ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ପାଇଁ ଅଫିସିଆଲ ଭାବେ ୟୁନିଫାଏଡ ପେନସନ ସ୍କିମ ବା ୟୁପିଏସକୁ ନେଇ ନୋଟିଫିକେସନ ଜାରି କରାଯାଇଛି । ଏଥିସହିତ ଏଥର ନୂଆ ପେନସନ ସ୍କିମକୁ କେଉଁ ତାରିଖରେ ଲାଗୁ କରାଯିବ ତାହା ମଧ୍ୟ ଘୋଷଣା କରାଯାଇଛି । ଏପ୍ରିଲ ୧ରେ ୟୁପିଏସ ଲାଗୁ ହେବ ବୋଲି କୁହାଯାଇଛି । ୟୁନିଫାଏଡ ପେନସନ ସ୍କିମକୁ ନେଇ ସରକାରଙ୍କ ତରଫରୁ ଗେଜେଟ ନୋଟିଫିକେସନ ଜାରି କରାଯାଇଛି । ପୁରୁଣା ପେନସନ ସ୍କିମ ଓ ଜାତୀୟ ପେନସନ ସ୍କିମ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟରେ ୟୁପିଏସକୁ ଲଞ୍ଚ କରିଥିଲେ । ସରକାରୀ କମର୍ଚାରୀଙ୍କୁ ଅବସର ପରେ ଗ୍ୟାରେଣ୍ଟେଡ ପେନସନ ପ୍ରଦାନ କରିଥାଏ ୟୁପିଏସ । ଏହା କର୍ମଚାରୀଙ୍କୁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ । ପିଟିଆଇ ମୁତାବକ, ଏନପିଏସ ଅଧୀନରେ କଭର ହେବାକୁ ଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏହି ୟୁପିଏସକୁ ଚଳିତ ବର୍ଷ ଜାନୁଆରୀ ୨୫ରେ ନୋଟିଫାଏ କରାଯାଇଛି । ଯେଉଁ କର୍ମଚାରୀମାନେ ଏନପିଏସ ଅଧୀନରେ ଆସିଥାନ୍ତି ଓ ଏହା ଅଧୀନରେ ୟୁପିଏସର ଅପ୍ସନକୁ ବାଛିଥାନ୍ତି, ସେହି ସମସ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୟୁପିଏସ ଲାଗୁ ହୋଇଥାଏ । ଗେଜେଟ ନୋଟିଫିକେସନ ମୁତାବକ, କେନ୍ଦ୍ର କର୍ମଚାରୀ ଏନପିଏସ ଅଧୀନରେ ୟୁପିଏସ ବିକଳ୍ପ ନେବାକୁ ବାଛି ପାରନ୍ତି ବା ୟୁପିଏସ ବିକଳ୍ପ ବିନା ଏନପିଏସ ଜାରି ରଖିପାରନ୍ତି । ୟୁପିଏସ ଚୟନ କରୁଥିବା ଲୋକମାନେ ଅନ୍ୟ ପଲିସୀ ରିହାତି, ପଲିସୀ ଚେଞ୍ଜ, ଫାଇନାନ୍ସିଆଲ ବେନିଫିଟର ହକଦାର ହେବେ ନାହିଁ ବୋଲି ସରକାରୀ ନୋଟିଫିକେସନରେ ସ୍ପଷ୍ଟ କରାଯାଇଛି ।










