କଟକ : ସୈତାନ୍ ସାଜିଲା ପ୍ରେମିକ । ବ୍ଲାକମେଲ କରି ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା । କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଦାମବାଡ଼ି ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ଆଇ ଟି ଆକ୍ଟ୍ ର ଧାରା ୬୭(ଏ) ମଧ୍ୟ ଲଗାଇଛି ପୋଲିସ । ଦୁଇ ଦିନ ତଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୁରୀଘାଟ ଓ ବାରଙ୍ଗ ଅଞ୍ଚଳ ଆଦି ଏକାଧିକ ସ୍ଥାନରେ ଛାତ୍ରୀଙ୍କ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ, କଟକର ଏକ କଲେଜରେ ପଢୁଥିବା ପୀଡ଼ିତା ଛାତ୍ରୀ ଜଣକ ସହର ଉପକଣ୍ଠ ଏକ ହଷ୍ଟେଲରେ ରହୁଛନ୍ତି । ବାଦାମବାଡି ଥାନା ଅଞ୍ଚଳର ଜଣେ ଯୁବକ ମଧ୍ୟ ସେହି କଲେଜରେ ପଢୁଛି । ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ପରେ ପ୍ରେମ ସମ୍ପର୍କ ଗଢିଉଠିଲା । ନିକଟ ଅତୀତରେ ଯୁବକ ଜଣକ ଛାତ୍ରୀଙ୍କୁ ଭସାଣୀ ଦେଖିବା ପାଇଁ ସହରକୁ ଡାକିବା ପରେ କାଠଗଡା ସାହିରେ ଥିବା ଏକ ସାଇବର କାଫେକୁ ନେଇଥିଲା । ସେଠାରେ ପୀଡ଼ିତାଙ୍କ ସହ ଯୁବକ ଜଣକ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା। ଆଉ ଏହି ସମୟର ଦୃଶ୍ୟକୁ ଯୁବକର ଜଣେ ସାଙ୍ଗ ଲୁଚି କରି ମୋବାଇଲ ଫୋନରେ ରେକର୍ଡ କରିଥିଲା ।