23.1 C
Bhubaneswar
Thursday, November 14, 2024
Homeଦେଶ ବିଦେଶଆସନ୍ତା ବର୍ଷ ସୁଦ୍ଧା ୱେଷ୍ଟବ୍ୟାଙ୍କରେ ଇସ୍ରାଏଲର ସାର୍ବଭୌମତ୍ୱ ; ଟ୍ରମ୍ପଙ୍କ ବିଜୟ ପରେ ନେତାନ୍ୟାହୁ ସରକାରଙ୍କ...

ଆସନ୍ତା ବର୍ଷ ସୁଦ୍ଧା ୱେଷ୍ଟବ୍ୟାଙ୍କରେ ଇସ୍ରାଏଲର ସାର୍ବଭୌମତ୍ୱ ; ଟ୍ରମ୍ପଙ୍କ ବିଜୟ ପରେ ନେତାନ୍ୟାହୁ ସରକାରଙ୍କ ସଂକେତ

ଜେରୁଜେଲମ୍‌: ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ୱେଷ୍ଟବ୍ୟାଙ୍କ ଦଖଲ କରିବାକୁ ଇସ୍ରାଏଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଇସ୍ରାଏଲ୍ ସରକାରରେ ଦକ୍ଷିଣପନ୍ଥୀ ଅର୍ଥମନ୍ତ୍ରୀ ବେଜଲେଲ ସ୍ମୋଟ୍ରିଚ୍ ଏହି ପ୍ରସଙ୍ଗରେ କିଛି ଇଙ୍ଗିତ କରିଛନ୍ତି। ସ୍ମୋଟ୍ରିଚ୍ ଆଶା ପ୍ରକଟ କରିଛନ୍ତି ଯେ, ୨୦୨୫ ମସିହାରେ ଇସ୍ରାଏଲ୍ ନିଜ ଅଧିକୃତ ୱେଷ୍ଟବ୍ୟାଙ୍କରେ ସାର୍ବଭୌମତ୍ୱ ବିସ୍ତାର କରିବ। ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଇସ୍ରାଏଲ ପାଇଁ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ୱେଷ୍ଟବ୍ୟାଙ୍କରେ ଇହୁଦୀ ବସ୍ତିବାସିନ୍ଦାଙ୍କୁ ଇସ୍ରାଏଲରେ ସାମିଲ କରିବା ଲାଗି ଏହା ଏକ ନୂଆ ଅବସର। ୱାଶିଂଟନ୍‌ର ସମର୍ଥନ ହାସଲ କରିବାକୁ ଏବଂ ଟ୍ରମ୍ପ ପ୍ରଶାସନ ସହ କାର୍ଯ୍ୟ କରିବାକୁ ସେ ନିଜ ସରକାରଙ୍କୁ ସୁପାରିଶ କରିବେ ବୋଲି ସ୍ମୋଟ୍ରିଚ୍ କହିଛନ୍ତି।
ଜିଓନିଜିମ୍ ଦଳର ସାପ୍ତାହିକ ବୈଠକ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ସ୍ମୋଟ୍ରିଚ୍ ଟ୍ରମ୍ପଙ୍କ ବିଜୟକୁ ସ୍ୱାଗତ କରିଛନ୍ତି। ସ୍ମୋଟ୍ରିଚ୍ କହିଛନ୍ତି ଯେ ଟ୍ରମ୍ପ ରାଷ୍ଟ୍ରପତି ହେବା ଯୋଗୁ ଜୁଦେୟା ଏବଂ ସମିରିୟାରେ ଥିବା ଜନବସତି ଉପରେ ଇସ୍ରାଏଲର ସାର୍ବଭୌମତ୍ୱକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ। ଏଦିଗରେ ଇସ୍ରାଏଲ ସାମାନ୍ୟ ପଛରେ ରହିଯାଇଥିବା ବେଳେ ଏବେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହାୟତାରେ ଏହି ଲକ୍ଷ୍ୟ ନିଶ୍ଚିତ ରୂପେ ପୂରଣ ହୋଇପାରିବ। ବର୍ତ୍ତମାନ ନିଜ ଲକ୍ଷ୍ୟ ପୂରଣ କରିବାର ସମୟ ଆସିଯାଇଛି। ୨୦୨୫ ଈଶ୍ୱରଙ୍କ ଆଶୀର୍ବାଦ ସହକାରେ ଜୁଦେୟା ଏବଂ ସମିରିୟାରେ ସାର୍ବଭୌମତ୍ୱ ବର୍ଷ ହେବ। ସେ କହିଛନ୍ତି ପାଲେଷ୍ଟାଇନ ଆତଙ୍କବାଦୀ ରାଷ୍ଟ୍ରର ଧମକକୁ ଏଜେଣ୍ଡାରୁ ହଟାଇବା ପାଇଁ ଏକମାତ୍ର ଉପାୟ ହେଉଛି ସମଗ୍ର ଜୁଦେୟା ଏବଂ ସମିରିୟାରେ ଇହୁଦୀ ବସ୍ତି ଉପରେ ଇସ୍ରାଏଲର ସାର୍ବଭୌମତ୍ୱ ଜାରି କରିବା।
ସୂଚନାଯୋଗ୍ୟ, ବାଇବଲରେ, ୱେଷ୍ଟବ୍ୟାଙ୍କର ଅଞ୍ଚଳକୁ ଜୁଦେୟା ଏବଂ ସମିରିୟା କୁହାଯାଇଥାଏ। ସେହିପରି ୱେଷ୍ଟବ୍ୟାଙ୍କ ପାଲେଷ୍ଟାଇନର ମୂଳ ଅଞ୍ଚଳ। ଏହା ଜାର୍ଡନ ନଦୀର ପଶ୍ଚିମ କୂଳରେ ଥିବାରୁ ଏହାର ନାମକରଣ ଏଭଳି ହୋଇଛି। ୧୯୬୭ର ୬ ଦିନିଆ ଯୁଦ୍ଧରେ ଏହା ଇସ୍ରାଏଲ୍ ଦ୍ୱାରା ଦଖଲ କରାଯାଇଥିଲା। ଏହି ଅଞ୍ଚଳ ବର୍ତ୍ତମାନ ପାଲେଷ୍ଟାଇନ ପ୍ରଶାସନର ନିୟନ୍ତ୍ରଣରେ ଅଛି। ଇସ୍ରାଏଲ୍ ଏହି ଅଞ୍ଚଳରେ ଅନେକ ଇହୁଦୀ ବସତି ନିର୍ମାଣ କରିଥିବା ବେଳେ ମିଳିତ ଜାତିସଂଘ ବେଆଇନ ଦଖଲ ବୋଲି ବର୍ଣ୍ଣନା କରିଛି। ସାର୍ବଭୌମତ୍ୱ ପ୍ରୟୋଗ କରିବା ଅର୍ଥ ହେଉଛି ଏହି ଅଞ୍ଚଳରେ ଇସ୍ରାଏଲ୍ ବସ୍ତିବାସିନ୍ଦାଙ୍କୁ ଇସ୍ରାଏଲ ସହିତ ସାମିଲ କରିବା ଏବଂ ସେମାନଙ୍କ ଉପରେ ଇସ୍ରାଏଲ୍ ନାଗରିକ ଆଇନ ଲାଗୁ କରିବା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking