– କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି
– ଦରଦାମ ନିୟନ୍ତ୍ରଣ ପାଇଁ ବଜେଟରେ କିଛି ନାହିଁ
– ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁଦାନ ଦାବିକୁ ମଧ୍ୟ ଅଗ୍ରାହ୍ୟ

ଭୁବନେଶ୍ୱର: କେନ୍ଦ୍ର ବଜେଟ ସମ୍ୱନ୍ଧରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ବିକାଶକୁ ଆଗକୁ ନେବାକୁ ସହାୟକ ହେବ ବୋଲି ଆଜି ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ତାର ପ୍ରତିକ୍ରିୟା ଦେଇ ଏହି ବଜେଟ ଓଡିଶାବାସୀଙ୍କ ପାଇଁ ଏକ ଧୋକା ବୋଲି ଅଭିହିତ କରିବା ସହିତ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ କେବଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି କହିଛି। ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଶ୍ରୀ ଅମର ପଟ୍ଟନାୟକ କହିଥିଲେ, କେନ୍ଦ୍ର ବଜେଟରେ କୌଣସି ଜାଗାରେ ଓଡିଶା ସମ୍ୱନ୍ଧରେ ପଦଟିଏ ମଧ୍ୟ କୁହାଯାଇ ନାହିଁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଜେଟରେ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହେବ ବୋଲି ଦାବି କରିଥିଲେ ହେଁ ତାଙ୍କ ମୁହଁରେ ଗୋଟିଏ ହତାଶ ଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା। ଏହି ହତାଶ ଭାବର କାରଣ ହେଉଛି ବଜେଟରେ କୌଣସି ସ୍ଥାନରେ ଓଡ଼ିଶାର ନାଁ ଉଲ୍ଲେଖ ନହେବା। ଶ୍ରୀ ପ୍ରଧାନ ନିଜର ବାକଚାତୁରୀ ମାଧ୍ୟମରେ ବଜେଟ ସହ ଓଡ଼ିଶାର ବିକାଶକୁ ଯୋଡିବାକୁ ବୃଥା ପ୍ରୟାସ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଥିଲେ, ନିର୍ବାଚନ ସମୟରେ ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ସରକାରକୁ ଆସିଥିବା ବିଜେପି କେନ୍ଦ୍ର ବଜେଟରେ ଓଡିଶା ପାଇଁ କୌଣସି ସ୍ୱତନ୍ତ୍ର ଅନୁଦାନ ନଦେବା ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଧୋକା । ରାଜ୍ୟବାସୀ ବିଜେପିକୁ ରାଜ୍ୟରେ ସରକାର ଗଠନ କରିବା ପାଇଁ ସୁଯୋଗ ଦେଇଥିବା ସହିତ ୨୦ ବିଜେପି ସାଂସଦକୁ ଜିତାଇଛନ୍ତି, କିନ୍ତୁ ପ୍ରତି ବଦଳରେ ରାଜ୍ୟବାସୀଙ୍କୁ କେବଳ ଧୋକା ମିଳିଛି। ଶ୍ରୀ ପ୍ରଧାନ ତାଙ୍କ ମନ୍ତବ୍ୟରେ ବଜେଟରେ ଉଲ୍ଲେଖ ଥିବା କିଛି ଯୋଜନାର ନାଁ ନେଇ, ଏହି ଯୋଜନା ମାଧ୍ୟମରେ ଓଡ଼ିଶାକୁ ଫାଇଦା ମିଳବ ବୋଲି କହିଥିଲେ। କିନ୍ତୁ ଏହି ଯୋଜନା ଗୁଡିକ ଦେଶର ସମସ୍ତ ରାଜ୍ୟ ମାନଙ୍କ ପାଇଁ ଉଦ୍ଦିଷ୍ଟ, ସ୍ୱତନ୍ତ୍ର ଭାବେ ଓଡିଶା ପାଇଁ ନୁହେଁ। କେନ୍ଦ୍ର ବଜେଟରେ ଆୟଙ୍କର ସୀମା ବୃଦ୍ଧିକୁ ଏକ ବଡ଼ ସଫଳତା ବୋଲି ଦାବି କରାଯାଉଛି କିନ୍ତୁ, ଓଡ଼ିଶାର ୫୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି, ଯେଉଁମାନଙ୍କ ଉପରେ ଏହି ଆୟକର ସୀମା ବୃଦ୍ଧି କୌଣସି ପ୍ରଭାବ ପକାଇବ ନାହିଁ। କିନ୍ତୁ ଦରଦାମ ବୃଦ୍ଧି, ଯାହା ଆଜି ଦେଶରେ ଉତ୍କଟ ହୋଇଛି, ତାହା ସମସ୍ତ ଗ୍ରାମାଞ୍ଚଳର ବାସିନ୍ଦାଙ୍କ ଉପରେ ପ୍ରଭାବ ପକାଇବ। ଦରଦାମ ବୃଦ୍ଧିର ନିୟନ୍ତ୍ରଣ ପାଇଁ ବଜେଟରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପେଟ୍ରୋଲିୟମ ସବସିଡିର ପରିମାଣ ପୂର୍ବ ବର୍ଷ ପରିମାଣ ସହ ସମାନ ରହିଛି, ଅର୍ଥାତ ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇବାର ସମ୍ଭାବନା ନାହିଁ। କୃଷି ଓ କୃଷକଙ୍କ ବିକାଶ କଥା କୁହାଯାଉଥିଲେ ହେଁ ପୂର୍ବ ବର୍ଷ ବଜେଟରେ ଏଥିପାଇଁ ୧,୪୧,୩୫୨ କୋଟି ଅର୍ଥ ପ୍ରଦାନ କରାଯାଇଥିଲା ବେଳେ ଏହି ବର୍ଷ ବଜେଟରେ ୧,୩୭,୦୦୦ କୋଟି ଟଙ୍କାକୁ କମିଛି। ସେହିପରି ପୋଷଣ, ନରେଗା ଓ ଗ୍ରାମାଞ୍ଚଳ ବିକାଶ ପାଇଁ ପୂର୍ବ ବର୍ଷ ବଜେଟର ପରିମାଣ ସହିତ ପ୍ରାୟତଃ ସମାନ ରହିଛି।

ଶ୍ରୀ ପଟ୍ଟନାୟକ କହିଥିଲେ, କେନ୍ଦ୍ର ବଜେଟରେ ଓଡ଼ିଶାର ଝାରସୁଗୁଡା ଠାରେ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପ୍ରତିଷ୍ଠା ପାଇଁ ଗଞ୍ଜାମର ସୁନାଖଳା ପାଇଁ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପାଇଁ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କର ଏହି ଦାବିକୁ କେନ୍ଦ୍ର ସରକାର କର୍ଣ୍ଣପାତ କରିନାହାନ୍ତି। ତେଣୁ ବିଜେପିର ଡବଲ ଇଂଜିନ ଡବଲ ବିକାଶ ନାରା ଏକ ଧୂଆଁବାଣରେ ପରିଣତ ହୋଇଛି। ୨୦୧୪ ମସିହାରେ ବିଜେପି ତାର ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିଲେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବ ବୋଲି କହିଥିଲା । କିନ୍ତୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନାହିଁ କି ଫୋକସ ଷ୍ଟେଟ ମଧ୍ୟ ନାହିଁ। କୋଇଲା ରୟାଲଟି ବୃଦ୍ଧି, କ୍ଲିନ ଏନର୍ଜି ସେସ୍‌ରେ ରାଜ୍ୟର ଅଂଶ ପାଇଁ ଓଡିଶା ଦାବି କରିଆସୁଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣାପାତ କରୁନାହିଁ। ପୁରୀ ଠାରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବାକୁ ଓଡ଼ିଶାର ଦାବିକୁ ଅଗ୍ରାହ୍ୟ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking