29.1 C
Bhubaneswar
Sunday, February 8, 2026
Homeଖେଳଅଣ୍ଡର-୧୯ ଏସିଆ କପ୍‌; ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠୁ ହାରିଲା ଭାରତ

ଅଣ୍ଡର-୧୯ ଏସିଆ କପ୍‌; ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠୁ ହାରିଲା ଭାରତ

ଦୁବାଇ: ଏଠାରେ ଆୟୋଜିତ ଅଣ୍ଡର-୧୯ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ୪୩ ରନ୍‌ରେ ପରାଜିତ ହୋଇଛି। ଶନିବାର ଦୁବାଇ ଇଣ୍ଟରନାସ୍‌ନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ୭ ୱିକେଟ୍ ବିନିମୟରେ ୨୮୧ ରନ୍ କରିଥିଲା। ଜବାବରେ ଭାରତ ୪୭.୧ତମ ଓଭର୍‌ରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୩୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ଗ୍ରୁପ୍‌-ବି’ର ପରବର୍ତ୍ତୀ ମ୍ୟାଚ୍‌ରେ ସୋମବାର ଜାପାନକୁ ଭେଟିବ। ଲକ୍ଷ୍ୟର ପିଛା କରୁଥିବା ଭାରତ ପ୍ରଥମରୁ ହିଁ ୱିକେଟ୍ ହରାଇଥିଲା। ଓପ୍ନର୍ ବୈଭବ ସୂର୍ଯ୍ୟବଂଶୀ ଚତୁର୍ଥ ଓଭର୍‌ରେ ମାତ୍ର ଏକ ରନ୍ କରି ଅଲୀ ରଜାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଅନ୍ୟତମ ଓପ୍ନର୍ ଆୟୁଷ ମାହାତ୍ରେ ମଧ୍ୟ ଖାସ୍ କିଛି କରିପାରି ନଥିଲେ ଏବଂ ୨୦ ରନ୍‌ରେ ଅବ୍‌ଦୁଲ୍ ସୁଭାନ୍‌ଙ୍କ ଶିକାର ହୋଇଥିଲେ। ଭାରତୀୟ ଟିମ୍‌ର ୱିକେଟ୍ ପତନ କ୍ରମ ଲଗାତାର ଜାରୀ ରହିଥିବା ବେଳେ ନିଖିଲ କୁମାର କିଛିଟା ସଂଘର୍ଷ କରିଥଲେ। ସେ ୭୭ ବଲ୍‌ରେ ୬ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୬୦ ରନ୍ କରିଥିଲେ। ନିମ୍ନକ୍ରମ ବ୍ୟାଟର୍‌ଙ୍କ ମଧ୍ୟରେ ମହମ୍ମଦ ଏନାନ୍ ୩୦ ରନ୍‌ର ଯୋଗଦାନ କରିଥିଲେ। ପାକିସ୍ତାନ ପକ୍ଷରୁ ଅଲୀ ରଜା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅବ୍‌ଦୁଲ ସୁଭାନ୍ ଓ ଫରହାନ୍ ଉଲ୍ ହକ୍‌ଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା। ମ୍ୟାଚ୍‌ରେ ପାକିସ୍ତାନ କ୍ୟାପ୍‌ଟେନ୍ ସାଦ୍ ବେଗ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ଠିକ୍ ସାବ୍ୟସ୍ତ ହୋଇଥିଲା ଏବଂ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍ ହରାଇ ୨୮୨ ରନ୍ କରିଥିଲା। ଶାହଜେବ୍ ଖାନ୍ ସର୍ବାଧିକ ୧୫୯ ରନ୍‌ର ଇନିଂସ୍ ଖେଳିଥିଲେ। ଏଥିରେ ତାଙ୍କର ୧୦ ଛକା ଓ ପାଞ୍ଚ ଚୌକା ସାମିଲ ଥିଲା। ଉସ୍‌ମାନ୍ ଖାନ୍ ୬ ଚୌକା ସହାୟତାରେ ୯୪ ବଲ୍‌ରୁ ୬୦ ରନ୍ କରିଥିଲେ। ଉସ୍‌ମାନ୍ ଖାନ୍ ଓ ଶାହେଜବ୍ ଖାନ୍‌ଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୧୬୦ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ମହମ୍ମଦ ରିୟାଜୁଲ୍ଲାହ ମଧ୍ୟ ୨୬ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ। ଭାରତ ପକ୍ଷରୁ ଫାଷ୍ଟ୍ ବୋଲର୍ ସମର୍ଥ ନାଗରାଜ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଆୟୁଷ ମାହାତ୍ରେଙ୍କୁ ଦୁଇଟି ସଫଳତା ମିଳିଥିଲା। ଏହା ବ୍ୟତୀତ ୟୁଦ୍ଧଜିତ୍ ଗୁହା ଓ କିରଣ ଚୋରମଲେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking