26.1 C
Bhubaneswar
Thursday, March 26, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା ପାଇଁ ଖାଉଟି ହନ୍ତସନ୍ତ, ପ୍ରଶାସନ ନିରବ

ସମ୍ଭାବ୍ୟ ବାତ୍ୟା ପାଇଁ ଖାଉଟି ହନ୍ତସନ୍ତ, ପ୍ରଶାସନ ନିରବ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ପ୍ରଭୁ ଶ୍ରୀ ନୀଳମାଧବ ଜିଉ ବିଜେ କଣ୍ଟିଲୋ ବଜାର ଉପରେ ଆଖପାଖ ୮ଗୋଟି ପଞ୍ଚାୟତର ପ୍ରାୟ ୮୦ହଜାରରୁ ଊର୍ଦ୍ଧ୍ୱ ବ୍ୟବସାୟୀ, ଖାଉଟି ଏବଂ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିଥାନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଯେତେବେଳେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସି ପହଞ୍ଚେ ସେତେବେଳେ କଣ୍ଟିଲୋରେ ଥିବା କିଛି ଅସାଧୁ ବ୍ୟବସାୟୀ ତା’ର ଫାଇଦା ଉଠାଇଥାନ୍ତି। ପୂର୍ବରୁ ସଞ୍ଚୟ ରଖିଥିବା ସାମଗ୍ରୀ ଓ ପନିପରିବା ଦର ହଠାତ୍ କିଲୋ ପିଛା ୧୦ରୁ ୧୫ଟଙ୍କା ବୃଦ୍ଧିକରି ବିକ୍ରୟ କରୁଥିବାରୁ ଖାଉଟିମାନେ ବହୁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।

ସୂଚନାରୁ ଜଣାପଡ଼ିଛି ଯେ, ଆସନ୍ନ ବାତ୍ୟା “ଦାନା’ ୨୩ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ପ୍ରଭାବିତ କରିବ ବୋଲି ରାଜ୍ୟ ସରକାରଙ୍କ ପାଣିପାଗ ବିଭାଗ ତରଫରୁ ପ୍ରଚାରିତ ହେବା ପରେ କଣ୍ଟିଲୋ ବଜାରର ପନିପରିବା ବ୍ୟବସାୟୀ ଗତକାଲିଠାରୁ ଆଳୁ, ପିଆଜ, ଟମାଟୋ, ପୋଟଳ, କୋବି, ବାଇଗଣ, କଲରା, ଭେଣ୍ଡି, ଝୁଲଣ, କାଙ୍କଣ ଇତ୍ୟାଦିର ଦର ବୃଦ୍ଧି କରିଥିବା ଜଣାପଡ଼ିଛି। ଯେତିକି ଦରରେ ବିକ୍ରୟ କରୁଥିଲେ ଆଜି ୨୨ତାରିଖରେ ହଠାତ୍ ତା’ଠାରୁ ମିନିମାମ୍ ୫ଟଙ୍କାରୁ ୧୫ଟଙ୍କା ପର୍ଯ୍ୟନ୍ତ ଅଧିକ ଦରରେ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି।

ବିଶେଷକରି ଆଳୁ, ପିଆଜ, ଟମାଟୋ ଓ ପୋଟଳ ଇତ୍ୟାଦିକୁ ମାତ୍ରାଧିକ ଦରରେ ବିକ୍ରୟ କରୁଥିବା ଯୋଗୁ ସମସ୍ତ ଜନସାଧାରଣ ଓ ଖାଉଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁ ଅସାଧୁ ବ୍ୟବସାୟୀ ବାତ୍ୟାର ଫାଇଦା ନେଇ ଅଧିକ ଦରରେ ବିକ୍ରୟ କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାର ବାରମ୍ବାର ଟିଭି ମାଧ୍ୟମରେ ବାର୍ତ୍ତା ଦେଉଥିବା ବେଳେ ସ୍ଥାନୀୟ ପୁଲିସ, ବ୍ଲକ ଓ ତହସିଲ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଏ ବାବଦରେ ନିରବ ରହିଛନ୍ତି। ଯଥାଶୀଘ୍ର ତଦନ୍ତକରି ସଂପୃକ୍ତ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଣ୍ଟିଲୋ ଅଞ୍ଚଳର ଅଧିବାସୀ ଓ ବୁଦ୍ଧିଜୀବୀ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking