24.1 C
Bhubaneswar
Monday, February 23, 2026
Homeଓଡିଶାକାହିଁକି ପାଳନ ହୁଏ ବଡଓଷା ?

କାହିଁକି ପାଳନ ହୁଏ ବଡଓଷା ?

ଭୁବନେଶ୍ୱର: ଓଡ଼ିଶାର ଅନେକ ମୁଖ୍ୟ ଓଷା ମଧ୍ୟରେ ଗୋଟିଏ ହେଉଛି ବଡ଼ଓଷା। ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ରଭାବେ ପୂଜା କରାଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାହାଣୀ । ପଦ୍ମପୁରାଣ ଅନୁସାରେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ। ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଜଣେ ଧାର୍ମିକ ରାଜା ଥିଲେ। ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ। ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ। ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜା କରୁଥିଲେ। ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ। ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟ କଥା ବୁଝିଲେ ନାହିଁ। ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା। ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ। ସେହି ବନରେ ଜଣେ ଶିବପୂଜକ ସନ୍ନ୍ୟାସୀ ବାସ କରୁଥିଲେ। ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ। ରାଜା ସେହି ଫୁଲଗୁଡ଼ିକୁ ସନ୍ନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇ ନେଇ ରାଣୀଙ୍କୁ ଅର୍ପଣକଲେ। ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା। ତାଙ୍କର ଦୁଃଖ ବଢ଼ି ଚାଲିଲା। ଏହାପରେ ରାଣୀ ରାଜାଙ୍କ ସେବା ଓ ଈଶ୍ୱର ଭକ୍ତିରେ ସମୟ ଅତିବାହିତ କରୁଥିଲେ। ସେ ଜଣେ ସନ୍ନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ। ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ନ୍ୟାସୀଙ୍କୁ ଜଣାଇଲେ। ରାଣୀ ସନ୍ନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ୱରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ। ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ। କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ୱ କଲେ। ଏହା ପରଠାରୁ ସାଧାରଣ ଲୋକେ ଏହାକୁ ପ୍ରତି ବର୍ଷ ପାଳନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking