ସମ୍ବଲପୁର: ଶନିବାର ସକାଳେ ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ କାଜଲ ଏବେ ସୁଦ୍ଧା ନିଖୋଜ ଅଛନ୍ତି। କାଜଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସକାଳୁଆ ସ୍କୁଲ ଥିବାରୁ କାଜଲ ଆଜି ସାଇକେଲ ଧରି ଘରୁ ବାହାରି ଆସିଥିଲେ। ସେ ଚାଉଁରପୁର ବ୍ରିଜ ନିକଟରେ ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ। ଏହାଦେଖି ମଣ୍ଣିଂୱାକ୍ କରୁଥିବା କିଛି ଲୋକ ପାଟି କରିଥିଲେ।
ସେମାନେ ପହଞ୍ଚିବା ପୂର୍ବରୁ ଆଖି ପିଛୁଳାକେ ଛାତ୍ରୀଜଣକ ପାଣିକୁ ଡେଇଁ ପଡ଼ିଥିଲେ। ଖବର ପାଇ ଉଦ୍ଧାର ପାଇଁ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ପାରିନି। ପୂର୍ବରୁ ସବୁ କିଛି ଠିକ୍ ଥିବା ବେଳେ ଝିଅ କ’ଣ ପାଇଁ ଏପରି ପଦକ୍ଷେପ ନେଲା ତାହା ପରିବାର ଲୋକେଜାଣି ପାରୁ ନାହାନ୍ତି। ଏବେ ହୀରାକୁଦର ୧୪ଟି ଗେଟ୍ ଖୋଲାଥିବା ବେଳେ ମହାନଦୀରେ ୯୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି।










