ନାମିବ୍ୟା: ଆଫ୍ରିକୀୟ ଦେଶ ନାମିବ୍ୟା ଏବେ ଶତାବ୍ଦୀର ଉତ୍କଟ ଦୁର୍ଭିକ୍ଷ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଗତ କିଛି ବର୍ଷ ଧରି ଏଠାରେ ସ୍ୱଳ୍ପବୃଷ୍ଟି ଯୋଗୁଁ ଏହି କ୍ଷୁଦ୍ର ଆଫ୍ରିକୀୟ ରାଷ୍ଟ୍ରରେ ଖାଦ୍ୟାଭାବଜନିତ ଭୟଙ୍କର ସ୍ଥିତି ଉତ୍ପନ୍ନ ହୋଇଛି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଲୋକମାନେ ଏବେ ଭୋକ ଓପାସରେ ମୃତ୍ୟୁବରଣ କରୁଛନ୍ତି । ପରିସ୍ଥିତି ଏପରି ହୋଇଛି ଲୋକେ ନିଜ ଗୃହପାଳିତ ପଶୁପକ୍ଷୀଙ୍କୁ ମାରି ଖାଇବାକୁ ମଧ୍ୟ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ ନାମିବ୍ୟା ସରକାର ମଧ୍ୟ ବାଧ୍ୟହୋଇ ବନ୍ୟଜନ୍ତୁଙ୍କୁ ମାରି ଖାଇବାକୁ ଦେଶବାସୀଙ୍କୁ ଅନୁମତି ଦେଇଛନ୍ତି ।
ରିପୋର୍ଟ ଅନୁସାରେ ନାମିବ୍ୟା ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ବନ୍ୟଜନ୍ତୁଙ୍କୁ ହତ୍ୟା କରାଯାଇସାରିଛି । ଏଥିରୁ ପ୍ରାୟ ୭୦ଟନ୍ ମାଂସ ସଂଗୃହୀତ ହୋଇଥିବା ବେଳେ ଏସବୁକୁ ଦୁର୍ଭିକ୍ଷପୀଡ଼ିତ ନାଗରିକଙ୍କୁ ଯୋଗାଇଦିଆଯାଇଛି । ଜୀବନ ଧାରଣ ପାଇଁ ପଶୁ ମାଂସ ଭକ୍ଷଣ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିବାରୁ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଏସବୁକୁ ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି । ବନ୍ୟଜନ୍ତୁଙ୍କ ଶିକାର ତଥା ହତ୍ୟା କରିବା ପାଇଁ ନାମିବ୍ୟା ସରକାର ପ୍ରଫେସନାଲ ଶିକାରୀଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ପ୍ରାୟ ୭୦୦ରୁ ଅଧିକ ବନ୍ୟଜନ୍ତୁଙ୍କୁ ମାରିବାକୁ ମଧ୍ୟ ନାମିବ୍ୟା ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ନାମିବ୍ୟାର ପରିବେଶ, ଜଙ୍ଗଲ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଗତ ସୋମବାର ଘୋଷଣା କରାଯାଇଛି ଯେ, ମରାଯିବାକୁ ଚିହ୍ନଟ ହୋଇଥିବା ଏହି ୭୨୩ ପଶୁଙ୍କ ମଧ୍ୟରେ ୮୩ଟି ହାତୀ, ୩୦ଟି ଜଳହସ୍ତୀ, ୬୦ଟି ମଇଁଷି, ୫୦ଟି ଇମ୍ପାଲା (ହରିଣ), ୧୦୦ଟି ନୀଳଗାଈ, ୧୦୦ ଖଚର ଓ ୩୦୦ଟି ଜେବ୍ରା ଅଛନ୍ତି ।
ଗୋଟିଏ ପଟେ ଯେଉଁଠି ଭୋକ ଉପାସରେ ମରୁଥିବା ନିଜ ଦେଶର ନାଗରିକଙ୍କୁ ବଞ୍ଚାଇବା ପାଇଁ ନାମିବ୍ୟା ସରକାର ବନ୍ୟଜନ୍ତୁଙ୍କୁ ହତ୍ୟା କରିବା ଭଳି କ୍ରୁର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ସେଠାରେ ନାମିବ୍ୟା ସରକାରଙ୍କ ଏହି ପଦକ୍ଷେପକୁ ପଶୁ ଅଧିକାର ପାଇଁ ଲଢୁଥିବା ସଂଗଠନ ପେଟା’ ତୀବ୍ର ସମାଲୋଚନା କରିଛି । ସେହିପରି ଭାରତୀୟ ଶିଳ୍ପପତ ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ସଂସ୍ଥା ‘ବନତାରା ଫାଉଣ୍ଡେସନ୍’ ନାମିବ୍ୟାରେ ଏସବୁ ପଶୁଙ୍କ ସୁରକ୍ଷା ପାଇଁ ସେଠିକାର ସରକାରଙ୍କୁ ପତ୍ର ଲେଖିଛି । ଏହି ପଶୁଙ୍କ ଜୀବନ ବଦଳରେ ମାନବୀୟ ସହାୟତା ଯୋଗାଇଦେବାର ଇଚ୍ଛାବ୍ୟକ୍ତ ପୂର୍ବକ ପାଇଁ ସଂଗଠନ ନାମିବ୍ୟା ସରକାରଙ୍କୁ ପ୍ରସ୍ତାବ ଦେଇଛି ।