16.1 C
Bhubaneswar
Sunday, December 7, 2025
Homeଅପରାଧଗାଁ ଦାଣ୍ଡରେ ଭାଇକୁ ହତ୍ୟା

ଗାଁ ଦାଣ୍ଡରେ ଭାଇକୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ସଂଘଟିତ ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଏଡିଜେ-୧ ଡ.ଇନ୍ଦୁ ଶର୍ମା ଅଭିଯୁକ୍ତ ତିନିଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି କୋର୍ଟ ତିନିଜଣଙ୍କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି। ସେମାନେ ହେଲେ ପାଟପୁର ଥାନା ବାସୁଦେବପୁର ଗ୍ରାମର ବଡ଼ଭାଇ ବୁଡ଼ୁ ପ୍ରଧାନ (୩୫), ମଝିଆ ଭାଇ ସନ୍ତୋଷ(୩୨) ଓ ସାନଭାଇ ମିଥୁନ ଓରଫ୍ ଲଣ୍ଡା (୩୦)। ଏହାସହିତ ୧ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି କୋର୍ଟ। ପାଟପୁର ଥାନା ବାସୁଦେବପୁର ଗ୍ରାମରେ ରହୁଥିବା କୁଲୁ ପ୍ରଧାନ ଓ କକାପୁଅ ଭାଇ ବୁଡ଼ୁଙ୍କ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଝଗଡ଼ା ଲାଗି ରହୁଥିଲା। ୨୦୨୩ ମସିହା ଜୁଲାଇ ୨୮ତାରିଖରେ ଘର ନିକଟ ରାସ୍ତାକଡ଼ରେ ଇଟା ରଖିବାକୁ କେନ୍ଦ୍ର କରି କୁଲୁଙ୍କ ସହ ବୁଡ଼ୁ ଝଗଡ଼ା କରିଥିଲେ। ଗ୍ରାମବାସୀ ହସ୍ତକ୍ଷେପ କରିବା ପରେ ମାମଲା ସମାଧାନ ହୋଇଥିଲା। ପରେ ବୁଡ଼ୁ ଓ ଦୁଇଭାଇ ସନ୍ତୋଷ ଏବଂ ମିଥୁନ ରାତିରେ ପୁଣିଥରେ କୁଲୁଙ୍କ ଘରକୁ ଯାଇ ଝଗଡ଼ା କରିଥିଲେ।

ସମସ୍ତେ ମିଶି ଗାଁ ଦାଣ୍ଡରେ କୁଲୁଙ୍କୁ ଶାବଳ, ଟାଙ୍ଗିଆ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ କୁଲୁ ଗୁରୁତର ହୋଇଥିବା ବେଳେ ସାନଭାଇ ସନ୍ତୋଷ ତାଙ୍କୁ ଉଦ୍ଧାର କରି ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ କୁଲୁଙ୍କ ସାନଭାଇ ସନ୍ତୋଷଙ୍କ ଅଭିଯୋଗ କ୍ରମେ ପାଟପୁର ଥାନା ପୁଲିସ ତିନିଭାଇଙ୍କ ସମେତ ୬ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ତତ୍କାଳୀନ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କୋର୍ଟରେ ଆବଶ୍ୟକ ସାକ୍ଷ୍ୟପ୍ରମାଣ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୧୨ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ତିନିଭାଇଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଥିବା ବେଳେ ମା’ ଓ ଦୁଇଭାଇଙ୍କ ପତ୍ନୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ତରଫରୁ ପିପି ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking