30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଇସ୍ରାଏଲ୍ ବିରୋଧରେ ଅଧିକ ଶକ୍ତିଶାଳୀ ଅସ୍ତ୍ର ପ୍ରୟୋଗ କରିବ ଇରାନ୍‌

ଇସ୍ରାଏଲ୍ ବିରୋଧରେ ଅଧିକ ଶକ୍ତିଶାଳୀ ଅସ୍ତ୍ର ପ୍ରୟୋଗ କରିବ ଇରାନ୍‌

ମସ୍କୋ: ଇରାନ୍ ଏବେ ଇସ୍ରାଏଲ୍ ସହ ପ୍ରତ୍ୟକ୍ଷ ଯୁଦ୍ଧକୁ ଓହ୍ଲାଇଛି। ଇସ୍ରାଏଲ ବିରୋଧରେ ଅଧିକ ଶକ୍ତିଶାଳୀ ଅସ୍ତ୍ର ବ୍ୟବହାର କରିବା ପାଇଁ ଇରାନ ଏବେ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ସମ୍ପର୍କରେ ସୂଚନା ମିଳିଛି। ଅକ୍ଟୋବର ୨୬ରେ ଇସ୍ରାଏଲ ପକ୍ଷରୁ ଇରାନର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏବେ ଇରାନ ଏହାର ପ୍ରତିଶୋଧ ନେବାକୁ ଯୋଜନା କରୁଛି। ଏପ୍ରକାର ରିପୋର୍ଟ ସାମ୍ନାକୁ ଆସିବା ପରେ ଇରାନ୍ କୌଣସି ମୁହୂର୍ତ୍ତରେ ମଧ୍ୟ ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ଇରାନ୍ ଓ ଆରବ ଅଧିକାରଙ୍କ ପାଖରୁ ପାଇଥିବା ତଥ୍ୟ ଆଧାରରେ ଏପରି ଖବର ପ୍ରକାଶ କରିଛି। ଭବିଷ୍ୟତରେ ଇରାନ୍ ପକ୍ଷରୁ ହେବାକୁ ଥିବା ଅପରେସନରେ ଡ୍ରୋନ ଓ ମିସାଇଲ ବ୍ୟତୀତ ଆଉ କିଛି ଅସ୍ତ୍ର ବ୍ୟବହାର କରାଯିବ। ମିସାଇଲରେ ଶକ୍ତିଶାଳୀ ଯୁଦ୍ଧାସ୍ତ୍ରକୁ ଖଞ୍ଜା ଯିବ ବୋଲି ରିପୋର୍ଟରେ ଦାବି କରାଯାଇଛି। ପ୍ରକାଶ, ଅକ୍ଟୋବର ୨୬ରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଇରାନର ୪ ଜଣ ସୁରକ୍ଷାକର୍ମୀ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ବାସ୍ତବରେ ଅକ୍ଟୋବର ୧ରେ ଇରାନ କରିଥିବା ରକେଟ ମାଡ଼ର ଜବାବରେ ଇସ୍ରାଏଲ ଏପରି ଆକ୍ରମଣ କରିଥିଲା। ତେବେ ଦୁଇ ଦେଶ ମଧ୍ୟରେ ଏପ୍ରକାର ଆକ୍ରମଣ ଓ ପ୍ରତି ଆକ୍ରମଣକୁ ନେଇ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏବେ ଯଦି ଇରାନ ଆହୁରି ଅଧିକ ବଳ ପ୍ରୟୋଗ କରି ଇସ୍ରାଏଲ ଉପରେ ଆକ୍ରମଣ କରିବ, ତା’ହେଲେ ସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି। ଇରାନ୍‌ର ଆକ୍ରମଣ ଆଶଙ୍କା ମଧ୍ୟରେ ଆମେରିକା ମଧ୍ୟ ଇରାନ୍‌କୁ ଚେତାବନୀ ଦେଇସାରିଛି। ପୂର୍ବରୁ ଇସ୍ରାଏଲ କହି ସାରିଛି ଯେ ଯଦି ଇରାନ ଅକ୍ଟୋବର ୨୬ ଏୟାର ଷ୍ଟ୍ରାଇକର ଜବାବ ଦେବାକୁ ଚେଷ୍ଟା କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧର କଳାବିଭୀଷିକା ଜାରି ରହିଥିବା ବେଳେ ଇସ୍ରାଏଲ୍‌କୁ ଆମେରିକା ସବୁପ୍ରକାର ସହଯୋଗ ସହାୟତା ଯୋଗାଇଦେବାରେ ଲାଗିଛି। ଏସବୁ ମଧ୍ୟରେ ଇରାନ୍‌ର ସହଯୋଗୀ ତଥା ବନ୍ଧୁ ରାଷ୍ଟ୍ର ଭାବେ ପରିଚିତ ରୁଷ୍ ମଧ୍ୟ ଏବେ ଇରାନ୍ ପାଇଁ କିଛି ବିଶେଷ କରିବାକୁ ଆଗେଇ ଆସିଛି। ରିପୋର୍ଟ ଅନୁସାରେ ରୁଷ୍ ଏବେ ଇରାନର ୨ଟି ସାଟେଲାଇଟ୍ ବା ଉପଗ୍ରହକୁ ମହାକାଶକୁ ଉତ୍‌କ୍ଷେପଣ କରିବ। ସୋୟୁଜ୍ ଲଞ୍ଚର ମାଧ୍ୟମରେ ଏହି ଉତ୍‌କ୍ଷେପଣ କରାଯିବ ଏବଂ ଇରାନର ଏହି ୨ ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି। ଏନେଇ ଇରାନ୍‌ର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍‌ଙ୍କ ସହ ଆଲୋଚନା କରିବା ପରେ ପୁତିନ୍ ଏନେଇ ସହମତି ପ୍ରକାଶ କରିଛନ୍ତି। ପ୍ରକାଶ, ଇରାନ୍‌ର ଏହି ଦୁଇ ଉପଗ୍ରହ ମଧ୍ୟରୁ କାଓସର ହୋଡ୍‌ହଡ୍‌କୁ ସଠିକ୍ କୃଷି ମ୍ୟାପିଂ ପ୍ରୟୋଗ ପାଇଁ ଡିଜାଇନ୍ କରାଯାଇଥିବା ବେଳେ ଅନ୍ୟ ହୋଡ୍‌ହଡ୍‌ଟି ଟେଲିକମ୍ ଇଣ୍ଟରନେଟ୍ ସେବା (ଆଇଓଟି) ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ। ତେବେ ଏହି ୨ ଉପଗ୍ରହଗୁଡିକର ବିକାଶ ଇରାନର ଘରୋଇ ମହାକାଶ କ୍ଷେତ୍ର ଦ୍ୱାରା ଏକ ମହତ୍ ପ୍ରୟାସକୁ ଚିହ୍ନିତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking