24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ; ପୁଣି ୨୯ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ; ପୁଣି ୨୯ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଶ୍ରୀନଗର:  ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଜି ପୁନର୍ବାର ଏକ ୨୯ଜଣିଆ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଦିନକ ପୂର୍ବରୁ ବିଜେପି ଏଠାରେ ୧୬ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା । ସୁତରାଂ ଗତ ଦୁଇ ଦିନ ମଧ୍ୟରେ ବିଜେପି, ୯୦ ଆସନ ବିଶିଷ୍ଟ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମୋଟ୍ ୪୫ ଚୂଡାନ୍ତ ପ୍ରାର୍ଥୀଙ୍କ ତାଲିକା ଓ ସେମାନେ କେଉଁ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ ଘୋଷଣା କରିସାରିଛି । ତେବେ ଆଜି ଜାରି ହୋଇଥିବା ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜମ୍ମୁ-କାଶ୍ମୀରର ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ସିଂହ ରାଣାଙ୍କ ନାଁ ରହିଛି । ସେ ଏଥର ନଗ୍ରୋଟା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।  କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମ୍ପର୍କୀୟ ଭାଇ ହେଉଛନ୍ତି ଦେବେନ୍ଦ୍ର । ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ସତୀଶ ଶର୍ମା ବିଲ୍ଲାୱର ଆସନରୁ ନିର୍ବାଚନ ଲଢ଼ିବେ । ଶେଷ ଥର ପାଇଁ ୨୦୧୪ରେ ହୋଇଥିବା ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ସମୟରେ ବିଲ୍ଲାୱର ଆସନରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ବିଜୟୀ ହୋଇଥିଲେ । ହେଲେ ଏଥର ସତୀଶ ଶର୍ମା ଏଠାରୁ ପ୍ରାର୍ଥୀ ହୋଇଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ବିଜେପି ପ୍ରଥମ ପର୍ଯ୍ୟାୟ ପାଇଁ ଘୋଷଣା କରିଥିବା ୧୬ ଜଣିଆ ପ୍ରାର୍ଥୀ ତାଲିକାରେ ଆଜି ଏକ ଛୋଟ ପରିବର୍ତ୍ତନ କରିଛି । ଦଳ ପକ୍ଷରୁ ଜଣେ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଛି । ରିପୋର୍ଟ ଅନୁସାରେ ଶ୍ରୀମାତା ବୈଷ୍ଣୋ ଦେବୀ ନିର୍ବାଚନ ମଣ୍ଡଳୀ ପାଇଁ ଗତକାଲି ଘୋଷିତ ହୋଇଥିବା ପ୍ରାର୍ଥୀ ରୋହିତ ଦୁବେଙ୍କୁ ଆଜି ଦଳ ପରିବର୍ତ୍ତନ କରି ଏଠାରେ ବଲଦେବ ରାଜ ଶର୍ମାଙ୍କୁ ପ୍ରାର୍ଥୀ କରିଛି । । ତେବେ ବାକି କିଛି ଆସନରେ ପ୍ରାର୍ଥୀଙ୍କ ନାଁକୁ ନେଇ ବିଦ୍ରୋହ ଦେଖାଯାଇଥିଲେ ହେଁ ବିଜେପି କୌଣସି ପରିବର୍ତ୍ତନ କରିନାହିଁ । ତେବେ ବର୍ତ୍ତମାନ ସୁଦ୍ଧା, ବିଜେପି ନୌଶେରା ଆସନ କିମ୍ବା ଗାନ୍ଧିନଗର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।  ୨୦୧୪ରେ ନୌଶେରା ଆସନରେ ବିଜେପି ନେତା ରବୀନ୍ଦ୍ର ରାଇନା ବିଜୟୀ ହୋଇଥିଲେ । ସେ ଏବେ ଜମ୍ମୁ-କାଶ୍ମୀର ବିଜେପି ମୁଖ୍ୟ ଭାବେ କାମ କରୁଛନ୍ତି ।
୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମୋଟ ୯୦ଟି ଆସନରେ ଭୋଟିଂ ହେବ । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ଏବଂ ୪ ଅକ୍ଟୋବରରେ ଭୋଟ୍ ଗଣତି ସହ ରେଜଲ୍ଟ ଆସିବ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ଅଗଷ୍ଟ ୨୭ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking