20.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶନିର୍ବାଚନ ପୂର୍ବରୁ ଶରଦ ପୱାରଙ୍କୁ ଝଟ୍‌କା; ଅଜିତ୍‌ଙ୍କ ପାଖରେ ରହିବ ‘ଘଡ଼ି' ଚିହ୍ନ

ନିର୍ବାଚନ ପୂର୍ବରୁ ଶରଦ ପୱାରଙ୍କୁ ଝଟ୍‌କା; ଅଜିତ୍‌ଙ୍କ ପାଖରେ ରହିବ ‘ଘଡ଼ି’ ଚିହ୍ନ

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଶରଦ ପୱାର ଏବଂ ତାଙ୍କ ଦଳ ଏନ୍‌ସିପି (ଶରଦ୍ ଚନ୍ଦ୍ର ପୱାର)କୁ ଏକ ଶକ୍ତ ଝଟ୍‌କା ଲାଗିଛି। ମହାରାଷ୍ଟ୍ର ନିର୍ବାଚନରେ ‘ଘଡ଼ି’ ଚିହ୍ନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଏନ୍‌ସିପି (ଶରଦ ଚନ୍ଦ୍ର ପାୱାର) ପକ୍ଷରୁ ଅକ୍ଟୋବର ୨ରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଗୁରୁବାର ଏହି ମାମଲାର ଶୁଣାଣି କରିବା ପୂର୍ବକ ଏନ୍‌ସିପି (ଶରଦ ଚନ୍ଦ୍ର ପାୱାର) ଦଳର ଏହି ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସିଧାସଳଖ କହିଲେ ମହାରାଷ୍ଟ୍ର ନିର୍ବାଚନରେ ତାଙ୍କ ପୁତୁରା ଅଜିତ୍ ପୱାର ଏବଂ ଅଜିତ୍‌ଙ୍କ ନେତୃତ୍ୱାଧୀନ ଏନ୍‌ସିପି (ଅଜିତ୍ ପୱାର ଗୋଷ୍ଠୀ) ପାଖରେ ହିଁ ‘ଘଡ଼ି’ ଚିହ୍ନର ସତ୍ତ୍ୱାଧିକାର ରହିବା ସ୍ପଷ୍ଟ ହୋଇଯାଇଛି। ନିର୍ବାଚନରେ ‘ଘଡ଼ି’ ଚିହ୍ନ ବ୍ୟବହାର ପାଇଁ ଅଜିତ ପାୱାରଙ୍କ ଗୋଷ୍ଠୀକୁ ପୂର୍ବରୁ ନିର୍ବାଚନ ଆୟୋଗ ଦେଇଥିବା ରାୟକୁ ବଳବତ୍ତର ରଖିବା ପୂର୍ବକ ସୁପ୍ରିମକୋର୍ଟ ମଧ୍ୟ ଏନେଇ ଅନୁମତି ପ୍ରଦାନ କରିଛନ୍ତି।

ଶୁଣାଣି ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମହାରାଷ୍ଟ୍ର ନିର୍ବାଚନରେ ଅଜିତ ପୱାରଙ୍କ ଦଳ ‘ଘଡ଼ି’ ଚିହ୍ନ ବ୍ୟବହାର କରିପାରିବେ। କିନ୍ତୁ ସେମାନଙ୍କୁ ମଧ୍ୟ ଏକ ସର୍ତ୍ତ ମାନିବାକୁ ପଡିବ। ଅଜିତ୍ ପୱାରଙ୍କ ଦଳ ‘ଘଡ଼ି’ ଚିହ୍ନ ବ୍ୟବହାର ସହିତ ଅଦାଲତରେ ବିଚାରାଧୀନ ଥିବା ଆଦେଶକୁ ଅନୁସରଣ କରିବା ସମ୍ବନ୍ଧରେ ଏକ ଆଫିଡେଭିଟ୍ ପ୍ରଦାନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରକାଶ, ଏହାପୂର୍ବରୁ, ‘ଘଡ଼ି’ ନିର୍ବାଚନ ଚିହ୍ନ ମାମଲା କୋର୍ଟରେ ବିଚାରାଧୀନ ଅଛି’ ବୋଲି ଏକ ସର୍ବସାଧାରଣ ନୋଟିସ ଜାରି କରିବାକୁ ମାର୍ଚ୍ଚ ୧୯, ୨୦୨୪ ତାରିଖରେ ସୁପ୍ରିମକୋର୍ଟ ଅଜିତ ପୱାରଙ୍କ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଥିଲେ। ସେ ଏହାକୁ ଅଧିକ ବ୍ୟବହାର କରିବାକୁ ସକ୍ଷମ ହେବେ କି ନାହିଁ ତାହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ସ୍ଥିର ହେବ ବୋଲି ନୋଟିସରେ ଉଲ୍ଲେଖ କରିବାକୁ ଅଜିତ୍‌ଙ୍କ ଗୋଷ୍ଠୀକୁ ନିର୍ଦ୍ଦେଶ ମିଳିଥିଲା। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରାଯାଇଛି କି ନାହିଁ, ସେନେଇ ଉତ୍ତର ରଖିବାକୁ ଅଜିତଙ୍କ ଗୋଷ୍ଠୀକୁ ଏକ ନୋଟିସ୍ ଯୋଗେ କୋର୍ଟ ପ୍ରଶ୍ନ କରିଛନ୍ତି। ଅଜିତ ପୱାର କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି ବୋଲି ଏକ ସତ୍ୟପାଠ ଦାଖଲ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ଅଜିତଙ୍କ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୬ରେ କରାଯିବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ବା ଆଦେଶର ଉଲ୍ଲଂଘନ ହେଲେ ଅଦାଲତ ଅବମାନନା ଆଇନ୍ ଅନ୍ତର୍ଗତ ମାମଲା ପରିଚାଳନା କରାଯିବ ବୋଲି ସୁପ୍ରିମକୋର୍ଟ ଏହି ଅବସରରେ ଉଭୟ ପକ୍ଷଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୦ରେ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking