23.1 C
Bhubaneswar
Thursday, December 25, 2025
Homeଖେଳଅନ୍ତର୍ଜାତୀୟ ଫୁଟ୍‌ବଲ୍‌କୁ ସୁଆରେଜ୍‌ଙ୍କ ଅଲ୍‌ବିଦା

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌କୁ ସୁଆରେଜ୍‌ଙ୍କ ଅଲ୍‌ବିଦା

ନୂଆଦିଲ୍ଲୀ : ଉରୁଗୁଏର ଷ୍ଟାର୍ ଷ୍ଟ୍ରାଇକର୍ ଲୁଇସ୍ ସୁଆରେଜ୍ ଅନ୍ତର୍ଜାତୀୟ ପୁଟ୍‌ବଲ୍‌ରୁ ସନ୍ନ୍ୟାସ ନେଇଛନ୍ତି। ଶୁକ୍ରବାର ପାରାଗୁଏ ବିପକ୍ଷରେ ସେ ନିଜର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ସନ୍ନ୍ୟାସ ନେଲେ ମଧ୍ୟ ସେ କ୍ଲବ୍ ଫୁଟ୍‌ବଲ୍ ଖେଳିବେ। ସୁଆରେଜ୍ ଆମେରିକୀୟ କ୍ଲବ୍ ଇଣ୍ଟର ମିଲାନ୍ ପକ୍ଷରୁ ଖେଳୁଛନ୍ତି। ଉରୁଗୁଏ ଓ ପାରାଗୁଏ ମଧ୍ୟରେ ବିଶ୍ୱକପ୍ କ୍ୱାଲିଫାୟର୍‌ର ଏହି ମ୍ୟାଚ୍‌ଟି ଗୋଲ୍‌ଶୂନ୍ୟ ଭାବେ ଡ୍ର’ ରହିଥିଲା। ସୁଆରେଜ୍‌ଙ୍କ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍ ଅବସରରେ ତାଙ୍କ ପରିବାର ସଦସ୍ୟ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ। ଏହି ଅବସରରେ ସେ ଭାବପ୍ରବଣ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ସୁଆରେଜ୍‌ଙ୍କ ବିବାଦ ସହିତ ପୁରୁଣା ସମ୍ପର୍କ ରହିଛି। ଏହି କାରଣରୁ ତାଙ୍କ କଣ୍ଟ୍ରୋଭର୍ସି କିଙ୍ଗ୍ ମଧ୍ୟ କୁହାଯାଇଥାଏ। ୩୭ ବର୍ଷୀୟ ଫୁଟ୍‌ବଲର୍ ଚଳିତ ବର୍ଷ ସେପ୍ଟେମ୍ପର ୨ ତାରିଖରେ ସେଣ୍ଟେନାରିୟୋ ଷ୍ଟାଡିୟମ୍‌ରେ କହିଥିଲେ ଯେ ‘ଶୁକ୍ରବାର ହେବାକୁ ଥିବା ମ୍ୟାଚ୍ ଦେଶ ପକ୍ଷରୁ ମୋର ଅନ୍ତିମ ମ୍ୟାଚ୍ ହେବ।’ ଲିଭର୍‌ପୁଲ୍ ଏବଂ ବାର୍ସିଲୋନା ପକ୍ଷରୁ ଖେଳିସାରିଥିବା ସୁଆରେଜ୍ ନିଜର ଦେଶ ପକ୍ଷରୁ ୧୪୨ ମ୍ୟାଚ୍‌ରେ ୬୯ ଗୋଲ୍ ସ୍କୋର୍ କରିଛନ୍ତି। ଏହା ଉରୁଗୁଏ ପକ୍ଷରୁ ରେକର୍ଡ। ସେ ଉରୁଗୁଏ ପକ୍ଷରୁ ୪ଟି ବିଶ୍ୱକପ୍ ଏବଂ ୫ କୋପା ଆମେରିକା ଟୁର୍ଣ୍ଣାମେଣ୍ଟ୍‌ରେ ଅଂଶଗ୍ରହଣ କରିଛନ୍ତି। ସୁଆରେଜ୍ ୨୦୦୭ରେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ପଦାର୍ପଣ କରିଥିଲେ। ପଦାର୍ପଣ ମ୍ୟାଚ୍‌ରେ କଲମ୍ବିଆ ବିପକ୍ଷରେ ଉରୁଗୁଏ ୩-୧ରେ ବିଜୟୀ ହୋଇଥିଲା।
ସୁଆରେଜ୍ ବହୁ ଥର ପ୍ରତିପକ୍ଷ ଟିମ୍‌ର ଖେଳାଳିଙ୍କୁ କାମୁଡ଼ିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଫିଫା ତାଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ତାଙ୍କୁ ବ୍ୟାନ୍ ମଧ୍ୟ କରିଛି। ତାଙ୍କର ଫୁଟ୍‌ବଲ୍ କାର୍ଯ୍ୟକ୍ରମରେ ଭାଗନେବା, ଅଭ୍ୟାସ କରିବା ଏବଂ ଏପରିକି ଷ୍ଟାଡିୟମ୍‌ରେ ପ୍ରବେଶ କରିବା ଉପରେ ମଧ୍ୟ ରୋକ୍ ଲଗାଯାଇଥିଲା। ୨୦୧୪ ଫିଫା ବିଶ୍ୱକପ୍ ମ୍ୟାଚ୍ ଅବସରରେ ସୁଆରେଜ୍ ଇଟାଲୀର ଜର୍ଜିୟୋ ଚେଲିନୀଙ୍କୁ କାମୁଡ଼ି ଦେଇଥିଲେ। ଫଳରେ ତାଙ୍କୁ ୬ ମାସ ବ୍ୟାନ୍ କରାଯାଇଥିଲା। ଏହି ବିବାଦ ପରେ ଇଂଲିଶ ପ୍ରିମିୟର୍ କ୍ଲବ୍ ଲିଭର୍‌ପୁଲ୍‌ରୁ ତାଙ୍କର ଟ୍ରାନ୍ସଫର୍ ସ୍ପେନ୍‌ର ବାର୍ସିଲୋନାଙ୍କୁ ହୋଇଥିଲା। ତେବେ ଏହି ଟ୍ରାନ୍ସଫରରେ ତାଙ୍କୁ ୧୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଟ୍ରାନ୍ସଫର୍ ବାବଦରେ ତାଙ୍କୁ ପ୍ରାୟ ୭୫୪ କୋଟି ଟଙ୍କା ମିଳିବାର ଥିଲା, ମାତ୍ର ଘଟଣା ପରେ ପ୍ରାୟ ୧୦୦ କୋଟି ଟଙ୍କା କମ୍ ଦିଆଯାଇଥିଲା। ସେହିପରି ୨୦୨୩ ଏପ୍ରିଲ୍ ୨୧ରେ ଲିଭର୍‌ପୁଲ୍ ପକ୍ଷରୁ ଖେଳୁଥିବା ବେଳେ ଚେଲ୍‌ସିର ବ୍ରାନିସ୍ଲାଭ୍ ଇଭାନୋଭିଚ୍‌ଙ୍କ ହାତକୁ କାମୁଡ଼ି ଦେଇଥିଲେ। ଏଥିପାଇଁ ସୁଆରେଜ୍‌ଙ୍କୁ ୧୦ ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking