19.1 C
Bhubaneswar
Tuesday, February 10, 2026
Homeଓଡିଶାରାଜ୍ୟରେ ଖରିଫ ଋତୁ ଧାନକିଣା ନେଇ ମନ୍ତ୍ରୀ ସମୂହ ସମୀକ୍ଷା ବୈଠକ

ରାଜ୍ୟରେ ଖରିଫ ଋତୁ ଧାନକିଣା ନେଇ ମନ୍ତ୍ରୀ ସମୂହ ସମୀକ୍ଷା ବୈଠକ

ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି
ଅଦ୍ୟାବଧି ପ୍ରାୟ ୧୦ ହଜାର କୋଟି ଏମ୍‌ଏସ୍‌ପି ଏବଂ ୩୪୭୬ କୋଟି ଇନ୍‌ପୁଟ ସହାୟତା ପ୍ରଦାନ

ଭୁବନେଶ୍ୱର: ମନ୍ତ୍ରୀ ସମୂହ ସମୀକ୍ଷା ବୈଠକରେ ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ପ୍ରଦାନ କରାଯାଉଥିବାରୁ ଧାନକିଣାରେ ଅଧିକରୁ ଅଧିକ ଚାଷୀ ଭାଗନେବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି । ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବୈଠକରେ ଧାର୍ଯ୍ୟ ଲକ୍ଷ୍ୟକୁ ବୃଦ୍ଧି କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ମନ୍ତ୍ରୀ ସମୂହ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜାଙ୍କ ସମେତ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଚଳିତ ବର୍ଷ ଖରିଫ ଧାନକିଣା ସମ୍ପର୍କରେ ବୈଠକରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ଏ ପର୍ଯ୍ୟନ୍ତ ୯ ଲକ୍ଷ ୭୭ ହଜାର ୨୯୩ ଜଣ ଚାଷୀଙ୍କଠାରୁ ୪୬ ଲକ୍ଷ ୩୬ ହଜାର ୫୪୧ ମେଟ୍ରିକ୍‌ ଟନ୍‌ ଧାନ କିଣାଯାଇଛି । ଏପର୍ଯ୍ୟନ୍ତ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦରେ ପ୍ରାୟ ୧୦ ହଜାର କୋଟି ଟଙ୍କା ସାଙ୍ଗକୁ ଇନ୍‌ପୁଟ ସହାୟତା ବାବଦରେ ୩୪୭୬ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇ ସାରିଛି । ଚଳିତ ବର୍ଷ ଧାନକିଣା ପାଇଁ ଚାଷୀମାନଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ମଣ୍ଡିଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ମଣ୍ଡିଗୁଡ଼ିକରେ ସିସିଟିଭି ବ୍ୟବସ୍ଥା ସହ ୩୮୮୩ ଜଣ ନୋଡାଲ ଅଧିକାରଙ୍କୁ ନିୟୋଜିତ କରାଯାଇଛି । ଏଥି ସହ ବାହାର ରାଜ୍ୟର ଧାନଗାଡ଼ି ଉପରେ କଡ଼ା ନଜର ରଖିବା ପାଇଁ ୨୧୭ ଜଣ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ମଣ୍ଡିରୁ ମିଲ୍‌କୁ ନେଇ ଯାଉଥିବା ଗାଡ଼ି ଉପରେ ମଧ୍ୟ ତୀକ୍ଷ୍‌ଣ ନଜର ରଖାଯାଉଛି । ଚାଷୀମାନଙ୍କୁ ଟୋକନ, ଇନ୍‌ପୁଟ ସହାୟତା, ଏମ୍‌ଏସ୍‌ପି ପ୍ରଦାନ ସହ ଧାନବିକ୍ରୟ ସମ୍ପର୍କିତ ବିଭିନ୍ନ ଅଭିଯୋଗର ତ୍ୱରିତ ସମାଧାନ କରାଯାଉଛି । ଏଥି ନିମନ୍ତେ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି । ଚାଷୀମାନଙ୍କ ହିତରେ ଜାରି ଟୋଲ୍‌ଫି୍ର ନଂ-୧୯୬୭ ଜରିଆରେ ୪ଲକ୍ଷ ୧୫ ହଜାର ୨୬୭ଟି କଲ୍‌ ଗ୍ରହଣ କରାଯାଇ ଏହାର ସମାଧାନ କରାଯାଇଛି । ଏଥି ସହ ମିଲ୍‌ଗୁଡ଼ିକୁ ଧାନ ପଠାଯାଇ ଏଥିରୁ ବିଭିନ୍ନ ଉତ୍ପାଦ ପ୍ରକ୍ରିୟା ପ୍ରସ୍ତୁତି ଜାରି ରହିଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତ ବର୍ଷର ଧାନକିଣା ପ୍ରକ୍ରିୟା ସୁଗମ ହୋଇପାରିଛି । ତାଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଜିଲ୍ଲାଗସ୍ତ କରି ଧାନକିଣା ପ୍ରକ୍ରିୟାକୁ ତଦାରଖ କରୁଥିବାରୁ ଧାନକିଣା ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସଫଳ ହୋଇପାରିଥିବା ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଖୁସିବ୍ୟକ୍ତ କରିଛନ୍ତି । ଏହି ପ୍ରକ୍ରିୟା କିପରି ଅଧିକ ଚାଷୀ ଅନୁକୂଳ ହୋଇପାରିବ ସେଥି ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ବ୍ୟାପକ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ଆସନ୍ତା ରବି ଋତୁରେ ଧାନକିଣା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ରାଜ୍ୟ ଖାଦ୍ୟଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭମ୍‌ ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking