19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଈଶା ଫାଉଣ୍ଡେସନ୍‌କୁ ସୁପ୍ରିମ୍ ଆଶ୍ୱସ୍ତି; ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ

ଈଶା ଫାଉଣ୍ଡେସନ୍‌କୁ ସୁପ୍ରିମ୍ ଆଶ୍ୱସ୍ତି; ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସଦ୍‌ଗୁରୁ ଜାଗି ବାସୁଦେବଙ୍କ ଈଶା ଫାଉଣ୍ଡେସନକୁ ଆଜି ସୁପ୍ରିମକୋର୍ଟଙ୍କରୁ ବଡ଼ ଆଶ୍ୱସ୍ତି ମିଳିଛି। ଫାଉଣ୍ଡେଶନ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ପାଇଁ ତଦନ୍ତ ନିର୍ଦ୍ଦେଶ ଦେବା ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଈଶା ଫାଉଣ୍ଡେସନ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖାରଜ କରିବା ସହ ଏହି ଘଟଣାରେ ଆରମ୍ଭ ହୋଇଥିବା ପୁଲିସ ତଦନ୍ତକୁ ମଧ୍ୟ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଇଶା ଫାଉଣ୍ଡେଶନ୍ ସମ୍ପର୍କରେ ଗଣମାଧ୍ୟମରେ ଚାଲୁଥିବା ତାମିଲନାଡୁ ପୁଲିସ୍‌ର ଷ୍ଟାଟସ ରିପୋର୍ଟ ଉପରେ ମୁକୁଲ ରୋହତଗୀ ପ୍ରଶ୍ନ ଉଠାଇଥିଲେ। ରୋହତଗୀ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୁକ୍ତି ରଖିଥିଲେ ଯେ, ଏହା ଏକ ଗୋପନୀୟ ବିଷୟ ହୋଇଥିବା ବେଳେ ଗୋପନୀୟତା ବଜାୟ ରଖିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରୋହତଗୀଙ୍କ ଯୁକ୍ତି ଶୁଣିସାରିବା ପରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାୟ ଶୁଣାଇବା ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି (ସିଜେଆଇ) କହିଛନ୍ତି ଯେ, ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଆଶ୍ରମରେ ତଦନ୍ତ କରିବା ସମ୍ପୂର୍ଣ୍ଣ ରୂପେ ଅନୁପଯୁକ୍ତ।

ଆଶ୍ରମରେ ରହୁଥିବା ଝିଅମାନେ ସାବାଳକ। ସେମାନେ ନିଜ ଇଚ୍ଛା ଅନୁସାରେ ସେଠାରେ ରହୁଛନ୍ତି। ତେଣୁ ସଦଗୁରୁ ଏବଂ ତାଙ୍କ ଫାଉଣ୍ଡେସନ୍ ବିରୁଦ୍ଧରେ ହୋଇଥିବା ଅଭିଯୋଗର ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ହୋଇପାରିବ ନାହିଁ, କିମ୍ବା ତାଙ୍କ ଫାଉଣ୍ଡେସନରେ ତଦନ୍ତ କରାଯିବ ନାହିଁ। ଏସ୍ କାମରାଜ ନାମକ ଜଣେ ଅବସରପ୍ରାପ୍ତ ପ୍ରଫେସର ମାଡ୍ରାସ ହାଇକୋର୍ଟରେ ଈଶା ଫାଉଣ୍ଡେସନ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ୨ ଝିଅ ଲତା ଏବଂ ଗୀତାଙ୍କୁ ଈଶା ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନେ କୁଆଡେ ବିଭିନ୍ନ ପ୍ରକାର କଥା କହି ସେମାନଙ୍କୁ କୋଏମ୍ବାଟୁର ଆଶ୍ରମକୁ ନେଇଯିବା ସହ ସେଠାରେ ସନ୍ୟାସିନୀ ରୂପେ ବନ୍ଧକ ରଖାଯାଇଥିବା ପ୍ରଫେସର ଅଭିଯୋଗ କରିଥିଲେ। ନିଜ ଅଭିଯୋଗରେ ସେ ସିଧାସଳଖ ସଦ୍‌ଗୁରୁ ଜାଗି ବାସୁଦେବଙ୍କ ନାମକୁ ମଧ୍ୟ ଯୋଡିଥିଲେ। ତେବେ ଏପ୍ରକାର ଅଭିଯୋଗ ଆସିବା ପରେ ଗତ ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରି ତାମିଲନାଡୁ ପୁଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରଦିନ ଅକ୍ଟୋବର ୧ରେ ୧୫୦ରୁ ଅଧିକ ପୁଲିସ ଆଶ୍ରମ ନିକଟରେ ପହଞ୍ଚି ଖାନତଲାସୀ ଆରମ୍ଭ କରିଥିଲେ। ଏହାକୁ ନେଇ ସଦଗୁରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ।

ଅନ୍ୟପକ୍ଷେ ଏହି ମାମଲାରେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଅକ୍ଟୋବର ୩ରେ ଶୁଣାଣି କରି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଥିଲେ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୁଲିସ ଆଶ୍ରମରେ କୌଣସି ଯାଞ୍ଚ କରିପାରିବ ନାହିଁ ବୋଲି କହିଥିଲେ। ତେବେ ଆଜି ପ୍ରଧାନ ବିଚାରପତି ଏହି ମାମଲାର ଚୂଡାନ୍ତ ରାୟ ଶୁଣାଣି କରିବା ପରିପ୍ରେକ୍ଷୀରେ ଈଶା ଫାଉଣ୍ଡେସନ୍ ଏବଂ ସଦ୍‌ଗୁରୁ ଜାଗି ବାସୁଦେବଙ୍କ ବିରୋଧରେ ରହିଥିବା ସମସ୍ତ ଅଭିଯୋଗକୁ ଖାରଜ କରିଦେଇଛନ୍ତି। ପ୍ରକାଶ, ଏହି ମାମଲାରେ ଲତା ଓ ଗୀତାଙ୍କ ବୟାନ୍ ମଧ୍ୟ ରେକର୍ଡ କରାଯାଇସାରିଛି। ଉଭୟ ସ୍ୱଇଚ୍ଛାରେ ଆଶ୍ରମରେ ରହୁଥିବା ଏବଂ ଖୁସିରେ ଥିବା ନେଇ ବୟାନ୍ ଦେଇସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking