18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶମହାରାଷ୍ଟ୍ର ନୂଆ ସରକାର ପାଇଁ କାର୍ଯ୍ୟସୂଚୀ ଚୂଡାନ୍ତ; ୫ରେ ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ନୂଆ ସରକାର ପାଇଁ କାର୍ଯ୍ୟସୂଚୀ ଚୂଡାନ୍ତ; ୫ରେ ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଡିସେମ୍ବର ୫ରେ ଶପଥ ନେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ତେବେ ଏହା ପୂର୍ବରୁ ଆସନ୍ତା ୨ ତାରିଖରେ ବିଧାୟକ ଦଳ ବୈଠକ ବସିବ। ଏଥିରେ ପାର୍ଟି ମୁଖିଆ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ। ଏହାପରେ ୫ରେ ମୁମ୍ବାଇର ଆଜାଦ ମୈଦାନରେ ଶପଥ ସମାରୋହ ଅନୁଷ୍ଠିତ ହେବ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ଏଯାଏଁ ସସ୍‌ପେନ୍ସ ଜାରି ରହିଛି। ବିଜେପି ପୁଣିଥରେ ଦେବେନ୍ଦ୍ର ଫଡନଭୀସଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଆଉ ଜଣେ ନେତାଙ୍କ ନାମ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ହୋଇଛି। ସେ ହେଉଛି କେନ୍ଦ୍ରମନ୍ତ୍ରୀ ମୁରଲୀଧର ମୋହୋଲ। ବହୁ ସଂଖ୍ୟକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପୋଷ୍ଟ ଏବଂ ଟ୍ୱିଟ୍ ଅନୁସାରେ ମୁରଲୀଧର ମୋହୋଲ ସିଧାସଳଖ ସାଂସଦ ପଦରୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ମୁରଲିଧର ମୋହୋଲ ନିଜେ ଏହି ଖବରକୁ ଅସ୍ୱୀକାର କରିଛନ୍ତି। ମୁରଲୀଧର କହିଛନ୍ତି, ‘ଆମର ନେତା ହେଉଛନ୍ତି ଦେବେନ୍ଦ୍ର ଫଡନ୍‌ଭୀସ୍‌। ଆମ ଦଳର ନିଷ୍ପତ୍ତି ସୋସିଆଲ ମିଡିଆ ମାଧ୍ୟମରେ ନୁହେଁ, ବରଂ ସଂସଦୀୟ ବୋର୍ଡରେ ସହମତି ଅନୁଯାୟୀ ନିଆଯବ। ତେଣୁ ସୋସିଆଲ ମିଡିଆରେ ମୋ ନାମ ବିଷୟରେ ଆଲୋଚନା କରିବା ଅର୍ଥହୀନ।’ ପ୍ରକାଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦୌଡରେ ଏକନାଥ ଶିନ୍ଦେ, ଅଜିତ୍ ପୱାର ଏବଂ ଦେବେନ୍ଦ୍ର ଫଡନଭୀସଙ୍କ ନାମ ସର୍ବାଗ୍ରେ ରହିଥିବା ବେଳେ ସମୟକ୍ରମେ ଅଜିତ୍ ଏବଂ ଶିନ୍ଦେ ମୁଖ୍ୟମନ୍ତ୍ରୀ ଦୌଡରୁ ବାଧ୍ୟବାଧକତାରେ ଓହରିଯାଇଛନ୍ତି। ଗତ ଗୁରୁବାର ମହାୟୁତି ମେଣ୍ଟର ସଦସ୍ୟ ଦଳର ପ୍ରମୁଖ ନେତା ବିଜେପିର ଦେବେନ୍ଦ୍ର ଫଡନଭୀସ୍‌, ଶିବସେନାର ଏକନାଥ ଶିନ୍ଦେ ଏବଂ ଏନ୍‌ସିପିର ଅଜିତ ପୱାର ଦିଲ୍ଲୀରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିବା ପରେ ମୁମ୍ବାଇ ଫେରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ବଣ୍ଟନ ନେଇ ଆଲୋଚନା ହୋଇଥିଲା। ଏହାପରେ ମୁମ୍ବାଇରେ ଶୁକ୍ରବାର ବିଧାୟକ ଦଳ ବୈଠକ ବସିବାର ଥିଲା। ମାତ୍ର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗାଁକୁ ଚାଲିଯିବାରୁ ବୈଠକ ବାତିଲ ହୋଇଯାଇଥିଲା। ସେବେଠାରୁ ନୂଆ ସରକାରରେ ଦେବେନ୍ଦ୍ର ଫଡନଭୀସ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ଶିନ୍ଦେ ଅପସେଟ୍ ଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ଗାଁକୁ ଚାଲି ଯାଇଥିବା କୁହାଯାଉଥିଲା। ମାତ୍ର ଦଳ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସୋମବାର ବିଧାୟକ ଦଳ ବୈଠକରେ ସେ ଯୋଗଦେବେ। ଯଦି ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ନ ପାରିଲେ, ତେବେ ଭିଡିଓ କନଫେରେନ୍ସିଂ ଜରିଆରେ ଯୋଗଦେବେ ବୋଲି ଶିବସେନା ପକ୍ଷରୁ କୁହାଯାଉଛି। ଏସବୁ ମଧ୍ୟରେ ନିଜ ଗାଁ ସତ୍ତାରା ଯାଇଥିବା ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡିଥିବା ସୂଚନା ମିଳିଛି। ତାଙ୍କୁ ଚିକିତ୍ସା କରିବା ପାଇଁ ଏକ ଅଭିଜ୍ଞ ଡାକ୍ତରୀ ଦଳ ସତ୍ତାରା ଅଭିମୁଖେ ଯାଇଛନ୍ତି। କୁହାଯାଉଛି ଯେ ଶିନ୍ଦେ ଏବେ ଗୁରୁତର ଭାବେ ଜ୍ୱରରେ ପୀଡିତ ଅଛନ୍ତି। ଡାକ୍ତର ତାଙ୍କର ପରୀକ୍ଷା କରୁଛନ୍ତି। ମୁମ୍ବାଇରୁ ଗାଁରେ ପହଞ୍ଚିଥିବା ଡାକ୍ତରୀ ଟିମ୍ ତାଙ୍କୁ ପରୀକ୍ଷା କରି ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି। କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ସିନ୍ଦେ ଏହି ଠାରୁ ଏକ ବଡ ଖେଳିବେ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking