ତାଳଚେର: ତାଳଚେର ଉପଖଣ୍ଡ ଦେଇ ଚିରୋସ୍ରୋତା ବ୍ର୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି। ହେଲେ ତାଳଚେର ବ୍ଲକ୍ ଧରମପୁର ପଞ୍ଚାୟତ ଅନ୍ତର୍ଗତ ଜନ୍ଦାବାହାଳ ଗ୍ରାମରେ ମାଘ ମାସ ନସରୁଣୁ ଏବେଠୁ ଉତ୍କଟ ଜଳ ସଙ୍କଟ ଦେଖାଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହି ଗ୍ରାମରେ ୨ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟକ ଜନସାଧାରଣ ବସବାସ କରୁଥିବାବେଳେ ଜଳ କଷ୍ଟକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବିନିଯୋଗ କରି ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ୧୦ରୁ ୧୨ ଦିନ ମଧ୍ୟରେ ପ୍ରାୟ ୧୫ରୁ ୨୦ ମିନିଟ୍ ପାଣି ଦିଆଯାଉଥିବା ହେତୁ ଗ୍ରାମବାସୀମାନେ ନାହିଁ ନଥିବା ହଇରାଣ ହେଉଥିବା ପ୍ରକାଶ କରିଛନ୍ତି।
ନିକଟରେ ବ୍ରାହ୍ମଣୀ ନଦୀ ଥିଲେ ମଧ୍ୟ ବର୍ଷା ଏବଂ ଶୀତ ଋତୁରେ ଯଦି ଏତେ ପରିମାଣରେ ଜଳ ସଙ୍କଟ ଦେଖାଦେଉଛି, ତେବେ ବୈଶାଖରେ ସ୍ଥିତି କ’ଣ ହେବ ତାହା ଆଜିଠୁ ଆକଳନ କରିବା ସମ୍ଭବପର ନୁହେଁ। ଏ ସମ୍ପର୍କରେ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଆପତ୍ତି ଅଭିଯୋଗ କରୁଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଛି ବୋଲି ଗ୍ରାମବସୀମାନେ ପ୍ରକାଶ କରିଛନ୍ତି। ସେହିପରି ତାଳଚେର ପୌରାଞ୍ଚଳ ଓ ଅନ୍ୟାନ୍ୟ ଗ୍ରାମାଞ୍ଚଳରେ କୋଇଲା ଖଣି ଅତି ନିକଟତର ଓ ଖଣି ଗୁଡ଼ିକ ଅତି ଗଭୀରତମ ହୋଇଥିବାରୁ ଏଠାରେ ପ୍ରାୟ ୧୨ମାସରୁ ୮ ମାସ ଜଳ ସଙ୍କଟ ଦେଖାଦେଇଥାଏ। ତେବେ କଳକାରଖାନା ଓ କଲୋନୀ ଗୁଡ଼ିକୁ ସମଲ୍ ବ୍ୟାରେଜ୍ ନଦୀବନ୍ଧରୁ ଅପର୍ଯ୍ୟାପ୍ତ ପାଣି ଯୋଗାଇ ଦିଆଯାଉଛି। ସେହିପରି ସମଲ୍ରେ ଖୋଦ୍ ମେଗା ପ୍ରକଳ୍ପ ଯୋଜନାରେ ତାଳଚେର ଅଞ୍ଚଳବାସୀଙ୍କୁ କାହିଁକି ନୀରବଚ୍ଛିନ୍ନ ଭାବେ ଜଳ ଯୋଗାଣ କରାଯାଉ ନାହିଁ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏଠାରୁ କୋଟି କୋଟି ଟଙ୍କା ସରକାର ରାଜସ୍ୱ ନେଉଥିବାବେଳେ ଅଞ୍ଚଳବାସୀଙ୍କୁ କାହିଁକି ପ୍ରତ୍ୟେକ କ୍ଷେତ୍ରରେ ଅଣଦେଖା କରାଯାଉଛି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି।










