ମୁମ୍ବାଇ: ଆଜି ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। କିନ୍ତୁ ସୋମବାର ରିପୋର୍ଟ ଲେଖାହେବା ସୁଦ୍ଧା କିଏ ମୁଖ୍ୟମନ୍ତ୍ରୀ ଆସନରେ ଅଭିସିକ୍ତ ହେବେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଏସବୁ ମଧ୍ୟରେ ଏନ୍ସିପି (ଅଜିତ୍ ପୱାରୀ ଗୋଷ୍ଠୀ) ମୁଖ୍ୟ ଅଜିତ୍ ପୱାର, ନିଜେ ନିଜ ଆଡୁ ମୁଖ୍ୟମନ୍ତ୍ରୀ ରେସ୍ରୁ ଓହରିଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷା ରଖିବା ପୂର୍ବକ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚୁପ୍ ରହିଥିବା ଅଜିତ୍ ପୱାର ଶେଷରେ ବିଜେପି ନେତା ଦେବେନ୍ଦ୍ର ଫଡନଭୀସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ ଜଣାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ରେସ୍ରେ ଥିବା ଅନ୍ୟତମ ନେତା ଶିବସେନା (ଶିନ୍ଦେ ଗୋଷ୍ଠୀ)ର ମୁଖ୍ୟ ଏକନାଥ ଶିନ୍ଦେ କିନ୍ତୁ ଏପର୍ଯ୍ୟନ୍ତ କିଛି ବି ସୂଚନା କିମ୍ବା ଇଙ୍ଗିତ ଦେଇନାହାନ୍ତି। ଏସବୁ ମଧ୍ୟରେ ଦିଲ୍ଲୀ ଅଭିମୁଖେ ଦେବେନ୍ଦ୍ର ଫଡନଭୀସ, ଅଜିତ ପୱାର ଓ ଏକନାଥ ସିନ୍ଦେ ଗସ୍ତ କରିଥିବା ଜଣାପଡିଛି। ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ବିଧାନସଭା ନିର୍ବାଚନରେ ବିଜେପି ଏକା ୧୩୨ ଆସନରେ ଜିତି ବଡ଼ ଦଳ ଭାବେ ଉଭା ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ରେସ୍ରେ ଦେବେନ୍ଦ୍ର ଫଡନଭୀସ ଆଗରେ ଅଛନ୍ତି ବୋଲି କୁହାଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଦାବି କରିଛି ସିନ୍ଦେ ଶିବ ସେନା ଗୋଷ୍ଠୀ। ଏହି ଫର୍ମୁଲା ଅନୁଯାୟୀ, ଅଢ଼େଇ ବର୍ଷ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ବୈଠକ ବେଳେ ଏକନାଥ ସିନ୍ଦେ ଏହି ଫର୍ମୁଲା ଉପରେ ଜୋର ଦେଇ ପାରନ୍ତି। ତେବେ ବିଜେପି ହାଇକମାଣ୍ଡଙ୍କ ସହ ବୈଠକ ପରେ ଚୂଡାନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ଜଣାପଡିଛି।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ମହାରାଷ୍ଟ୍ରରେ ପୁରୁଣା ଫର୍ମୁଲାରେ ସରକାର ଚାଲିବ ବୋଲି କୁହାଯାଉଛି। ମହାୟୁତିରେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ୨ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ। ଏହା ଉପରେ ଆଜିର ବୈଠକରେ ମୋହର ବାଜିବ ବୋଲି କୁହାଯାଉଛି। ଦେବେନ୍ଦ୍ର ଫଡାନଭୀସ ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ପ୍ରକାର ନିଶ୍ଚିତ ହୋଇସାରିଥିବା କୁହାଯାଉଛି। ଫଡନଭୀସଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅଜିତ ପୱାର ଗୋଷ୍ଠୀ ପକ୍ଷରୁ କୌଣସି ଆପତ୍ତି ନାହିଁ। ଯଦି ଫଡନଭୀସ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଏକନାଥ ସିନ୍ଦେ ଏବଂ ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସେହିପରି ମହାୟୁତି ମେଣ୍ଟରେ ପ୍ରତି ୬-୭ ବିଧାୟକରେ ଜଣେ ଲେଖାଏଁ ମନ୍ତ୍ରୀ ହେବା ଫର୍ମୁଲା ଚୂଡ଼ାନ୍ତ ହୋଇଛି। ସେହି ହିସାବରେ ବିଜେପିରୁ ୨୨ରୁ ୨୪, ସିନ୍ଦେ ଗୋଷ୍ଠୀରୁ ୧୦ରୁ ୧୨ ଏବଂ ଅଜିତ୍ ଗୋଷ୍ଠୀରୁ ୮-୧୦ ମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଶପଥ ଗ୍ରହଣ ସମାରୋହ ହେବ। ସୂଚନାଯୋଗ୍ୟ, ଶିବସେନା(ଏସଏଚଏସ) ୫୭, ଅଜିତ ପାୱାରଙ୍କ ଏନ୍ସିପି ୪୧ଟି ଲେଖାଏ ଆସନ ଜିତିଛନ୍ତି।










