26.1 C
Bhubaneswar
Friday, March 20, 2026
Homeଓଡିଶାମାଡ଼ି ଆସୁଛି ବାତ୍ୟା ‘ଦାନା’ : ଜିରୋ କାଜୁଆଲ୍‌ଟି ଉପରେ ପ୍ରଥମ ଫୋକସ୍

ମାଡ଼ି ଆସୁଛି ବାତ୍ୟା ‘ଦାନା’ : ଜିରୋ କାଜୁଆଲ୍‌ଟି ଉପରେ ପ୍ରଥମ ଫୋକସ୍

ଭୁବନେଶ୍ୱର: ବାତ୍ୟା ‘ଦାନା’ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ‘ଜିରୋ କାଜୁଆଲ୍‌ଟି’ ଉପରେ ପ୍ରଥମ ଫୋକସ୍ ରହିଛି। ଅଗ୍ନୀଶମ ବାହିନୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ସମସ୍ତେ ପ୍ରସ୍ତୁତ ଅଛନ୍ତି। ତେଣୁ ବାତ୍ୟା ପାଇଁ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ। ସୋମବାର ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଶେଷରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ, ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅକ୍ଟୋବର ୨୪ ସକାଳ ସୁଦ୍ଧା ପୁରୀ ଓ ସାଗାରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି। ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ତେଣୁ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରି ବିପଦଶଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକୀୟ ଖାଦ୍ୟ ପଦାର୍ଥ, ପିଇବା ପାଣି, ଆବଶ୍ୟକୀୟ ଔଷଧ, ଶିଶୁ ଖାଦ୍ୟ ତୁରନ୍ତ ମହଜୁଦ ରଖିବା ସହିତ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ। ବାତ୍ୟାର ତୁରନ୍ତ ପରେ ବିଭିନ୍ନ ରାସ୍ତା ଘାଟରେ ଅବରୋଧ ଦୂର କରି ଯେପରି ବିଦ୍ୟୁତ, ପାଣି ଓ ଟେଲି ଯୋଗାଯୋଗ ପରି ମୌଳିକ ସେବା ତୁରନ୍ତ କାର୍ଯ୍ୟକ୍ଷମ ହେବ, ସେଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ। ଡାକ୍ତରଖାନା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡିକରେ ଯେପରି ନିରବଚ୍ଛିନ୍ନ ବିଦ୍ୟୁତ ରହେ ସେଥିପ୍ରତି ନଜର ଦେବାକୁ ପଡ଼ିବ। ବାତ୍ୟା ସମୟରେ ଏବଂ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଦର ବୃଦ୍ଧି ନହୁଏ, ସେଥିପାଇଁ କଳାବଜାରୀଙ୍କ ଉପରେ ନଜର ରଖିବା ସହିତ ବିଭିନ୍ନ ଜିଲ୍ଲା ମଧ୍ୟରେ ସମନ୍ୱୟ ରଖି ପ୍ରଭାବିତ ନ ହୋଇଥିବା ଅଞ୍ଚଳରୁ ଯେପରି ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆସିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

କୃଷି ବିଭାଗକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବାତ୍ୟା ପରେ କ୍ଷୟକ୍ଷତିର ଆଗୁଆ ଆକଳନ କରିବା ଆବଶ୍ୟକ। ଏହା ସହିତ ବିଭାଗର ‘କଣ୍ଟନଜେନ୍ସି ପ୍ଲାନ’ କୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ସେହିପରି ଆଗୁଆ ରବି ଚାଷୀଙ୍କୁ ସତର୍କ କରିବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବା ଉଚିତ। ବାତ୍ୟା ସମୟରେ କୌଣସି ପ୍ରକାର ଗୁଜବ ଓ ମିଥ୍ୟା ସୂଚନାକୁ ରୋକିବା ପାଇଁ ରାଜ୍ୟ ରିଲିଫ୍ କମିଶନରଙ୍କ ତରଫରୁ ନିୟମିତ ଭାବେ ଗଣମାଧ୍ୟମରେ ସୂଚନା ଦେବା ଆବଶ୍ୟକ। ଏହା ସହିତ ରାଜ୍ୟ ରିଲିଫ୍ କମିଶନର, ଓସ୍‌ଡମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ବିଭାଗ, ଗୃହ ବିଭାଗର ସାମାଜିକ ଗଣମାଧ୍ୟମରେ ନିୟମିତଭାବେ ଅଧିକୃତ ସୂଚନା ପୋଷ୍ଟିଂ ହେବା ଆବଶ୍ୟକ। ସବୁଠାରୁ ଅଧିକ ପ୍ରଭାବିତ ସ୍ଥାନକୁ ଚିହ୍ନିଟ କରି ଗୋଖାଦ୍ୟ ଓ କୁକୁଡ଼ା ଖାଦ୍ୟ ମହଜୁଦ୍ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଗତ ଦିନମାନଙ୍କରେ ଯଦିଓ ପବନ ଯୋଗୁ କେହି ମୃତାହତ ହୋଇନାହାନ୍ତି, ଅନ୍ୟାନ୍ୟ କାରଣରୁ ମଧ୍ୟ ଜୀବନ ହାନି ଘଟିଥାଏ। ଯେପରିକି ମାଟି କାନ୍ଥ ପଡ଼ି ମୃତ୍ୟୁ ହେବା। ଏସବୁକୁ ରୋକିବା ପାଇଁ ସମସ୍ତ ଦୁର୍ବଳ ଘରକୁ ଚିହ୍ନଟ କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ଉଚିତ। ସେହିପରି ସହରାଞ୍ଚଳରେ ବିଲ୍ ବୋର୍ଡ଼ କିମ୍ବା ସାଇନ ବୋର୍ଡ଼ ଉପୁଡି ଲୋକେ ମୃତାହତ ହୁଅନ୍ତି। ତେଣୁ ସବୁ ସହରାଞ୍ଚଳ ବିଶେଷ ଭାବେ ଭୁବନେଶ୍ୱର, କଟକ, ପୁରୀ ଏବଂ ବ୍ରହ୍ମପୁର ସହରରୁ ସବୁ ଦୁର୍ବଳ ବିଲବୋର୍ଡ଼କୁ ତୁରନ୍ତ ଚିହ୍ନଟ କରି ସେସବୁକୁ ହଟାଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂହ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking