32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ; ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଆୟୋଗ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ; ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଆୟୋଗ

ରାଞ୍ôଚ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଆସନ୍ତା ନଭେମ୍ବର ୧୩ ତାରିଖରେ ୪୩ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ନାମାଙ୍କନପତ୍ର ଦାଖଲ କରିବା ଲାଗି ଚଳିତ ଅକ୍ଟୋବର ମାସ ୨୫ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯାଇପାରିବ। ସେହିପରି ଆସନ୍ତା ୨୮ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଓ ୩୦ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସୁଯୋଗ ପାଇବେ। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପୁନଃ ବିଜ୍ଞପ୍ତି ଜାରି କରାଯିବ। ୨ଟି ପର୍ଯ୍ୟାୟରେ ହେବାକୁ ଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍‌ଗଣତି ତଥା ଫଳାଫଳ ଘୋଷଣା ନଭେମ୍ବର ୨୩ ତାରିଖରେ ହେବ ବୋଲି ନିର୍ବାଚନ ଆୟୋଗ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ଏକ ବଡ଼ ପଦକ୍ଷେପ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ଦାଖଲ ନିମନ୍ତେ ଅନ୍‌ଲାଇନ୍ ବ୍ୟବସ୍ଥା ଭଳି ସୁବିଧା ଉପଲବ୍ଧ କରାଯିବା ସମ୍ପର୍କରେ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ କେ. ରବିକୁମାର କହିଛନ୍ତି ଆଶାୟୀ ପ୍ରାର୍ଥୀମାନେ ବିଧିବଦ୍ଧ ଅନ୍‌ଲାଇନ୍ ପୋର୍ଟାଲରେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଅନ୍‌ଲାଇନ୍ ଫର୍ମ ପୂରଣ କରିବା ସହ ଅନଲାଇନ ଜରିଆରେ ଜମାରାଶି ଓ ଶପଥପତ୍ର ମଧ୍ୟ ପ୍ରଦାନ କରାଯାଇପାରିବ।

ନାମାଙ୍କନପତ୍ର ପୂରଣ ପରେ ତାହାର ପ୍ରିଣ୍ଟଆଉଟ୍ ନେଇ ପ୍ରାର୍ଥୀମାନେ ନୋଟାରୀଙ୍କ ନିକଟରୁ ଆବଶ୍ୟକ ସତ୍ୟପାଠ ଆଣିଲା ପରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଜମା କରିପାରିବେ। ଅନ୍ୟ ଏକ ରିପୋର୍ଟ ଅନୁସାରେ ଝାଡ଼ଖଣ୍ଡ ପାଇଁ ବିଜେପି ଇତିମଧ୍ୟରେ ନିଜ ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା କରିନେଇଥିବା ସୂଚନା ମିଳିଛି। ବିଜେପି ଏକାକୀ ରାଜ୍ୟର ମୋଟ୍ ୮୧ଟି ବିଧାନସଭା ଆସନ ମଧ୍ୟରୁ ୬୮ଟି ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ବାକି ୧୩ ଆସନକୁ ନିଜ ସହଯୋଗୀ ଦଳ ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି (ରାମ ବିଲାଶ) ପାଇଁ ଛାଡ଼ିବ। ମୋଟାମୋଟି ଏକାଧିକ ଦଳ ସହ ମେଣ୍ଟ କରି ବିଜେପି ଝାଡ଼ଖଣ୍ଡରେ ନିର୍ବାଚନ ଲଢ଼ିବ।

ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ହାମ୍‌) ମଧ୍ୟ ବିଜେପି ଠାରୁ ସିଟ୍ ଚାହୁଁଥିଲା। କିନ୍ତୁ ହାମ୍‌କୁ ଝାଡ଼ଖଣ୍ଡ ମେଣ୍ଟରୁ ବାଦ ଦିଆଯାଇଛି। ସେହିପରି ବାକି ରହିଥିବା ୧୩ଟି ଆସନରୁ ଏକାକୀ ଆଜସୁ ୧୦ ସ୍ଥାନରେ ପ୍ରାର୍ଥୀ ଦେବ। ବାକି ୩ଟି ଆସନରୁ ଜେଡିୟୁ ୨ଟି ଓ ଏଲ୍‌ଜେପି ଗୋଟିଏ ଲେଖାଏ ଆସନରେ ଲଢ଼ିବେ। ସିଟ୍ ଶେୟାରିଂ ସମ୍ପର୍କରେ ଘୋଷଣା କରାଯିବା ବେଳେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆଜସୁ ପାର୍ଟି ମୁଖ୍ୟ ସୁଦେଶ ମହତୋ ଓ ବଜେପିର ରାଜ୍ୟସଭା ପତି ବାବୁଲାଲ ମାରାଣ୍ଡି ଉପସ୍ଥିତ ରହିଥିଲେ। ରାଞ୍ଚିରେ ଥିବା ବିଜେପି କାର୍ଯ୍ୟାଳୟରେ ଏପରି ଘୋଷଣା କରାଯାଇଛି। ତେବେ ଆବଶ୍ୟକ ସ୍ଥଳେ ଅର୍ଥାତ ବିରୋଧୀ ଦଳଙ୍କ ରଣନୀତିକୁ ଦେଖିବା ପରେ ଶେଷ ମୁହୂର୍ତ୍ତରେ ମଧ୍ୟ ଆସନ ଆବଣ୍ଟନରେ ପରିବର୍ତ୍ତନ କରାଯାଇପାରେ ବୋଲି ବିଜେପି ସ୍ପଷ୍ଟ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking