ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଅପରାହ୍ନ ୫ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୭ ତାରିଖ ଯାଏ ସେ ଓଡ଼ିଶାରେ ରହିବେ । ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ ସମୁଦ୍ର ବେଳାଭୂମିରେ ହେବାକୁ ଥିବା ଭାରତୀୟ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଜଧାନୀରେ ଓୟୁଏଟିର ସମାବର୍ତ୍ତନ ଉତ୍ସବ, ନୂଆ ଜୁଡିସିଆଲ୍ କମ୍ପେ୍ଲକ୍ସର ଉଦ୍ଘାଟନୀ କାର୍ଯ୍ୟକ୍ରମ ସହିତ ରାଜଧାନୀ ଓ ମୟୂରଭଞ୍ଜର ଏକାଧିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି ରାଜଧାନୀର ନୀଳାଦ୍ରିବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରିବେ । ସେଠାରେ ଥିବା ଆଦିବାସୀଙ୍କ ଇଷ୍ଟଦେବ ମାରାଂ ବୁରୁଙ୍କ ସ୍ଥାନ ‘ଆଦିମ ଓୱାର ଜାର୍ପା ଜାହେର’ ପରିଦର୍ଶନ କରିବେ । ୪ ତାରିଖରେ ସେ ପୁରୀ ଯାଇ ଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିରେ ଆୟୋଜିତ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ । ନୌସେନା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦେଖିବାକୁ ସମସ୍ତ ବିଧାୟକ ପୁରୀ ଯିବେ । ଏକ ସ୍ୱତନ୍ତ୍ର ବସ୍ରେ ସମସ୍ତଙ୍କୁ ପୁରୀ ନିଆଯିବ । ପୁରୀରେ ନୌସେନା ସମରାଭ୍ୟାସ ଦେଖିବା ପରେ ସେମାନଙ୍କୁ କୋଣାର୍କ ନୃତ୍ୟ ମହୋତ୍ସବକୁ ନିଆଯିବ । ଏହାକୁ ଦେଖବା ପରେ ସମସ୍ତେ ରାଜଧାନୀ ଫେରିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ଗୃହରେ ସୂଚନା ଦେଇଛନ୍ତି । ୫ ତାରିଖରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେଦିନ ଭୁବନେଶ୍ୱର କୋର୍ଟ ପାଖରେ ଥିବା ଜୁଡିସିଆଲ୍ କମ୍ପେ୍ଲକ୍ସକୁ ସେ ଉଦ୍ଘାଟନ କରିବେ । ୬ ତାରିଖରେ ରାଷ୍ଟ୍ରପତି ମୟୂରଭଞ୍ଜ ଉପରବେଡ଼ାଠାରେ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ମତବିନିମୟ କରିବେ ।