ମସ୍କୋ: ୟୁକ୍ରେନ ଉପରେ ବଡ଼ଧରଣର ପାଲଟା ଆକ୍ରମଣ କରିଛି ରୁଷ। ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ୍ କରି ରୁଷ୍ ସେନା ପ୍ରାୟ ୯୦ଟି ମିସାଇଲ ଓ ୧୦୦ଟି ଡ୍ରୋନ୍ ମାଡ଼ କରିଛି। ଏଥିଯୋଗୁ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରିପୋର୍ଟ ଅନୁସାରେ ୟୁକ୍ରେନ୍ର ଶକ୍ତି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ୧୦ ଲକ୍ଷରୁ ଅଧିକ ୟୁକ୍ରେନବାସୀ ଏବେ ବିନା ବିଜୁଳିରେ ରହିବାକୁ ବାଧ୍ୟ ହୋଇପଡିଛନ୍ତି। ଶୀତ ହେଉଥିବା ବେଳେ ବିଜୁଳଟି କାଟ୍ ୟୁକ୍ରେନବାସୀଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ଚଳିତ ବର୍ଷ ରୁଷ୍ ୧୧ ତମ ଥର ପାଇଁ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ଏଥିଯୋଗୁ ଅଧାରୁ ଅଧିକ ୟୁକ୍ରେନ ଅଞ୍ଚଳ (୨୧୫,୦୦୦ ଘର ଏବେ ଅସ୍ଥାୟୀ ରୂପେ ବିନା ଆଲୁଆରେ ରହିଛନ୍ତି) ଅନ୍ଧାରରେ ରହିଛି।
ରୁଷ୍ର ଏପ୍ରକାର ଆକ୍ରମଣ ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଅଫିସର ମୁଖ୍ୟ ଆଣ୍ଡ୍ରି ୟେରମାକ କହିଛନ୍ତି, “ରୁଷ୍ ଏବେ ଶୀତକୁ ଅସ୍ତ୍ର କରିଛି। ଭୟଙ୍କର ଶୀତ ପଡ଼ିବା ପୂର୍ବରୁ ରୁଷ ଆକାଶ ପଥରୁ ଆକ୍ରମଣ କରିଛି। ରୁଷକୁ ଏଥିରେ ଉତ୍ତର କୋରିଆ ଭଳି ଦେଶ ସହଯୋଗ କରୁଛନ୍ତି।” ପ୍ରକାଶ, ରୁଷ୍ର ଏହି ଆକ୍ରମଣରେ ୟୁକ୍ରେନ୍ରେ ହୋଇଥିବା ସଠିକ୍ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନଥିଲେ ମଧ୍ୟ ଏଥିରେ ଶକ୍ତିକ୍ଷେତ୍ର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସେହିପରି ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ଭିନ୍ନଟସିଆରେ ଜଣେ, ଓଡେସାରେ ୨ ଜଣ ଓ କିଭରେ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୯ ଘଣ୍ଟା ଧରି ଏୟାର ରେଡ୍ ସାଇରନ୍ ଯୋଗୁ ଲୋକମାନେ ବଙ୍କରରେ ରହିବାକୁ ବାଧ୍ୟ ହୋଇଛନ୍ତି। ତେବେ ୟୁୂକ୍ରେନ୍ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ବ୍ୟାକଅପ୍ ପାୱାର ସପ୍ଲାଏ ପାଇଁ ଲାଗିଥିବା ସୂଚନା ମିଳିଛି।










