26.1 C
Bhubaneswar
Tuesday, October 8, 2024
Homeଦେଶ ବିଦେଶ‘ରୁଷ୍‌’ ସାଜିପାରେ ଇସ୍ରାଏଲ୍ ପାଇଁ ନୂଆ ବିପଦ

‘ରୁଷ୍‌’ ସାଜିପାରେ ଇସ୍ରାଏଲ୍ ପାଇଁ ନୂଆ ବିପଦ

ମସ୍କୋ୍‌: ରବିବାର ଇସ୍ରାଏଲ୍ ସେନା ପକ୍ଷରୁ ସିରିଆ-ଲେବାନନ୍ ସୀମାରେ ହୋଇଥିବା ଭୟଙ୍କର ବୋମାବର୍ଷା ଯୋଗୁ ରୁଷ୍‌-ଇରାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାକୁ ନେଇ ଇରାନ୍ ସହ ଏବେ ରୁଷ୍ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇପଡିଥିବା ଜଣାପଡିଛି । ଇସ୍ରାଏଲ ସେନାର ଏପ୍ରକାର କାର୍ଯ୍ୟାନୁଷ୍ଠାନ ଯୋଗୁ ଆଗାମୀ ଦିନରେ ରୁଷ୍ ସିରିଆ ସୀମାରୁ ଇସ୍ରାଏଲ ବିରୁଦ୍ଧରେ ହିଜବୁଲ୍ଲା ସଦସ୍ୟଙ୍କୁ ମୁତୟନ କରି ଯୁଦ୍ଧ ଆରମ୍ଭ କରିବା ସମ୍ଭାବନା ବଢ଼ିଯାଇଛି । ସିଧାସଳଖ କହିଲେ ଇରାନ-ଇସ୍ରାଏଲ୍ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ବିରୋଧରେ ରୁଷ୍ ଆଉ ଏକ ମୋର୍ଚ୍ଚା ଖୋଲିବାର ଯଥେଷ୍ଟ ଆଶଙ୍କା ରହିଛି ।

କାରଣ ଇସ୍ରାଏଲ ଧ୍ୱଂସ କରିଥିବା ରାଜପଥ ରୁଷ୍ ଓ ଇରାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ଥିଲା । ଉଭୟ ଦେଶ ମଧ୍ୟରେ ଚାଲିଥିବା ସମସ୍ତ ବ୍ୟବସାୟିକ ତଥା ସାମରିକ କାର୍ଯ୍ୟକ୍ରମ ଏହି ମାର୍ଗ ଦେଇ କରାଯାଇଥାଏ । ଏତଦ୍‌ବ୍ୟତୀତ ଏହି ମାର୍ଗ ସିରିଆ-ଲେବାନନ୍‌କୁ ସଂଯୋଗ କରୁଥିବା ଏକମାତ୍ର ମସନା କ୍ରସିଂ ରୋଡ୍ ଥିଲା । ଇରାନ୍ ପକ୍ଷରୁ ସିରିଆ ମାର୍ଗ ଦେଇ ହିଜବୁଲ୍ଲା ଉଗ୍ରବାଦୀ ସଂଗଠନ ପର୍ଯ୍ୟନ୍ତ ସାମରିକ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ଏହି ରାଜପଥ ଏକକ ମାର୍ଗ ରହିଥିଲା । ଏହି କାରଣରୁ ଇସ୍ରାଏଲ୍ ବାୟୁସେନା ପକ୍ଷରୁ ବୋମାମାଡ଼ ପୂର୍ବକ ଏହି ସଂଯୋଗ ପଥକୁ ହିଁ ଉଡାଇ ଦିଆଯାଇଥିଲା । ହିଜବୁଲ୍ଲାର ଅସ୍ତ୍ରଶସ୍ତ୍ର ଯୋଗାଣ ଲାଇନ୍‌କୁ ପ୍ରଭାବିତ ତଥା ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଦ୍ଦେଶ୍ୟରେ ଇସ୍ରାଏଲ ପକ୍ଷରୁ ସିରିଆ-ଲେବାନନ୍ ସୀମାରେ ଏକ ବଡ଼ଧରଣର ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏହି ଆକ୍ରମଣ କରି ଇସ୍ରାଏଲ ସିରିଆରୁ ହିଜବୁଲ୍ଲାକୁ ଅସ୍ତ୍ରଶସ୍ତ୍ର ଯୋଗାଣ ରାସ୍ତାକୁ କାଟି ଦେଇଛି । ଇସ୍ରାଏଲ କେବଳ ହିଜବୁଲ୍ଲାର ସ୍ଥଳଭାଗରେ ଥିବା ଯୋଗାଣ ମାର୍ଗକୁ ନଷ୍ଟ କରିନାହିଁ ବରଂ ଏହାର ବାୟୁ ଅସ୍ତ୍ର ଯୋଗାଣକୁ ମଧ୍ୟ ବନ୍ଦ କରିଦେଇଛି । ସୂଚନାଯୋଗ୍ୟ ହିଜବୁଲ୍ଲା ଏବେ ନିଜର ଅସ୍ଥିତ୍ୱ ପାଇଁ ସଂଗ୍ରାମ କରୁଛି । ଏହାର ସାମରିକ ଶକ୍ତି ପ୍ରାୟ ନଷ୍ଟ ହୋଇଯାଇଛି । ପାଖରେ ଅସ୍ତ୍ରଶସ୍ତ୍ର ସରିଯାଉଛି । ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି, ତେଣୁ ହିଜବୁଲ୍ଲାର ଅନ୍ତ ପାଖେଇ ଆସୁଥିବା କୁହାଯାଉଛି ।

ଇସ୍ରାଏଲ ବାୟୁସେନା ଆକ୍ରମଣରେ ଲେବାନନ୍‌କୁ ସିରିଆ ସହିତ ସଂଯୋଗ କରୁଥିବା ୨ କିଲୋମିଟର ଲମ୍ବା ଟନେଲ ମଧ୍ୟ ନଷ୍ଟ ହୋଇଯାଇଛି । ଏହି ଟନେଲ ମାଧ୍ୟମରେ ହିଜବୁଲ୍ଲାକୁ ଇରାନରୁ ଅସ୍ତ୍ରଶସ୍ତ୍ର ପଠାଯାଉଥିଲା । ଏହି ଟନେଲ ଉପରେ କେବଳ ହିଜବୁଲ୍ଲାର ୟୁନିଟ୍‌-୪୪୦୦ର ନିୟନ୍ତ୍ରଣ ଥିଲା । ଟନେଲ ଭିତରେ ଅନେକ ଅସ୍ତ୍ରଶସ୍ତ୍ର ଗୋଦାମ ରହିଥିଲା, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏହି ଅସ୍ତ୍ରଶସ୍ତ୍ର ଗୋଦାମ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ସୁତରାଂ ବର୍ତ୍ତମାନ ସିରିଆ ଦେଇ ଯୋଗାଣ ପାଇଁ ହିଜବୁଲ୍ଲା ପାଖରେ କେବଳ ତିନୋଟି ମାର୍ଗ ବାକି ଅଛି ।

ଏହି ମାର୍ଗଗୁଡ଼ିକ ହେଉଛି ମାର୍ ବାଉନ୍‌, ନାହର ଅଲ କବୀର ଏବଂ ଶେବା ଫାର୍ମ । କିନ୍ତୁ ଏଗୁଡିକ ମୁଖ୍ୟ ରାସ୍ତା ନୁହେଁ, ଏଗୁଡ଼ିକ ଜଙ୍ଗଲ କିମ୍ବା ପାହାଡ ଦେଇଯାଇଥିବା ରାସ୍ତା । ଟ୍ରକ୍ ଏହା ଉପରେ ଯାଇପାରିବ ନାହିଁ, ତେଣୁ ଅସ୍ତ୍ରଶସ୍ତ୍ରଗୁଡିକ ବଡ଼ ଆକାରରେ ଏବଂ ଦ୍ରୁତ ଗତିରେ ହିଜବୁଲ୍ଲାକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ । ଏହାର ଅର୍ଥ ଇସ୍ରାଏଲ ସେନା ଉଦ୍ଦେଶ୍ୟମୂଳକ ଭାବେ ଏସବୁ କରିଛି ଯେଉଁଥିରେ ଇସ୍ରାଏଲ୍ ସେନାକୁ ଯୁଦ୍ଧ ଲଢ଼ିବାରେ ସହଜ ହେବ । ଏସବୁ ମଧ୍ୟରେ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ବିରୋଧରେ ଆକ୍ରମଣ ଜାରି ରଖିଛି । ହିଜବୁଲ୍ଲା ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ରକେଟ୍ ମାଡ଼ କରିଛି । ହିଜବୁଲ୍ଲାର ଆକ୍ରମଣ ଯୋଗୁ ଗୋଲାନ ହାଇଟ୍ସରେ ଥିବା ଇସ୍ରାଏଲ ସେନାବାହିନୀର ଏକ ତାଲିମ କେନ୍ଦ୍ର ସମେତ ଅନେକ ସ୍ଥାନରେ ଭୟାବୟ ଅଗ୍ନିକାଣ୍ଡ ସଂଘଠିତ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking