ଭୁବନେଶ୍ୱର : ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମରେ ଗତ ୫ବର୍ଷ ମଧ୍ୟରେ ଝାରସୁଗୁଡା ଜିଲ୍ଲାର ୧୨୨୦ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୩୦ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ୪୨୮୨ ଜଣ ଯୁବକ ଯୁବତୀ ଦକ୍ଷତା ତାଲିମ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଝାରସୁଗୁଡା ଜିଲ୍ଲାରୁ ମୋଟ୍ ୬ଟି ବ୍ୟାଚରେ ୫୦ଜଣ ଯୁବକ ଯୁବତୀ ତାଲିମ ପାଇଛନ୍ତି । ଦକ୍ଷତା ତାଲିମ ପାଇବାପରେ ୪ଟି ବ୍ୟାଚରୁ ୪୧ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଅବଶିଷ୍ଟ ୯ଜଣ ପଞ୍ଚମ ଓ ଷଷ୍ଠ ବ୍ୟାଚ୍ରେ ତାଲିମ ନେଉଛନ୍ତି ।
ଉତ୍ତୀର୍ଣ୍ଣ ହୋଇଥିବା ୪୧ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨୪ଜଣ ବିଭନ୍ନ କମ୍ପାନୀ ଯଥା ଟାଟା ଷ୍ଟିଲ, ଜନସନ୍ ଲିଫ୍ଟ, ଜିନ୍ଦଲ ପଲିଫିଲ୍ମସ୍, ମେଗାଭି ୱେଲନେସ୍ ଓ ଭିଏଲସିସିରେ ନିଯୁକ୍ତି ପାଇଛନ୍ତି । ସେହିଭଳି ରାଜ୍ୟ ସରକାର ୨୦୨୩-୨୪ ମସିହାରେ ନୂଆ ଓଡିଶା ନାମର ପ୍ରଣୟନ କରିଥିବା ଯୋଜନାରେ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାଗୁଡିକ ସହାୟତାରେ ତାଲିମ ପ୍ରଦାନ କରୁଥିବାବେ ସେଥିରେ ଝାରଗୁଡା ଜିଲ୍ଲାର ୧୯୦ ଜଣ ଯୁବକ ଯୁବତୀ ତାଲିମ ଗ୍ରହଣ କରିଛନ୍ତି ।