ଭୁବନେଶ୍ୱର : ରେଳ ବଜେଟରେ ଓଡିଶାକୁ ୧୦,୫୯୯ କୋଟି ମଞ୍ଜୁର ମିଳିଛି । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଗତ ୧୦ ବର୍ଷରେ ଓଡିଶାରେ ୨ ହଜାର ୪୬ କିମି ରେଲ ୱେ ଟ୍ରାକ ତିଆରି ହୋଇଛି । ୫୯ ରେଳ ଷ୍ଟେସନର ନବୀକରଣ ହୋଇଛି । ୧୯୦ କିମି କବଚ କାର୍ଯ୍ୟ ଜାରି ରହିଛି ।ବଜେଟ୍ ପରେ ରେଳମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ଦେଶରେ ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍, ୧୦୦ ଅମୃତ ଭାରତ ଟ୍ରେନ୍, ୫୦ ନମୋ ଭାରତ ସହ ୧୭ ହଜାରରୁ ଅଧିକ ଜେନେରାଲ କ୍ଲାସ୍ ବଗି ଟ୍ରେନ୍ରେ ସାମିଲ ହେବ । ଏମିତି ହେଲେ ଭାରତର ରେଳ ନେଟୱର୍କ ଆହୁରି ମଜବୁତ ହେବା ସହିତ ଯାତ୍ରୀ ପରିବହନ ବ୍ୟବସ୍ଥାରେ ଅଧିକ ସୁଧାର ଆସିବ । ଏଥର ରେଳ ବଜେଟ୍ ପୂର୍ବବର୍ଷ ପରି ରହିଛି । ଏଥର ବଜେଟ୍ରେ ରେଳ ମନ୍ତ୍ରଣାଳୟକୁ ପ୍ରାୟ ୨.୪୨ ଲକ୍ଷ କୋଟି ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି । ଖାଲି ଏତିକି ନୁହେଁ ବରଂ ୧୦ ହଜାର କୋଟି ଅତିରିକ୍ତ ଅର୍ଥ ମିଳିଛି, ଯାହାଦ୍ବାରା ରେଳର ପୁନଃନିର୍ମାଣ ଓ ସଶକ୍ତିକରଣ ଦିଗରେ ବଡ଼ ଭୂମିକା ନେବ । ପୁରା ରେଲୱେ ବଜେଟ୍କୁ ଯଦି ବିଶ୍ଲେଷଣ କରାଯାଏ ତାହାଲେ ୨.୬୨ ଲକ୍ଷ କୋଟି ହେବ ବୋଲି କୁହାଯାଉଛି । ସେପଟେ, ୨୫-୨୬ ସୁଦ୍ଧା ଭାରତୀୟ ରେଳରେ ୧୦୦ ପ୍ରତିଶତ ବୈଦ୍ୟୁତିକରଣ କରାଯିବ ଏବଂ ୧୭ ହଜାର ୫୦୦ ଜେନେରାଲ ବଗି ବି ସାମିଲ ହେବ । ଯାହାଦ୍ବାରା ଶସ୍ତାରେ ଯାତ୍ରୀମାନେ ଯାତ୍ରା କରିପାରିବେ । ରେଳରେ ଅଧିକ ସଂଖ୍ୟାରେ ଯାତ୍ରୀ ପରିବହନ ହେଉଥିବା କାରଣରୁ ଦୁର୍ଘଟଣାହେଲେ ବହୁସଂଖ୍ୟାରେ ଯାତ୍ରୀଙ୍କ ଜୀବନ ଯାଉଥିବା ନଜର ରହିଛି । ତେଣୁ ଦୁର୍ଘଟଣାକୁ ଏଡ଼ାଇବା ଲାଗି ଅନେକ ଯୋଜନା ବି ହେଉଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ଟ୍ରେନ୍ର ବଗି ନିର୍ମାଣ କରିବା ଲାଗି ଯୋଜନା ରହିଛି, ଯାହାଦ୍ବାରା ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲେ ବି ଅନେକଙ୍କ ଜୀବନ ବଞ୍ଚିଯାଇପାରିବ ।










