18.1 C
Bhubaneswar
Friday, December 19, 2025
Homeଓଡିଶାବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦେୟମୁକ୍ତ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ, ଆଭାସୀ ମାଧ୍ୟମରେ...

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦେୟମୁକ୍ତ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ, ଆଭାସୀ ମାଧ୍ୟମରେ ଯୋଗ ଦେଲେ ମନ୍ତ୍ରୀ

 ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ବିଶେଷ କରି ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ହେବେ ଉପକୃତ

 ଉଦଘାଟନୀ କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ଯୋଗ ଦେଲେ ୮୨,୭୦୦ ଛାତ୍ରଛାତ୍ରୀ

ଭୁବନେଶ୍ବର : ବିନା ଦେୟରେ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର ଆୟାରଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିବା ଓଡ଼ିଶାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ କରି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଏହି କାର୍ଯ୍ୟକ୍ରମ ସମସ୍ତ ଛାତ୍ରଛାତ୍ରୀ ବିଶେଷ କରି ଉପାନ୍ତ ଅଞ୍ଚଳରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା, ଉଚ୍ଚଶିକ୍ଷା ନିମିତ୍ତ ପ୍ରବେଶିକା ପରୀକ୍ଷାଗୁଡ଼ିକରେ କୃତକାର୍ଯ୍ୟ କରାଇବା ପାଇଁ ଯଥେଷ୍ଟ ସହାୟକ ହେବ । ଛାତ୍ରଛାତ୍ରୀମାନେ ବିନା କୌଣସି ଦେୟରେ ଏହାର ଲାଭ ଉଠାଇ ପାରିବେ । ଏହି କାର୍ଯ୍ୟକ୍ରମ ଜରିଆରେ ସ୍ବଳ୍ପ ସମୟ ମଧ୍ୟରେ ଅଧିକ ସଂଖ୍ୟକ ପ୍ରଶ୍ନୋତ୍ତର ଦେଇପାରିବାର ଆତ୍ମବିଶ୍ବାସ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ୨୦୨୪-୨୫ ଶିକ୍ଷା ବର୍ଷରେ ନୂତନ କରି ନାମ ଲେଖାଇଥିବା ଇଚ୍ଛୁକ ମୋଟ ୮୨,୭୦୦ ଛାତ୍ରଛାତ୍ରୀ ମାନେ ଏହି ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମରେ ଅନଲାଇନ୍ ମାଧ୍ୟମରେ ଯୋଡ଼ି ହୋଇଛନ୍ତି । ଦ୍ବାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ବୃତ୍ତି ମୂଳକ ଉଚ୍ଚଶିକ୍ଷା ଅଧ୍ୟୟନ ନିମିତ୍ତ ପ୍ରବେଶିକା ପରୀକ୍ଷା ଯଥା- IPMAT/JIPMAT, CUET, CLAT, NDA, NIFT ଇତ୍ୟାଦି ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ଇଂରାଜୀ, ସାଧାରଣ ଜ୍ଞାନ, ଗଣିତ, ରେଜୋନିଂ, କ୍ବାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡ୍ ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ବାରା ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । ଏହି ଅନଲାଇନ୍ କ୍ଲାସ୍ ସୋମବାରଠାରୁ ଗୁରୁବାର ପ୍ରତ୍ୟହ ଅପରାହ୍ନ ୨ ଟା ରୁ ୩.୩୦ ମିନିଟ ପର୍ଯ୍ୟନ୍ତ ଚାଲିବ । ଶିକ୍ଷାଦାନ ସହିତ ୧୫ ଦିନ ବ୍ୟବଧାନରେ ଶୁକ୍ରବାର ଦିନ ପରୀକ୍ଷା କରାଯିବ । ଏହି ପରୀକ୍ଷା ଓଏମଆର୍ ସିଟ୍ କିମ୍ବା କମ୍ୟୁଟର ମାଧ୍ୟମରେ କରାଯିବ । ଏହି ପରୀକ୍ଷାର ମାର୍କ ସାମ୍ସ (SAMS) ପୋର୍ଟାଲ୍ ରେ ଅପଲୋଡ୍ କରାଯିବ ।

ସୂଚନାଯୋଗ୍ୟ, ଅଧ୍ୟକ୍ଷମାନେ ଏହି ଶ୍ରେଣୀ ଯୋଗଦାନ କରୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାପନ ଏବଂ ଯୋଗାଯୋଗ ସୂଚନା ସାମ୍ସ (SAMS) ପୋର୍ଟାଲ୍ ରେ ପ୍ରତ୍ୟହ ଅପଡ଼େଟ୍ କରିବେ । ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମ ନିମିତ୍ତି ନୋଡାଲ୍ ଅଫିସର୍ ଓ ମେଣ୍ଟର ଶିକ୍ଷକ ମାନଙ୍କ ନାମ ଓ ନମ୍ବର ପ୍ରଦାନ କରିବେ । ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ କର୍ମ ସଂସ୍ଥାନ ଓ ଉଚ୍ଚଶିକ୍ଷା ନିମିତ୍ତ ସହାୟକ ହେବ । ଏହାଦ୍ବାରା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀମାନେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ତଥା ଚାକିରୀ କରିବାରେ ସକ୍ଷମ ହୋଇପାରିବେ । ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳର ଛାତ୍ରଛାତ୍ରୀ ଲାଭବାନ ହୋଇପାରିବେ । ତେବେ ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧିକାରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking