29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶବିଶ୍ୱର କୌଣସି ଶକ୍ତି ଧାରା ୩୭୦କୁ ଫେରେଇ ଆଣିପାରିବନି : ମୋଦୀ

ବିଶ୍ୱର କୌଣସି ଶକ୍ତି ଧାରା ୩୭୦କୁ ଫେରେଇ ଆଣିପାରିବନି : ମୋଦୀ

ମୁମ୍ବାଇ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କହିଛନ୍ତି, ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ସମେତ ଅନ୍ୟ କେତେକ ରାଜ୍ୟର ବିଧାନସଭା ତଥା ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ବିଧାନସଭା ସହ ଅଧିକାଂଶ ଉପନିର୍ବାଚନରେ ବିଜେପି ବିଜୟୀ ହୋଇଛି। ଏହା ବିଜେପି ଉପରେ ଦେଶବାସୀଙ୍କ ଅତୁଟ ବିଶ୍ୱାସ ଓ ଆସ୍ଥା ଯୋଗୁ ସମ୍ଭବ ହୋଇପାରିଛି। ବିଜେପି ତଥା ଏନ୍‌ଡିଏ କର୍ମୀ, ନେତାମାନଙ୍କ ପରିଶ୍ରମ ବଳରେ ଏନ୍‌ଡିଏକୁ ଜନାଦେଶ ମିଳିଛି। ମହାରାଷ୍ଟ୍ର ନିର୍ବାଚନରେ ଏନ୍‌ଡିଏ କର୍ମୀଙ୍କ କଠିନ ପରିଶ୍ରମକୁ ମଧ୍ୟ ମୋଦୀ ପ୍ରଶଂସା କରିଛନ୍ତି।

ମହାରାଷ୍ଟ୍ରରେ ବିଜେପିର ବିପୁଳ ବିଜୟ ପରେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବିଜୟ ସମାରୋହରେ ସାମିଲ ହେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ କାଶ୍ମୀରରେ ପୁଣି ଧାରା ୩୭୦ର ପ୍ରାଚୀର ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି। କିନ୍ତୁ ଏହା କେବେବି ସମ୍ଭବ ନୁହେଁ। ବିଶ୍ୱର କୌଣସି ଶକ୍ତି ଜମ୍ମୁ କାଶ୍ମୀରରେ ଧାରା ୩୭୦କୁ ପୁନଃ ଫେରାଇ ଆଣିପାରିବ ନାହିଁ। ମୋଦୀଙ୍କ କହିବାନୁସାରେ କଂଗ୍ରେସର ମିଥ୍ୟା ପ୍ରତିଶ୍ରୁତି କିମ୍ବା ଏହାର ବିପଜ୍ଜନକ ଏଜେଣ୍ଡା କାମ କରିବ ନାହିଁ। ମହାରାଷ୍ଟ୍ରର ଜନାଦେଶ ହେଉଛି ଆଉ ଏକ ବାର୍ତ୍ତା ଯେ ସମଗ୍ର ଦେଶରେ କେବଳ ଗୋଟିଏ ସମ୍ବିଧାନ ବଳବତ୍ତର ରହିବ। ଏହା ହେବ ଭାରତର ସମ୍ବିଧାନ। ଯିଏ ଦୁଇଟି ସମ୍ବିଧାନ କଥା କହୁଛି, ସେ ପରଦା ସାମ୍ନାରେ ହେଉ କି ପରଦା ପଛରେ, ତାକୁ ଦେଶ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିବ। ଗତ ୫୦ ବର୍ଷରେ ମହାରାଷ୍ଟ୍ରରେ ଯେକୌଣସି ମେଣ୍ଟ ପାଇଁ ଏହା ସବୁଠାରୁ ବଡ଼ ବିଜୟ।

ମୋଦୀ କହିଛନ୍ତି ଯେ, ମହାରାଷ୍ଟ୍ରରେ ମିଛ, ଛଳନା ଓ ବିଶ୍ୱାସଘାତକତାର ପରାଜୟ ହୋଇଛି। କିଛି ଲୋକ ପ୍ରତାରଣା ମାଧ୍ୟମରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମହାରାଷ୍ଟ୍ରର ଲୋକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ସୁଯୋଗ ମିଳିବା ମାତ୍ରେ ସେହି ପାପକୁ ଦଣ୍ଡିତ କରିଥିଲେ। ଯେତେବେଳେ ସୁଶାସନ କଥା ଆସେ, ଦେଶ କେବଳ ବିଜେପି ଏବଂ ଏନଡିଏ ଉପରେ ଭରସା କରେ। କ୍ରମାଗତ ୩ଥର ବିଜେପିକୁ ଜନାଦେଶ ଦେବାରେ ମହାରାଷ୍ଟ୍ର ହେଉଛି ୬ଷ୍ଠ ରାଜ୍ୟ। ଏହା ପୂର୍ବରୁ ଗୋଆ, ଗୁଜରାଟ, ଛତିଶଗଡ଼, ହରିଆଣା, ବିହାର ଓ ମଧ୍ୟପ୍ରଦେଶରେ ମଧ୍ୟ ବିଜେପି କ୍ରମାଗତ ୩ଥର ବିଜୟୀ ହୋଇସାରିଛି। ତାଙ୍କୁ ମଧ୍ୟ ଦେଶର ସେବା କରିବା ପାଇଁ କ୍ରମାଗତ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀ ବାଛିଛନ୍ତି। ଏଥିସହ ମୋଦୀ, ଝାଡ଼ଖଣ୍ଡରେ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ଝାଡଖଣ୍ଡ ସରକାର ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଝାଡଖଣ୍ଡର ବିକାଶ ପାଇଁ କାମ ଜାରି ରଖିବେ। ଝାଡ଼ଖଣ୍ଡବାସୀ ବିଜେପି ପ୍ରତି ମଧ୍ୟ ସମର୍ଥନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ସମସ୍ୟାର ସମାଧାନ ଏବଂ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବାରେ ବିଜେପି ସର୍ବଦା ସହଯୋଗ କରିବ ବୋଲି ମୋଦୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking