21.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଜଣାପଡ଼ିଲା ସାଇବେରିଆରେ ଭୟଙ୍କର ଗର୍ତ୍ତର କାରଣ

ଜଣାପଡ଼ିଲା ସାଇବେରିଆରେ ଭୟଙ୍କର ଗର୍ତ୍ତର କାରଣ

ନୂଆଦିଲ୍ଲୀ: ୧୦ ବର୍ଷ ତଳେ ରୁଷୀୟ ମେରୁରେ ଏକ ରହସ୍ୟମୟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଶତାଧିକ ଫୁଟ ଚଉଡ଼ା, ପ୍ରାୟ ୧୫୦ ଫୁଟ ଗଭୀର ଏହି ଦନ୍ତୁରିତ ଗର୍ତ୍ତ ଚତୁଃପାଶ୍ୱର୍କୁ ବିପୁଳ ପରିମାଣର ମୃତ୍ତିକା ଓ ବରଫ ଖଣ୍ଡ ଆବୃତ୍ତ କରିଥିଲା, ଯାହା ଏହାକୁ ସୃଷ୍ଟି କରିଥିବା ଭୟଙ୍କର ଶକ୍ତିର ପ୍ରମାଣ ଦେଇଥିଲା । ସେବେଠୁ ଅର୍ଥାତ୍ ୨୦୧୪ ମସିହାରୁ ଏଭଳି ୨୦ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି, ଯାହା ଉତ୍ତରପଶ୍ଚିମ ସାଇବେରିଆର ୟମଲ ଓ ଗାଇଦାନ ଉପଦ୍ୱୀପର ସୁଦୂର ଭୂଖଣ୍ଡକୁ କ୍ଷତି ପହଞ୍ଚାଉଛି । ତନ୍ମଧ୍ୟରେ ସଦ୍ୟତମ ଗର୍ତ୍ତ ଗତ ଅଗଷ୍ଟ ମାସରେ ଆବିଷ୍କୃତ ହୋଇଥିଲା । ଏହି ଗର୍ତ୍ତଗୁଡ଼ିକ ବୈଜ୍ଞାନିକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଏଗୁଡ଼ିକର ସୃଷ୍ଟି ବିଷୟରେ ଜାଣିବାକୁ ସେମାନେ ପ୍ରୟାସ ଚଳାଇଛନ୍ତି । ଏ ନେଇ ଅନେକ ପ୍ରକାର ଅନୁମାନ ସାମ୍ନାକୁ ଆସିଛି । କିଏ କହୁଛି, ଉଲ୍‌କା ମାଡ଼ର ଏହା ପ୍ରଭାବ । ଆଉ କିଏ କହୁଛି, ଏଲିଅନ୍‌ଙ୍କ କାମ । ବର୍ତ୍ତମାନ ଇଞ୍ଜିନିୟର, ବୈଜ୍ଞାନିକ ଓ କମ୍ପ୍ୟୁଟର ବୈଜ୍ଞାନିକଙ୍କର ଏକ ଟିମ୍ କହିଛନ୍ତି, ସେମାନେ ଗର୍ତ୍ତ ସୃଷ୍ଟିର ଏକ ନୂଆ କାରଣ ଖୋଜିଛନ୍ତି ।

ସେମାନଙ୍କ ଅଧ୍ୟୟନର ତଥ୍ୟରୁ ଜଣାପଡ଼ିଛି, ଏହା ମାନବକୃତ ଜଳବାୟୁ ପରିବର୍ତ୍ତନ ଓ ଉକ୍ତ କ୍ଷେତ୍ରର ଅସାଧାରଣ ଭୂବିଜ୍ଞାନର ମିଶ୍ରିତ ପ୍ରଭାବ । ବୈଜ୍ଞାନିକମାନେ ପୂର୍ବରୁ ଏକମତ ଥିଲେ ଯେ ଗ୍ରହ ଉତ୍ତପ୍ତକାରୀ ମିଥେନ୍ ସମେତ ଗ୍ୟାସ୍ ଯେତେବେଳେ ଟୁନ୍ଦ୍ରା (ମେରୁର ବରଫ ତଳର କ୍ଷେତ୍ର) ତଳେ ଜମାହୁଏ, ପୃଷ୍ଠରେ ଏକ କୁଦ ବା ମୁଣ୍ଡିଆ ଦେଖାଯାଏ । ଯେତେବେଳେ ତଳ ଚାପ ପୃଷ୍ଠର ଶକ୍ତିଠୁ ବଢ଼ିଯାଏ, ଉକ୍ତ ମୁଣ୍ଡିଆ ବା କୁଦରେ ବିସ୍ଫୋରଣ ହୁଏ । ଫଳରେ ଭୂମି ତଳେ ଜମା ଗ୍ୟାସ୍ ବାହାରକୁ ବାହାରେ । ଏହା ଯୋଗୁ ଗର୍ତ୍ତ ସୃଷ୍ଟି ହୁଏ । ତେବେ ଏହି ଚାପ କିପରି ସୃଷ୍ଟି ହୁଏ ଏବଂ ଏହି ଗ୍ୟାସ୍ ବାସ୍ତବରେ କେଉଁଠୁ ଆସେ, ତା’ର ନିର୍ଦ୍ଦିଷ୍ଟ ତନ୍ତ୍ରକୁ ନେଇ ଏବେ ବି ବିତର୍କ ଲାଗି ରହିଛି । ନୂଆ ଅଧ୍ୟୟନର ଟିମ୍ ଗୁପ୍ତଚର ଭଳି ଏହି ପ୍ରଶ୍ନର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଅଧ୍ୟୟନକର୍ତ୍ତା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କେମିକାଲ ଇଞ୍ଜିନିୟର ଆନା ମୋର୍ଗାଡୋ କହିଛନ୍ତି ।

ଏହି ବିସ୍ଫୋରଣ ରାସାୟନିକ ପ୍ରତିକ୍ରିୟା ଯୋଗୁ ହୋଇପାରେ ବୋଲି ସେମାନେ ପ୍ରଥମେ ଅନୁମାନ କରୁଥିଲେ । କିନ୍ତୁ ପରେ ପ୍ରତ୍ୟାଖ୍ୟାନ କଲେ । କାରଣ ରାସାୟନିକ ପ୍ରତିକ୍ରିୟା ସମ୍ପର୍କିତ କୌଣସି ସୂଚନା ସେମାନେ ପାଇଲେ ନାହିଁ । ଶେଷରେ ବୈଜ୍ଞାନିକମାନେ ଉକ୍ତ ସାଇବେରିଆ ଭୂଖଣ୍ଡର ଜଟିଳ ଭୂବିଜ୍ଞାନ ବିଷୟରେ ଜାଣିବାକୁ ପାଇଲେ । ଏଠାରେ ଭୂମି ତଳେ ମୋଟା ପରସ୍ତର ପର୍ମାଫ୍ରଷ୍ଟ୍ ରହିଛି, ଯାହା ବରଫ ସହିତ ମୃତ୍ତିକା, ଶିଳା ଓ ପଙ୍କର ମିଶ୍ରଣ । ଏହା ତଳେ ‘ମିଥେନ୍ ହାଇଡ୍ରେଟ୍‌ସ’ର ଏକ ପରସ୍ତ ରହିଛି, ଯାହା ମିଥେନର ଏକ କଠିନ ରୂପ । ଏହି ଦୁଇ ପରସ୍ତ ମଝିରେ ପ୍ରାୟ ୩ ଫୁଟ ବହଳର ଲୁଣିଆ, ଅଣ-ବରଫୀକୃତ ଜଳ ରହିଛି । ଏହାକୁ ‘କ୍ରାୟୋପେଗ୍‌ସ’ କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking