24.1 C
Bhubaneswar
Monday, February 23, 2026
Homeଓଡିଶାଅବପାତରେ ପରିଣତ ହେଲା ଲଘୁଚାପ, ୪ ଦିନ ବର୍ଷିବ

ଅବପାତରେ ପରିଣତ ହେଲା ଲଘୁଚାପ, ୪ ଦିନ ବର୍ଷିବ

ଭୁବନେଶ୍ୱର: ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ। ବର୍ତ୍ତମାନ ଅବପାତଟି ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଓ ତତ୍‌ସଲଗ୍ନ ପୂର୍ବ କେନ୍ଦ୍ରୀୟ ଭାରତ ମହାସାଗରରେ ରହିଛି। ଏହା ଘଣ୍ଟାପ୍ରତି ୩୦ କିମି ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ। ପରେ ୨ ଦିନ ମଧ୍ୟରେ ଏହା ଉତ୍ତର ଉତ୍ତର-ପଶ୍ଚିମ ଶ୍ରୀଲଙ୍କା- ତାମିଲନାଡୁ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡିବାକୁ ନଥିବା ବେଳେ ୨୭ ତାରିଖରୁ ୪ ଦିନ ରାଜ୍ୟରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ,୨୫ ଓ ୨୬ ତାରିଖରେ ଓଡ଼ିଶାରେ ପାଗ ମେଘୁଆ ରହିବ। ୨୮ ତାରିଖରେ ୪ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଇପାରେ। ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର ଓ ଜଗତସିଂପୁର। ୨୯ ତାରିଖରେ ଗଞ୍ଜାମ ଓ ଗଜପତିରେ ବର୍ଷା ରହିବ। ସେହିପରି ୩୦ରେ ୩ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି ଓ ରାୟଗଡାରେ ବର୍ଷା ସମ୍ଭାବନା ରହିଛି। ଏହାସହ ଡିସେମ୍ବର ପହିଲାରୁ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୩ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମୁଖ୍ୟତଃ ସୁଖିଲା ରହିବ। ମାତ୍ର ଉପକୂଳ ଓଡିଶାରେ ବର୍ଷା ହେବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଆଗାମୀ ୨ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ସେହିପରି କିଛି ଜିଲ୍ଲାରେ କୁହୁଡ଼ି ଦୃଶ୍ୟମାନ ହେବ। ଆଗାମୀ ୨ ଦିନ ଯାଏଁ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ ରେକର୍ଡ଼ କରାଯାଇଛି। ସେହିପରି ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ସର୍ବନିମ୍ନ ୮.୨ ତାପମାତ୍ରା ରେକର୍ଡ ହୋଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ତାପପାତ୍ରା ୩୧.୮ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୧.୧ ଡିଗ୍ରୀ ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ତାପମାତ୍ରା ୨୭.୫ ଡିଗ୍ରୀ ରେକର୍ଡ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking