19.1 C
Bhubaneswar
Wednesday, January 1, 2025
Homeଦେଶ ବିଦେଶଦ୍ରୁତ ବେଗରେ ଖସୁଛି ଜନ୍ମ ହାର; ୪ ସନ୍ତାନ ଜନ୍ମ କଲେ ମିଳିବ ୩୨ ଲକ୍ଷ

ଦ୍ରୁତ ବେଗରେ ଖସୁଛି ଜନ୍ମ ହାର; ୪ ସନ୍ତାନ ଜନ୍ମ କଲେ ମିଳିବ ୩୨ ଲକ୍ଷ

ନୂଆଦିଲ୍ଲୀ:ଜାପାନଠୁ ଆରମ୍ଭ କରି ଚୀନ୍ ପର୍ଯ୍ୟନ୍ତ ଜନ୍ମହାର ଦ୍ରୁତ ବେଗରେ ଖସୁଛି । ବୟସ୍କଙ୍କ ସଂଖ୍ୟା ବଢ଼ିଚାଲିଛି । ଏହା ଯୋଗୁ କର୍ମଜୀବୀ ଯୁବବର୍ଗଙ୍କ ସଂଖ୍ୟା କମିଛି । ସେଥିପାଇଁ ଏହି ଦେଶ ଯୁବପିଢ଼ିଙ୍କୁ ସନ୍ତାନ ଜନ୍ମ ଲାଗି ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି । ଟଙ୍କା ମଧ୍ୟ ବାଣ୍ଟୁଛନ୍ତି । ଯୁବତୀଙ୍କୁ ସହରରୁ ଗାଁକୁ ପଠାଯାଉଛି । କିନ୍ତୁ ରୁଷ୍‌ର ଏକ ପ୍ରାନ୍ତରେ ନାଗରିକଙ୍କୁ ନିଆରା ଅଫର୍ ଦେଇଛନ୍ତି ସରକାର । ପଶ୍ଚିମ ରୁଷ୍‌ର ନିଜନି ନୋଭଗୋରୋଡ ଓବ୍ଲାଷ୍ଟ୍ ପ୍ରାନ୍ତରେ ଯୁବପିଢ଼ିଙ୍କୁ ଗୋଟିଏ କି ଦୁଇଟି ନୁହେଁ, ୪ଟି ସନ୍ତାନ ଜନ୍ମ ଦେବାକୁ ଅପିଲ କରାଯାଇଛି ।

ସରକାର ପ୍ରତ୍ୟେକ ପିଲା ପିଛା ୧୦ ଲକ୍ଷ ରୁବଲ୍ ଅର୍ଥାତ୍ ୮ ଲକ୍ଷ ଟଙ୍କା ପ୍ରଦାନ କରିବେ । ନିଜନି ନୋଭଗୋରୋଡ ଓବ୍ଲାଷ୍ଟ୍ ପ୍ରାନ୍ତର ଗଭର୍ନର ଗ୍ଲେବ ନିକିତିନ ଏହି ଅଫର୍ ଘୋଷଣା କରିଛନ୍ତି । ରୁଷ୍‌ରେ ମଧ୍ୟ ଜନ୍ମ ହାର ଖୁବ୍ କମ୍ । ଏଠାରେ ଏବେ ପ୍ରତି ମହିଳାଙ୍କ ପିଛା ଶିଶୁ ହାର ୧.୫ । କିନ୍ତୁ ସରକାରଙ୍କ କହିବା ଅନୁସାରେ, ଏହା ଖୁବ୍ କମ୍ । ବର୍ତ୍ତମାନର ଜନ୍ମସଂଖ୍ୟାକୁ ବଜାୟ ରଖିବାକୁ ହେଲେ ପ୍ରତି ମହିଳା ପିଛା ଶିଶୁ ହାର ୨.୧ ହେବା ଉଚିତ୍ । ସରକାର ଏହାକୁ ବଜାୟ ରଖିବା ପାଇଁ ବିଭିନ୍ନ ଉପାୟରେ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଦୁଇ ବର୍ଷରୁ ଅଧିକ ସମୟ ହେଲା ରୁଷ୍‌-ୟୁକ୍ରେନ ଯୁଦ୍ଧ ଚାଲିଛି । ଯୁଦ୍ଧରେ ବହୁ ସଂଖ୍ୟାରେ ଯୁବ ସୈନ୍ୟ ପ୍ରାଣ ହରାଇଛନ୍ତି । ଅନେକ ଆହତ ମଧ୍ୟ ହୋଇଛନ୍ତି ।

ଏଥିଯୋଗୁ ରୁଷ୍ ଜନସଂଖ୍ୟା ଦ୍ରୁତ ହ୍ରାସ ପାଇଛି । ରିପୋର୍ଟ ଅନୁସାରେ, ରୁଷ୍ ଜନସଂଖ୍ୟା ଗତ ସେପ୍ଟେମ୍ବର ୨୦୨୪ ମସିହାରେ ବିଗତ ୨୫ ବର୍ଷରେ ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଥିଲା । ଏହା ଦେଖି ସରକାର ଚିନ୍ତାରେ ପଡ଼ିଲେ । କ୍ରେମଲିନ୍‌ର ପ୍ରବକ୍ତା ଦିମିତ୍ରୀ ପେସକୋଭ ଜନସଂଖ୍ୟା ହ୍ରାସକୁ ବହୁତ ବଡ଼ ଚାଲେଞ୍ଜ୍ ବୋଲି କହିଛନ୍ତି । ସେଥିପାଇଁ ରୁଷ୍ ସରକାର ଅଫର୍ ଦେବା ଆରମ୍ଭ କରିଛନ୍ତି । ରିପୋର୍ଟ ଅନୁସାରେ, ପ୍ରଥମ ଓ ୨ୟ ସନ୍ତାନ ଜନ୍ମ ପାଇଁ କେନ୍ଦ୍ର ସରକାର ଟଙ୍କା ଦେବେ । ୩ୟ ଓ ୪ର୍ଥ ସନ୍ତାନ ପାଇଁ ଟଙ୍କା ରାଜ୍ୟ ସରକାର ଦେବେ । ସବୁଠୁ ବଡ଼ କଥା ହେଉଛି, ଏଥିପାଇଁ କୌଣସି ସର୍ତ୍ତ ରଖାଯାଇ ନାହିଁ । ଏହି ଅଫର କେବଳ ୧୮ରୁ ୨୩ ବର୍ଷୀୟା ଯୁବତୀଙ୍କ ପାଇଁ । ଏହା ଅନ୍ତର୍ଗତ ରୁଷ୍‌ର ରାଜଧାନୀ ମସ୍କୋରେ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଲୋକଙ୍କୁ ଏ ବିଷୟରେ ସୂଚନା ଦିଆଯାଉଛି । ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ୟେଭଗେନୀ ଶେଷ୍ଟୋପାଲୋଭ ପୂର୍ବରୁ ଲୋକଙ୍କୁ ଅଧିକ ସନ୍ତାନ ଜନ୍ମ ପାଇଁ ପରାମର୍ଶ ଦେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking