18.1 C
Bhubaneswar
Monday, January 6, 2025
Homeଓଡିଶାଜାନୁଆରୀ ୫ରେ ସହିଦ୍ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ ହେବ: ମୁଖ୍ୟମନ୍ତ୍ରୀ

ଜାନୁଆରୀ ୫ରେ ସହିଦ୍ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ନବଗଠିତ ଜନଜାତି ଉପଦେଷ୍ଟା ପରିଷଦ (ଞଇଉ) ର ପ୍ରଥମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିଷଦ ନଭେମ୍ବର ମାସରେ ଗଠିତ ହୋଇଥିଲା । ଏହାର କାର‌୍ୟ୍ୟକାଳ ଦୁଇ ବର୍ଷ ରଖାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନଜାତି ମାନଙ୍କୁ ସବୁ କ୍ଷେତ୍ରରେ ନ୍ୟାୟ ମିଳିବା ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ହୋଇ କାମ କରୁଛନ୍ତି । ଏହି ନୂତନ ପରିଷଦରେ ଆଗାମୀ ୨ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଓ.ଆର୍. ଭି ଆଇନରେ ଅନୁସୂଚିତ ଜନଜାତି ଓ ଜାତି ପିଲାମାନେ ଯେପରି ନ୍ୟାୟ ପାଇବେ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଜନଜାତି ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ପରିଷଦର ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତରଣ ଆଇନର ନିୟମାବଳୀ-୨ ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଥିଲା । ୨୦୨୩ ଜୁଲାଇ ୧୧ ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା । ପରେ ୨୦୨୩ ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା । ତେବେ ୨୦୨୪ ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ନାମଞ୍ଜୁର କରାଯାଇଥିଲା । ଆଜି ଜନଜାତି ଉପଦେଷ୍ଟା ପରିଷଦ ମଧ୍ୟ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଛି । ଏହା ଫଳରେ ଆଦିବାସୀ ମାନଙ୍କ ସଂପତ୍ତିକୁ ହସ୍ତାନ୍ତର କରାଯାଇପାରିବ ନାହିଁ । ତେବେ ଜନଜାତି ଲୋକମାନେ ସେମାନଙ୍କର ବିଭିନ୍ନ ଜରୁରୀ କାମ, ଯେପରି ବିବାହ, ପିଲାଙ୍କ ଉଚ୍ଚଶିକ୍ଷା କିମ୍ବା ବ୍ୟବସାୟ ଆଦି କାମରେ ଋଣ ପାଇପାରିବେ, ସେଥିପାଇଁ ଆଗାମୀ ଦିନରେ ଅନ୍ୟାନ୍ୟ ବିକଳ୍ପ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ବୈଠକରେ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାବ୍ୟତୀତ ଅନ୍ୟାନ୍ୟ ଜନଜାତି ଭାଷାକୁ ଅଷ୍ଟମ ଅନୁଛେଦରେ ସ୍ଥାନିତ କରିବା ପାଇଁ ଆଲୋଚନା ହୋଇଥିଲା ।

ପେସା [ Panchayats (Extension to Schedule Areas) Act, 1996 ] ଆଇନର କାର୍ଯ୍ୟକାରିତା ପାଇଁ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ (Draft Odisha PESA ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ତେବେ ଏହି ନିୟମାବଳୀ ଉପରେ ଅଧିକ ଆଲୋଚନା କରାଯାଇ ନିଷ୍ପତ୍ତି ନେବା ପାଇଁ ସ୍ଥିର କରାଯାଇଥିଲା । ଏଥିପାଇଁ ଏକ ରାଜ୍ୟସ୍ତରୀୟ ୱାର୍କସପ୍ ଆୟୋଜନ କରାଯାଇ ଏଥିରେ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ଜନଜାତି ପ୍ରତିନିଧି, ପୌରାଞ୍ଚଳ, ବିଧାନସଭା, ଲୋକସଭା ଓ ରାଜ୍ୟସଭାର ଜନଜାତି ପ୍ରତିନିଧି ମାନଙ୍କୁ ସାମିଲ କରାଯାଇ ଏହି ନିୟମାବଳୀ ସଂପର୍କରେ ବିସ୍ତୃତ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପ୍ରାରମ୍ଭିକ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଜନଜାତି ମାନଙ୍କ ସାମାଜିକ, ଆର୍ଥିକ ଓ ରାଜନୈତିକ ସଶକ୍ତିକରଣ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳନ କରି ସାରା ଦେଶରେ ଆଦିବାସୀଙ୍କ ବିକାଶ ପାଇଁ ୬୬୪୦ କୋଟି ଟଙ୍କାର କାର‌୍ୟ୍ୟକ୍ରମ ଆରମ୍ଭ କରିଛନ୍ତି। ସେହିପରି ‘ଧରତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ’ ଆରମ୍ଭ କରିଛନ୍ତି। ଏଥିରେ ଓଡିଶାର ୨୭ଟି ଜିଲ୍ଲାର ୭,୬୬୭ଟି ଆଦିବାସୀ ବହୁଳ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାଦ୍ୱାରା ୧୦ ଲକ୍ଷ ୮୦ ହଜାରରୁ ଅଧିକ ଜନଜାତି ପରିବାର ଉପକୃତ ହେବେ । ସେହିପରି ପିଏମ୍ ଜନମନ୍ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ଓଡିଶାର ୧୪ଟି ଜିଲ୍ଲାର ୧୩ଟି ବର୍ଗର ପିଭିଟିଜି ମାନେ ଉପକୃତ ହେଉଛନ୍ତି ।

ସେହିପରି ରାଜ୍ୟ ସରକାର ମଧ୍ୟ ଜନଜାତି ମାନଙ୍କ ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି। ଅନୁସୂଚିତ ଜନଜାତି ମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଡ୍ରପ୍ ଆଉଟ ହାର ହ୍ରାସ କରିବା ପାଇଁ ସହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଜାନୁଆରୀ ୫ ତାରିଖରେ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ସହିଦ୍ ଲକ୍ଷ୍ଣଣ ନାୟକ ବିଦ୍ୟାଳୟ ରୂପାନ୍ତରଣ କାର‌୍ୟ୍ୟକ୍ରମରେ ୭୦୫ଟି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ ଜନଜାତି ଉପଦେଷ୍ଟା ପରିଷଦରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଅଛନ୍ତି ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଉପାଧ୍ୟକ୍ଷ ଅଛନ୍ତି । ଏହାବ୍ୟତୀତ ଆଉ ୧୮ ଜଣ ସଦସ୍ୟ ଅଛନ୍ତି । ଏଥିରେ ୧୫ ଜଣ ବିଧାନସଭା ସଦସ୍ୟ, ୨ ଜଣ ସାଂସଦ ଏବଂ ଜନଜାତି ବିକାଶ ପାଇଁ କାର‌୍ୟ୍ୟ କରୁଥିବା ଜଣେ ଆଦିବାସୀ ମହିଳା ସଦସ୍ୟା ଭାବେ ସ୍ଥାନ ପାଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଅତିଥି ସଦସ୍ୟ ଭାବେ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ମାନେ ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ବୈଠକର କାର‌୍ୟ୍ୟସୂଚୀ ସଂପର୍କରେ ଉପସ୍ଥାପନ ରଖିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking