ନୂଆଦିଲ୍ଲୀ: ଆଫଗାନିସ୍ତାନ ବରମଲରେ ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍ । ଘନଘନ ରକେଟ୍ ମାଡ଼ରେ ଘାଇଲା ହୋଇଛି ଆଫଗାନ । ଏହି ବ୍ଲାଷ୍ଟରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ରହିଛନ୍ତି । ଗୋଟିଏ ପରିବାର ୫ଜଣ ପ୍ରାଣହରାଇଛନ୍ତି । ଆଫଗାନିସ୍ତାନର ଜଣେ ଅଧିକାରୀଙ୍କ ଅନୁଯାୟୀ, ଏୟାର ଷ୍ଟ୍ରାଇକରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । କାରଣ ହସ୍ପିଟାଲରେ ସଂକଟାପନ୍ନଙ୍କ ସଂଖ୍ୟା ଅଧିକ ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନ ଉପରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକରେ ଅନେକ ଗାଁକୁ ମଧ୍ୟ ଟାର୍ଗେଟ କରାଯାଇଛି । ମାତ୍ର ପାକିସ୍ତାନୀ ପକ୍ଷରୁ ଏୟାର ଷ୍ଟ୍ରାଇକକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ । ପାକିସ୍ତାନୀ ଏୟାର ଷ୍ଟ୍ରାଇକ୍ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଯଥେଷ୍ଟ ଦେଖିବାକୁ ମିଳିଛି । ପାକିସ୍ତାନ ଦ୍ୱାରା ହୋଇଥିବା ଏହି ଆକ୍ରମଣ ପରେ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛି । ତାଲିବାନ ଏକ ବିବୃତ୍ତି ଜାରି କରି କହିଛି ଯେ ଆଫଗାନିସ୍ତାନକୁ ତା’ର ଜମି ଏବଂ ସାର୍ବଭୌମତ୍ୱ ରକ୍ଷା କରିବାର ସମସ୍ତ ଅଧିକାର ରହିଛି । ଏହି ଆକ୍ରମଣକୁ ନିନ୍ଦା କରି ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ପାକିସ୍ତାନୀ ଯୁଦ୍ଧ ବିମାନ ଦ୍ୱାରା ଯେଉଁ ଅଞ୍ଚଳରେ ବୋମା ମାଡ଼ କରାଯାଇଛି, ସେହି ଅଞ୍ଚଳରେ ୱାଜିରିସ୍ତାନୀ ଶରଣାର୍ଥୀ କରୁଥିଲେ ।