34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ସମର୍ଥନରେ ୪ ପୂର୍ବତନ ପ୍ରଧାନ ବିଚାରପତି, ହାଇକୋର୍ଟର ୩ ପୂର୍ବତନ...

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ସମର୍ଥନରେ ୪ ପୂର୍ବତନ ପ୍ରଧାନ ବିଚାରପତି, ହାଇକୋର୍ଟର ୩ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଆପତ୍ତି

ନୂଆଦିଲ୍ଲୀ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ଦିନକ ପୂର୍ବେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ମିଳିଥିବା ବେଳେ ଏହାକୁ ନେଇ ଦେଶରେ ଏବେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି । ବିରୋଧୀ ଦଳ ଏହାକୁ ନେଇ ପ୍ରତିବାଦ କରୁଥିବା ବେଳେ ଶାସକ ଦଳ ପକ୍ଷରୁ ଏହି ପ୍ରସଙ୍ଗରେ ଜବାବ ଦିଆଯାଉଛି । ତେବେ ଏସବୁ ମଧ୍ୟରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବ ଏବଂ ଏହାର କାର୍ଯ୍ୟକାରିତାକୁ ସୁପ୍ରିମକୋର୍ଟର ୪ଜଣ ପୂର୍ବତନ ପ୍ରଧାନ ବିଚାରପତି ସମର୍ଥନ ଜଣାଇଛନ୍ତି । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ ଏବଂ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍ ବ୍ୟକ୍ତିଗତ ପରାମର୍ଶରେ ଅଂଶଗ୍ରହଣ କରି ଲିଖିତ ଜବାବ ଦେଇ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ଜଣାପଡିଛି ।
ସୁପ୍ରିମକୋର୍ଟର ଏହି ୪ ପୂର୍ବତନ ସିଜେଆଇଙ୍କ ଅନୁସାରେ, ଏକକାଳୀନ ନିର୍ବାଚନ ‘ମୌଳିକ ଢାଞ୍ଚା ବିରୋଧୀ’, ‘ସଂଘୀୟ ବ୍ୟବସ୍ଥା’ କିମ୍ବା ‘ଗଣତନ୍ତ୍ର ବିରୋଧୀ’ ବୋଲି ଭାବିବା ଭିତ୍ତିହୀନ । ଏକ କାଳୀନ ନିର୍ବାଚନ ଦ୍ୱାରା ନିର୍ବାଚନୀ ଖର୍ଚ୍ଚକୁ ସୀମିତ ରଖାଯିବା ସହ ଦକ୍ଷତା, ପ୍ରଶାସନିକ ସରଳୀକରଣ, ଭୋଟରଙ୍କ ସଂପୃକ୍ତି ବୃଦ୍ଧି ଏବଂ ଅର୍ଥ ଓ ବାହୁବଳର କମ୍ ପ୍ରଭାବ ଦେଖିବାକୁ ମିଳିବ । ନିର୍ବାଚନ ପ୍ରକ୍ରିୟାରେ ଉନ୍ନତି ଆଣିବା, ଗଣତାନ୍ତ୍ରିକ ନୀତିକୁ ବଜାୟ ରଖିବା, ବାରମ୍ବାର ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବାରୁ ବାରମ୍ବାର ନିର୍ବାଚନ ନିଷ୍ପତ୍ତି ନେବା ଓ ବିକାଶରେ ବାଧା ସୃଷ୍ଟି ହେଉଥିବା ପରିପ୍ରେକ୍ଷୀରେ ଏକକାଳୀନ ନିର୍ବାଚନର ଆବଶ୍ୟକତା ରହିଛି ।
ଅନ୍ୟପକ୍ଷେ ଦିଲ୍ଲୀ, ଆହ୍ଲାବାଦ, ରାଜସ୍ଥାନ, ମାଡ୍ରାସ ଏବଂ କୋଲକାତା ଭଳି ରାଜ୍ୟର ହାଇକୋର୍ଟଙ୍କ ୧୨ଜଣ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ମଧ୍ୟରୁ ୯ଜଣ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ବାକି ୩ଜଣ କିନ୍ତୁ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି । ଏହି ୩ ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିମାନେ ହେଲେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏପି ଜଷ୍ଟିସ ଶାହା, କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଗିରିଶ ଚନ୍ଦ୍ର ଗୁପ୍ତା ଏବଂ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ । ଏମାନଙ୍କ ମତରେ ଏଭଳି ନିର୍ବାଚନ ଗଣତାନ୍ତ୍ରିକ ଅଭିବ୍ୟକ୍ତିକୁ ଏବଂ ରାଜନୈତିକ ଉତ୍ତର ଦାୟିତ୍ୱକୁ କ୍ଷୁଣ୍ଣ କରିପାରେ ଏବଂ ବିକୃତ ମତଦାନ ପଦ୍ଧତି ଏବଂ ରାଜ୍ୟସ୍ତରୀୟ ରାଜନୈତିକ ପରିବର୍ତ୍ତନ ଆଣିପାରେ । ଏକକାଳୀନ ନିର୍ବାଚନର ଧାରଣା ଗଣତାନ୍ତ୍ରିକ ନୀତି ପାଇଁ ଅନୁକୂଳ ନୁହେଁ । ଏହି ପଦକ୍ଷେପ ଭାରତର ସଂଘୀୟ ଢାଞ୍ଚାକୁ ଦୁର୍ବଳ କରିବ ଏବଂ ଆଞ୍ଚଳିକ ପ୍ରସଙ୍ଗ ପାଇଁ କ୍ଷତିକାରକ ହେବ ।
ରିପୋର୍ଟ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲା । ପ୍ରାରମ୍ଭିକ ପଦକ୍ଷେପ ଭାବେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ଏବଂ ଏହା ପରେ ଅର୍ଥାତ୍ ପରବର୍ତ୍ତୀ ପର୍ଯ୍ୟାୟରେ ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ କରିବାକୁ କମିଟି ପ୍ରସ୍ତାବ ଦେଇଛି । ତେବେ ଏପ୍ରକାର ଏକ ପ୍ରସ୍ତାବକୁ ଚଳିତ ସେପ୍ଟେମ୍ବର ୧୮ରେ କେନ୍ଦ୍ର କ୍ୟାବିନେଟ୍ ଏକକାଳୀନ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking