ୱାଶିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍କା । ଜନ୍ମ ଆଧାରରେ ନାଗରିକତା ପ୍ରଦାନ କରିବାର ଅଧିକାରକୁ ଉଚ୍ଛେଦ କରି ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକୁ ବିଚାରପତି ‘ଅସାମ୍ବିଧାନିକ’ ବୋଲି ଘୋଷଣା କରିଛନ୍ତି । ବିଚାରପତି ଏହି କାର୍ଯ୍ୟନିର୍ବାହୀ ଆଦେଶ ଉପରେ ଅସ୍ଥାୟୀ ସ୍ଥଗିତାଦେଶ ମଧ୍ୟ ଦେଇଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନ ପାଇଁ, ଆମେରିକାରେ ଜନ୍ମିତ ପିଲାମାନେ ସେଠାରେ ନାଗରିକତା ପାଇବା ଜାରି ରହିବ । ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭର ପ୍ରଥମ ଦିନ, ଜାନୁଆରୀ ୨୦ରେ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଥିଲେ । ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ବିରୋଧରେ ଚାରୋଟି ଡେମୋକ୍ରାଟିକ ଶାସିତ ରାଜ୍ୟ ଏକ ଆବେଦନ ଦାଖଲ କରିଥିଲେ । ୱାଶିଂଟନ, ଆରିଜୋନା, ଇଲିନୋଇସ ଏବଂ ଓରେଗନ ଭଳି ଡେମୋକ୍ରାଟିକ ଶାସିତ ରାଜ୍ୟଗୁଡ଼ିକ ଆବେଦନରେ ଦାବି କରିଥିଲେ ଯେ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନରେ ଦିଆଯାଇଥିବା ନାଗରିକତ୍ୱ ଅଧିକାରକୁ ଉଲ୍ଲଂଘନ କରୁଛି । ଆମେରିକା ଜିଲା ବିଚାରପତି ଜନ କଫନର ଏହି ଆବେଦନର ଶୁଣାଣି କରୁଥିଲେ। ଗୁରୁବାର ସେ ଟ୍ରମ୍ପ ପ୍ରଶାସନକୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।