17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଖେଳାଳିଙ୍କୁ ମୋଦୀ ସରକାରଙ୍କ ଉପହାର; କ୍ରୀଡ଼ା ବଜେଟ୍ ୩୫୨ କୋଟି ଟଙ୍କା ବୃଦ୍ଧି

ଖେଳାଳିଙ୍କୁ ମୋଦୀ ସରକାରଙ୍କ ଉପହାର; କ୍ରୀଡ଼ା ବଜେଟ୍ ୩୫୨ କୋଟି ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଶନିବାର ଲୋକସଭାରେ ୨୦୨୫-୨୬ର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ସରକାର ଆୟକର ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧିକରି ମଧ୍ୟବିତ୍ତ ଶ୍ରେଣୀକୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏହା ସହିତ ମୋଦୀ ସରକାର ଖେଳାଳିମାନଙ୍କୁ ମଧ୍ୟ ବଡ଼ ଉପହାର ଦେଇଛନ୍ତି। ଚଳିତ ବଜେଟ୍‌ରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ପାଇଁ ୩,୭୯୪.୩୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହା ଗତ ଆର୍ଥିକ ବର୍ଷ ତୁଳନାରେ ୩୫୧.୯୮ କୋଟି ଟଙ୍କା ଅଧିକ। ଗତ ବଜେଟ୍‌ରେ ଏହି ରାଶି ୩,୪୪୨.୩୨ କୋଟି ଟଙ୍କା ଥିଲା। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କ୍ରୀଡ଼ା ବଜେଟ୍‌ରେ ସର୍ବାଧିକ ଭାଗ ଖେଲୋ ଇଣ୍ଡିଆକୁ ମିଳିଛି। ଖେଲୋ ଇଣ୍ଡିଆକୁ ୧ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହା ୨୦୨୪-୨୫ ଆର୍ଥିକ ବର୍ଷର ଅନୁଦାନଠାରୁ ୨୦୦ କୋଟି ଅଧିକ। ସେହିପରି ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ନିର୍ଦ୍ଧାରିତ ସହାୟତାରାଶି ୩୪୦ କୋଟିରୁ ବୃଦ୍ଧିକରି ୪୦୦ କୋଟି ଟଙ୍କା କରାଯାଇଛି।

ଏହି ବୃଦ୍ଧି ବହୁ ମହତ୍ତ୍ୱପୂର୍ଣ୍ଣ। ଆସନ୍ତାବର୍ଷ ଅଲିମ୍ପିକ୍‌, ରାଜ୍ୟଗୋଷ୍ଠୀ କିମ୍ବା ଏସୀୟ କ୍ରୀଡ଼ା ପରି କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ୍ ନଥିବା ବେଳେ ସରକାରଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ଖେଳାଳିମାନଙ୍କ ହିତ ପାଇଁ ଉତ୍ତମ ନିର୍ଣ୍ଣୟ ନେଇଛନ୍ତି। ସରକାର ଗତ କିଛିବର୍ଷ ହେବ ଖେଲୋ ଇଣ୍ଡିଆରେ ଭାରୀ ନିବେଶ କରିଛନ୍ତି। କାରଣ ଏହି କାର୍ଯ୍ୟକ୍ରମ ଦେଶର ସମସ୍ତ ଅଞ୍ଚଳରୁ ପ୍ରତିଭାଙ୍କୁ ସାମ୍ନାକୁ ଆଣିବାରେ କାମ କରୁଛି। ଖେଲୋ ଇଣ୍ଡିଆର ପରି କାର୍ଯ୍ୟକ୍ରମ ପାଇଁ ବଜେଟ୍ ଆବଣ୍ଟନରେ ବୃଦ୍ଧି ଫଳରେ ଯୁବ ଖେଳାଳିଙ୍କୁ ବହୁ ଲାଭ ହେବ। ସୂଚନାଯୋଗ୍ୟ, ଅଲିମ୍ପିକ୍ ପରି ଇଭେଣ୍ଟ୍ ପାଇଁ ପ୍ରସ୍ତୁତି ନିମନ୍ତେ ବିଦେଶରେ ଅଭ୍ୟାସ ଖର୍ଚ୍ଚ ଖେଳ ମନ୍ତ୍ରଣାଳୟ ବହନ କରିଥାଏ। ଭାରତ ୨୦୩୬ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ ପାଇଁ ଉଦ୍ୟମ ଚଳାଇଛି। ଏଥିପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ଏକ ଇଚ୍ଛା ପତ୍ର (ଲେଟର୍ ଅଫ୍ ଇଣ୍ଟେଣ୍ଟ୍‌) ମଧ୍ୟ ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking