ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଅନ୍ୟ ଦେଶଗୁଡ଼ିକ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛନ୍ତି । କହିଛନ୍ତି, ନିଜ ଦେଶବାସୀଙ୍କୁ ଆମେ ଧନୀ ବନାଇବୁ ଏବଂ ଅନ୍ୟ ଦେଶ ଉପରେ ଟାରିଫ୍ କଷିବୁ । ଆମେରିକାର ଫ୍ଲୋରିଡା ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଟ୍ରମ୍ପ୍ କହିଛନ୍ତି, ଭାରତ, ଚୀନ୍ ଓ ବ୍ରାଜିଲ ଭଳି ଦେଶଗୁଡ଼ିକ ଉପରେ ମୋଟା ଅଙ୍କର ଟାରିଫ୍ ଲଗାଇବୁ । ସେମାନେ ଆମ ଉତ୍ପାଦ ଉପରେ ଅଧିକ ଟିକସ ନେଉଛନ୍ତି । ଏବେ ଆମେ ସେମାନଙ୍କଠାରୁ ଅଧିକ ଟିକସ ଅସୁଲ କରିବୁ । ଟ୍ରମ୍ପ୍ କହିଛନ୍ତି, ଯେଉଁମାନେ ଆମେରିକାକୁ କ୍ଷତି ପହଞ୍ଚାଉଛନ୍ତି, ଆମେ ସେମାନଙ୍କ ପ୍ରତି କଠୋର ନୀତି ଆପଣାଇବୁ । ଆମ ପାଇଁ ଅନ୍ୟ ଦେଶଗୁଡ଼ିକ କ’ଣ କରୁଛନ୍ତି, ତାହା ସାରା ବିଶ୍ୱ ଦେଖୁଛି । ଚୀନ୍ ଆମ ଉତ୍ପାଦ ଉପରେ ଅତ୍ୟଧିକ ଟିକସ ଲଗାଉଛି ।
ସେହିଭଳି ଭାରତ, ବ୍ରାଜିଲ ଓ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏଭଳି କରୁଛନ୍ତି । ଆମେ ଆଉ ତାହା କରାଇଦେବୁ ନାହିଁ । କାରଣ ଆମେ ଆମେରିକାକୁ ସବୁଠୁ ଆଗରେ ରଖିବାକୁ ଚାହୁଁଛୁ। ଆମେରିକା ଏଣିକି ସଚ୍ଚୋଟ ବ୍ୟବସ୍ଥା ସ୍ଥିର କରିବ । ଏହାଦ୍ୱାରା ଆମ ରାଜକୋଷକୁ ଅର୍ଥ ଆସିବ । ଫଳରେ ଆମେରିକା ପୁଣିଥରେ ବହୁତ ଧନୀ ହୋଇଯିବ । ଏହାସବୁ ଖୁବଶୀଘ୍ର ହେବାକୁ ଯାଉଛି ବୋଲି ଟ୍ରମ୍ପ୍ କହିଛନ୍ତି । ସୂଚନାଯୋଗ୍ୟ, ଟାରିଫ୍ ହେଉଛି ସୀମା ଶୁଳ୍କ ବା ଟିକସ । ବିଦେଶରୁ ଆସୁଥିବା ସାମଗ୍ରୀ ଉପରେ ଏହି ଟିକସ ଲାଗୁ ହୋଇଥାଏ । ଅଧିକ ଟିକସ ଲାଗୁ ହେବା ଦ୍ୱାରା ଘରୋଇ ବଜାରରେ ଏହି ସାମଗ୍ରୀଗୁଡ଼ିକ ମହଙ୍ଗା ହୁଏ । ତେବେ ଟାରିଫ୍ ଦ୍ୱାରା ସରକାରଙ୍କ ଆୟ ବି ବୃଦ୍ଧି ପାଇଥାଏ । ଅଧିକ ଟାରିଫ୍ର ଆଉ ଏକ ଫାଇଦା ହେଲା ଘରୋଇ କ୍ଷେତ୍ରର ଉତ୍ପାଦନକୁ ପ୍ରୋତ୍ସାହନ ମିଳିଥାଏ । ଦେଶୀ ଉଦ୍ୟୋଗଗୁଡ଼ିକ ଅଧିକ ଫାଇଦା ପାଇଥାନ୍ତି ।










