17.1 C
Bhubaneswar
Friday, January 3, 2025
Homeଦେଶ ବିଦେଶପରମାଣୁ ବୋମାର ବାଦଶାହ ହେବ ଏହି ଦେଶ

ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ

ନୂଆଦିଲ୍ଲୀ : ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ ୬ ବର୍ଷ ମଧ୍ୟରେ ଏହି ସଂଖ୍ୟା ହଜାରେ ଟପିପାରେ । ରିପୋର୍ଟରେ କୁହାଯାଇଛି ଯେ, ଚାଇନା ତା’ର ରଣନୈତିକ ଏବଂ ନିରାପତ୍ତା ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରମାଣୁ କ୍ଷମତା ବିସ୍ତାର କରୁଛି । ଏଥିରେ କ୍ଷେପଣାସ୍ତ୍ର ସାଇଲୋ, ଗ୍ରାଉଣ୍ଡ ମୋବାଇଲ୍‌, ବୁଡ଼ାଜାହାଜ ପ୍ରକ୍ଷେପିତ ଅସ୍ତ୍ରଶସ୍ତ୍ର ଏବଂ ପରମାଣୁ କ୍ଷମତା ସମ୍ପନ୍ନ ହାଇପରସୋନିକ୍ ଗ୍ଲାଇଡ୍ ଯାନ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ୨୦୩୦ ସୁଦ୍ଧା ଚାଇନାର ପରମାଣୁ ଅସ୍ତ୍ରଶସ୍ତ୍ର ଦ୍ୱିଗୁଣିତ ହୋଇପାରେ, ଯାହା ବିଶ୍ୱ ସୁରକ୍ଷା ସ୍ଥିତିରେ ଅସ୍ଥିରତା ସୃଷ୍ଟି କରିବାର ସମ୍ଭାବନା ବଢ଼ାଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଚାଇନା ପାଖରେ ଏବେ ୫୦୦ରୁ ଅଧିକ ଆଣବିକ ଯୁଦ୍ଧାସ୍ତ୍ର ରହିଛି ଏବଂ ଏହି ଅସ୍ତ୍ରଶସ୍ତ୍ର ମଧ୍ୟରୁ ଅଧିକାଂଶ ମହାଦେଶୀୟ ଆମେରିକାକୁ ଆକ୍ରମଣ କରିବାରେ ସକ୍ଷମ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିପ୍ରି) ନାମକ ସ୍ୱିଡେନ୍ ଥିଙ୍କଟ୍ୟାଙ୍କର ରିପୋର୍ଟ ଅନୁଯାୟୀ, ୨୦୨୪ ଜାନୁଆରି ସୁଦ୍ଧା ଚାଇନା ପାଖରେ ୫୦୦ ପରମାଣୁ ଯୁଦ୍ଧାସ୍ତ୍ର ଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ୪୧୦ ଥିଲା । ଚଳିତ ବର୍ଷ ଜାନୁଆରି ସୁଦ୍ଧା ସମଗ୍ର ବିଶ୍ୱରେ ସମୁଦାୟ ୧୨,୨୨୧ଟି ପରମାଣୁ ଯୁଦ୍ଧାସ୍ତ୍ର କାର୍ଯ୍ୟ କରୁଥିବା ବେଳେ ସେଥିମଧ୍ୟରୁ ୯,୫୮୫ଟି ସମ୍ଭାବ୍ୟ ବ୍ୟବହାର ପାଇଁ ସଂରକ୍ଷିତ ରହିଛି । ଋଷିଆ ଓ ଆମେରିକା ପାଖରେ ବିଶ୍ୱର ୯୦ ପ୍ରତିଶତରୁ ଅଧିକ ପରମାଣୁ ଅସ୍ତ୍ର ରହିଛି ଏବଂ ଏହା ପରେ ଚାଇନା ତୃତୀୟ ସ୍ଥାନରେ ରହିଛି । ଋଷିଆ ଓ ଆମେରିକା ପରେ ଚାଇନାର ପରମାଣୁ ଭଣ୍ଡାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବ୍ରିଟେନ, ଫ୍ରାନ୍ସ, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ ମଧ୍ୟ ସେମାନଙ୍କ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛନ୍ତି । ଯଦିଓ ଚାଇନାର ପରମାଣୁ ଅସ୍ତ୍ର ଭଣ୍ଡାର ସଂଖ୍ୟା ଋଷିଆ ଓ ଆମେରିକାଠାରୁ ବହୁତ କମ୍ ରହିଛି, ତଥାପି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସାମର୍ଥ୍ୟ ବିଶ୍ୱ ସୁରକ୍ଷା ସନ୍ତୁଳନକୁ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking