27.1 C
Bhubaneswar
Thursday, March 26, 2026
Homeଓଡିଶାଗତ ନିର୍ବାଚନରେ ଭୋଟ ଅସଂଗତିର ତଥ୍ୟ ଦେଇ ନିର୍ବାଚନର ସ୍ଵଚ୍ଛତା ଉପରେ ପ୍ରଶ୍ନ କଲା ବିଜେଡି

ଗତ ନିର୍ବାଚନରେ ଭୋଟ ଅସଂଗତିର ତଥ୍ୟ ଦେଇ ନିର୍ବାଚନର ସ୍ଵଚ୍ଛତା ଉପରେ ପ୍ରଶ୍ନ କଲା ବିଜେଡି

ଭୁବନେଶ୍ୱର : ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଗତ କାଲି ଦେଶର ନିର୍ବାଚନ କମିସନରଙ୍କୁ ଭେଟି ଗତ ସାଧାରଣ ନିର୍ବାଚନରେ ଏକ ବଡ଼ ଧରଣର ଅସଙ୍ଗତି ଥିବା ଦର୍ଶାଇଥିବା ବେଳେ ଆଜି ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ମନ୍ତ୍ରୀ ତଥା ମୁଖପାତ୍ର ଶ୍ରୀ ଅରୁଣ କୁମାର ସାହୁ ଓ ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠି ନିର୍ବାଚନ ଶେଷ ହେବା ପରେ ପ୍ରଦାନ କରାଯାଇଥିବା ଭୋଟ ସଂଖ୍ୟା ଓ ଗଣତି ହୋଇଥିବା ଭୋଟ ସଂଖ୍ୟା ଭିତରେ ଥିବା ତାରତମ୍ୟ ସମଗ୍ର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କହିଛନ୍ତି। ଶ୍ରୀ ଅରୁଣ କୁମାର ସାହୁ କହିଥିଲେ, ଗତ ନିର୍ବାଚନର ଭୋଟ ଗଣତି ବେଳେ କିଛି ସ୍ଥାନରେ ଭୋଟ ଅସଙ୍ଗତି ଥିବାର ପ୍ରାକ ସୂଚନା ମିଳିଥିଲା। ବିଜୁ ଜନତା ଦଳ ତରଫରୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ତଥ୍ୟକୁ ତର୍ଜମା କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପରେ ନିର୍ବାଚନ ଅଧିକାରୀ ମାନଙ୍କୁ ସୂଚନା ଅଧିକାର ଆଇନ ଆଧାରରେ ଫର୍ମ ୧୭ ସି ର କପି ପାଇଁ ଆବେଦନ କରାଯାଇଥିଲା। ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଆଇନର ବ୍ୟବସ୍ଥା ଅନୁଯାୟୀ ଏହି ଫର୍ମ ପାଇବାକୁ ହକଦାର ହୋଇଥିଲା ବେଳେ ସାଧାରଣ ଜନତା ମଧ୍ୟ ସୂଚନା ଅଧିକାର ଆଇନ ମାଧ୍ୟମରେ ଏହାକୁ ପାଇପାରିବେ। କିନ୍ତୁ ଏହା ସତ୍ତ୍ଵେ, ରାଜ୍ୟର ନିର୍ବାଚନ ଅଧିକାରୀମାନେ ଏହାକୁ ପ୍ରଦାନ କରି ନଥିଲେ। ସୂଚନାଯୋଗ୍ୟ, ଭୋଟିଂ ଶେଷ ହେବା ପରେ ପ୍ରିଜାଇଡିଙ୍ଗ ଅଫିସର ଫର୍ମ ୧୭ସି ମାଧ୍ୟମରେ ସେହି ବୁଥରେ ପଡ଼ିଥିବା ଭୋଟ ସଂଖ୍ୟାକୁ ଉଲ୍ଲେଖ କରିଥାନ୍ତି। ଏଥିରେ ପ୍ରଦାନ କରାଯାଉଥିବା ଭୋଟ ଠାରୁ ଗଣତି ହେଉଥିବା ଭୋଟ ସଂଖ୍ୟା ଅଧିକ ବାହାରୁ ଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ତେଣୁ ରାଜ୍ୟର ନିର୍ବାଚନ ଅଧିକାରୀ ମାନେ ଫର୍ମ ୧୭ସି ର କପି ପ୍ରଦାନ ନକରିବା, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା କଥାକୁ ଘୋଡାଇବାକୁ ଉଦ୍ୟମ କରୁଥିବା ପରି ମନେ ହେଉଛି। ସମ୍ଭବତଃ ସେମାନେ ରାଜ୍ୟ ସରକାରଙ୍କ ଚାପରେ ଏପରି କରୁଛନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ। ଏହି ଆଧାରରେ, ଏକ ଦାୟିତ୍ଵସଂପୂର୍ଣ୍ଣ ଦଳ ଭାବେ ବିଜେଡିର ପ୍ରତିନିଧି ମଣ୍ଡଳୀ ନିଜର ଅନୁସନ୍ଧାନ ମାଧ୍ୟମରେ ପାଇଥିବା ତଥ୍ୟ କିପରି ଭୋଟରେ ଅସଙ୍ଗତିକୁ ପ୍ରମାଣିତ କରୁଛି ତାହା ଦେଶର ନିର୍ବାଚନ କମିସନରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହିତ ନିର୍ବାଚନରେ ସ୍ଵଚ୍ଛତା, ବୈଧତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରଶ୍ନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଠାଯାଇଛି ବୋଲି ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଓ ଏହାର ସ୍ପଷ୍ଟୀକରଣ ମଗା ଯାଇଥିଲା। ଏହି ଭୋଟ ଅସଙ୍ଗତି ପାଇଁ ବିଜେଡି ପକ୍ଷରୁ କାହାକୁ ଦାୟୀ କରାଯାଇ ନଥିଲେ ମଧ୍ୟ ବିଜେପି ଚିହିଁକି ଉଠି ତାର ପ୍ରତିକ୍ରିୟା ରଖିଛି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ।

 

ବିଜେପିର ପ୍ରତିକ୍ରିୟା, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ ସଦୃଶ୍ୟ ହୋଇଛି। ପୂର୍ବରୁ, ନିର୍ବାଚନ ଅଧିକାରୀ ମାନେ ଫର୍ମ ୧୭ସି ପ୍ରଦାନ ନକରିବା ଓ ଏବେ ବିଜେପି ପ୍ରତିକ୍ରିୟା ଦେବା ବିଜେପି ଭୋଟ ଜାଲିଆତିରେ ସମ୍ପୃକ୍ତ ଅଛି ବୋଲି ସ୍ପଷ୍ଟ ହେଉଛି ବୋଲି ଶ୍ରୀ ସାହୁ କହିଥିଲେ। ଶ୍ରୀମତୀ ଶର୍ମିଷ୍ଠା ସେଠି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭୋଟ ଅସଙ୍ଗତି ଉପରେ ତଥ୍ୟ ପ୍ରଦାନ କରି କହିଥିଲେ, ସାଧାରଣତଃ, ସନ୍ଧ୍ୟା ୫ଟା ରେ ନିର୍ବାଚନ ଶେଷ ହେବା ସମୟରେ ପ୍ରଦାନ କରାଯାଇଥିବା ଭୋଟ ପ୍ରତିଶତକୁ ସେହିଦିନ ରାତି ୧୧.୪୫ ମିନିଟ ସମୟରେ ଏହାକୁ ନିର୍ବାଚନ କମିସନରଙ୍କ ୱେବ ସାଇଟରେ ଆଉଥରେ ଅପଡେଟ କରା ଯାଇଥାଏ। ବିଗତ ବର୍ଷ ମାନଙ୍କରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଗୁଡିକରେ ଭୋଟିଂ ସମୟ ଶେଷ ହେବା ବେଳର ତଥ୍ୟ ଓ ଭୋଟ ଶେଷ ହେବା ପରର ତଥ୍ୟ ଭିତରେ ଅତି ବେଶିରେ ୦. ୫ ପ୍ରତିଶତରୁ ଦୁଇ ପ୍ରତିଶତ ବ୍ୟବଧାନ ରହିଥାଏ। କିନ୍ତୁ, ୨୦୨୪ ନିର୍ବାଚନରେ ଏହି ବ୍ୟବଧାନ ୩ ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ବାଚିତ ହୋଇଥିବା କେଉଁଝର ସଦର ନିର୍ବାଚନ ମଣ୍ଡଳୀରେ ଏହି ବ୍ୟବଧାନ ରାଜ୍ୟରେ ସର୍ବାଧିକ ୩୦.୬୪ ପ୍ରତିଶତ ରହିଛି। ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏହି ବ୍ୟବଧାନ ୨୮.୬୯ ପ୍ରତିଶତ ରହିଛି। ରାଜ୍ୟର ପ୍ରାୟ ୩୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ବ୍ୟବଧାନ ୧୫ ରୁ ୨୦ ପ୍ରତିଶତ ମଧ୍ୟରେ ରହିଛି ଓ ୧୦ଟି ବିଧାନସଭା ଆସନରେ ଏହି ବ୍ୟବଧାନ ୨୦ ରୁ ୨୫ ପ୍ରତିଶତ ଭିତରେ ରହିଛି। ଏହା ଛଡା ରାତି ୧୧.୪୫ ମିନିଟରେ ପ୍ରଦାନ କରା ଯାଇଥିବା ଭୋଟ ପ୍ରତିଶତ ପୁଣି ଥରେ ଦୁଇ ଦିନ ପରେ, ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି। ଓଡ଼ିଶାରେ ହୋଇଥିବା ନିର୍ବାଚନରେ ଭୋଟିଂ ସମୟ ଶେଷ ହେବାପରେ ଦିଆଯାଇଥିବା ତଥ୍ୟ, ଭୋଟ ଶେଷ ହେବା ପରେ ଦିଆ ଯାଇଥିବା ତଥ୍ୟ ଓ ଗଣତି ହୋଇଥିବା ମଧ୍ୟରେ ପ୍ରାୟ ୧୫ ରୁ ୩୦ ପ୍ରତିଶତ ବ୍ୟବଧାନ ରହିଛି ଯାହା ନିର୍ବାଚନର ସ୍ଵଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି ବୋଲି ଶ୍ରୀମତୀ ସେଠି କହିଥିଲେ।

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking