ଭୁବନେଶ୍ୱର : ରାଜ୍ୟରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ କହିଲେ ଅବକାରୀ ମନ୍ତ୍ରୀ । ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ଓଡିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ । ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବନି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ । ଚୋରା ମଦ କାରବାର ନେଟୱାର୍କର ମୂଳୋତ୍ପାଟନ ହେବ ।ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରାମ ଚନ୍ଦ୍ର କାଡାମ ଓ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଆଣିଥିବା ମୁଲତବୀ ପ୍ରସ୍ତାବ “ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ସତ୍ୟ ଓ ତଥ୍ୟ ଲୁଚାଇବାକୁ ସରକାରଙ୍କ ଉଦ୍ୟମ ଯୋଗୁଁ ବ୍ୟାପକ ଜନ ଅସନ୍ତୋଷ ” ର ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଉତ୍ତରରେ ସେ କହିଛନ୍ତି ଯେ ଅଗଷ୍ଟ ୧୯ ତାରିଖରେ ଗଞ୍ଜାମ ଜିଲ୍ଲା କେ,ନୂଆଗାଁ ଥାନା ଅନ୍ତର୍ଗତ ମୌନ୍ଦପୁର ଗ୍ରାମରେ ବେଆଇନ ଦେଶୀ ମଦ ପିଇବା କାରଣରୁ ପେଟ ଯନ୍ତ୍ରଣା ଓ ବାନ୍ତି ଭଳି ଲକ୍ଷଣ ଦେଖାଯିବାର ସୂଚନା ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଥିଲା ।ତେବେ ପରେ ଚିକିଟିର ସିଏଚସିରେ ଭର୍ତ୍ତି ହୋଇଥିବା ୧୮ ଜଣ ରୋଗୀଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବା ସହ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁ ଓ କାଜୁଆଲିଟି ୱାର୍ଡରେ ଅତିରିକ୍ତ ରୋଗୀଙ୍କୁ ରଖିବା ପାଇଁ ମଧ୍ୟ ସତର୍କ କରାଯାଇଥିଲା ।
ଚିକିଟିରେ ପ୍ରାଥମିକ ଚିକିତ୍ସା ପରେ ୧୫ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା । ଅତିରିକ୍ତ ରୋଗୀଙ୍କ ଯାତାୟାତ ସହାୟତା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଏସଆରଟିସି ବସର ବ୍ୟବସ୍ଥା କରାଯାଇଥିଲା । ଗୁରୁତର ରୋଗୀଙ୍କ ଯାତାୟାତ ପାଇଁ ୧୦୮ ଆମ୍ବୁଲାନ୍ସ ସେବା ସମେତ ଆଖପାଖ ବ୍ଲକରୁ ଆମ୍ବୁଲାନ୍ସ ମୁତୟନ କରାଯାଇଥିଲା । ଗୁରୁତର ୨ ଜଣ ରୋଗୀଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସଯୋଗେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯିବା ସହ ଅନ୍ୟ ରୋଗୀ ମାନଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା ।
ମାମଲାକୁ ଦୃଷ୍ଟିରେ ରଖି ଗଞ୍ଜାମ ଏସପି ଙ୍କ ନେତୃତ୍ୱ ରେ, ସ୍ବାସ୍ଥ୍ୟ ବିଭାଗ, ସରପଞ୍ଚ ଓ ସ୍ଥାନୀୟ ୱାର୍ଡ ମେମ୍ଵର, ରାଜସ୍ବ କର୍ମଚାରୀ, ପୁଲିସ ଓ ବ୍ଲକ ପ୍ରଶାସନ ର ଏକ ମଲ୍ଟି ଡିସିପ୍ଲିନାରୀ ଟିମ୍ ମୁତୟନ କରାଯାଇଥିଲା । ଏହି ଟିମ୍ ପବ୍ଲିକ ଆଡ୍ରେସ୍ ସିଷ୍ଟମ୍ ଘୋଷଣା ମାଧ୍ୟମରେ ଏବଂ ଘରକୁ ଘର ବୁଲି ମଦ ପିଇଥିବା ବାସିନ୍ଦାଙ୍କୁ ଚିକିଟିସ୍ଥିତ ସିଏଚସିରେ ତୁରନ୍ତ ଚିକିତ୍ସା ପାଇଁ ଅନୁରୋଧ କରି ଜଳସେଚନ ଅଭିଯାନ କରିଥିଲେ । ତେବେ କୌଣସି ନୂଆ ମାମଲାର ତୁରନ୍ତ ପ୍ରତିକାର ପାଇଁ ଚିକିଟିର ସିଏଚସିରେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍ ଗଠନ କରାଯାଇଛି ।
ଆଜି ପର୍ଯ୍ୟନ୍ତ ବ୍ରହ୍ମପୁର ଏମକେସିଜି ରେ ମୋଟ ୧୭ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। କାଜୁଆଲିଟି ୱାର୍ଡରେ ୧୩ ଜଣ ରୋଗୀ ଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ୪ ଜଣ ଆଇସିୟୁରେ ଚିକିତ୍ସିତ ହେଉଥିବା ଅବସ୍ଥାରେ, ସେମାନଙ୍କ ମଧ୍ଯରୁ ଚିକିଟି ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ୧) ଜୁରା ବେହେରା ବାପା-ସ୍ବର୍ଗତ ନାଥ ବେହେରା ଓ ୨) ଲୋକନାଥ ବେହେରା ବାପା- ସ୍ବର୍ଗତ ରମା ବେହେରାଙ୍କର ୨୧.୦୮.୨୪ ରେ ପରଲୋକ ଘଟିଛି । ସମସ୍ତ ୧୫ ଜଣ ଙ୍କ ଚିକିତ୍ସା ଏବେ ଜାରି ରହିଛି । ତେବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେ କହିଛନ୍ତି
ମଦ ପିଇ ବ୍ୟକ୍ତିଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରି କେ. ନୂଆଗାଁ କେସ ନଂ ୨୫୨ ତାରିଖ ୨୦.୦୮.୨୦୨୪ ଭାରତୀୟ ନାଁ ସଂହିତାର ଧାରା ୬୧(୨)/୧୧୦/୧୧୩/୨୭୪/୨୭୫ /ଓଡ଼ିଶା ଅବକାରୀ ଆଇନର ଧାରା ୫୨(ଏ)/୫୯(ବି)(ସି)/୬୨(୧) ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ବେଳେ ୬ ଜଣ ଅଭିଯୁକ୍ତ ରବି ସାହୁ, ବୟସ ୨୮ ବାପା- ଭୁବନୀ ସାହୁ, ବାପିମି ସାହୁ, ବୟସ ୩୪ ବାପା-ବାୟା ସାହୁ, ବାୟା ସାହୁ, ବୟସ ୫୬ ବାପା- ପୁରୁଷୋତ୍ତମ ସାହୁ
,ବଳରାମ ବିଷୋୟୀ, ବୟସ ୬୫ ବାପା- ଶ୍ୟାମସୁନ୍ଦର ବିଷୋୟୀ,ସୁରେନ୍ଦ୍ର ମଲ୍ଲିକ, ବୟସ ୪୦ ବାପା-ରଘୁନାଥ ମଲ୍ଲିକ,ରାମ ମଲ୍ଲିକ, ବୟସ ୬୨ ବାପା-ଭୀମ ମଲ୍ଲିକଙ୍କୁ ଗିରଫ କରାଯାଇ ବିଚାର ପାଇଁ କୋର୍ଟ ଚାଲାଣ କରାଯାଇଛି । ଉପରୋକ୍ତ ୬ ଜଣ ମଧ୍ୟରୁ ପ୍ରଥମ ୪ ଜଣ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର କେ,ନୂଆଗାଁ ଥାନା ଅନ୍ତର୍ଗତ ମୌନ୍ଦପୁର ଗ୍ରାମ ର ଅଟନ୍ତି ଓ ଅବଶିଷ୍ଟ ୨ ଜଣ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଦିଗପାହାଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି ଗ୍ରାମ ର ଅଟନ୍ତି । ତଦନ୍ତକାରୀ ଅଧିକାରୀ ବେଆଇନ ଭାବେ ୨୦ ଲିଟର ମଦ ଜବତ କରିବା ସହ ତାହାକୁ ରାସାୟନିକ ପରୀକ୍ଷଣ ନିମନ୍ତେ ବ୍ରହ୍ମପୁର ଆଞ୍ଚଳିକ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ କୁ ପଠାଇଛନ୍ତି । ତେବେ ଅଧିକ ଜଟିଳତା ଏବଂ ନକଲି ମଦ ପିଇବାର ସମ୍ଭାବନାକୁ ଆଶଙ୍କା କରି ତୁରନ୍ତ ଅବକାରୀ, ପୋଲିସ ଓ ରାଜସ୍ବ ପ୍ରଶାସନର ଅଧିକାରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ବନ୍ଧୁବିଭାଗୀୟ ମିଳିତ ଅବକାରୀ ଚଢ଼ାଉ କରାଯାଇଥିଲା । କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସମସ୍ତ ଥାନାକୁ ସତର୍କ ରହିବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।
ଦିଗପହଣ୍ଡି ଥାନା ଅନ୍ତର୍ଗତ ମିତ୍ରପୁର, ସରକତ ଓ ବାଣିଆମାରି ଅଞ୍ଚଳରେ ବ୍ୟାପକ ଚଢ଼ାଉ କରାଯାଇ ୬୦୦ ଲିଟର ଫରମେଣ୍ଟେଡ ୱାସ୍ ଜବତ କରାଯାଇ ନଷ୍ଟ କରାଯାଇଛି। ଗ୍ରାମାଞ୍ଚଳରୁ ମଦ ପ୍ରସ୍ତୁତି ଉପକରଣ ମଧ୍ଯ ଠାବ ହୋଇଥିଲା । ଆନ୍ଧ୍ର ପ୍ରଦେଶ ସୀମାନ୍ତ ଜରଡ଼ା ଥାନା ତୁମ୍ବା ଫାଣ୍ଡି ଅନ୍ତର୍ଗତ ଶାସନ ଗ୍ରାମ ନିକଟରେ ଜରଡ଼ା ପୁଲିସ ଚଢ଼ଉ କରି ପ୍ରାୟ ୧୬୦୦ ଲିଟର ମହୁଆ ପୋଚ ନଷ୍ଟ କରିଛି। ଅବକାରୀ ଓ ପୁଲିସ ବିଭାଗର ମିଳିତ ଅବକାରୀ ଚଢ଼ାଉ ବେଳେ ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡିଠାରେ ୨୦୦ ଲିଟର ଲେଖାଏଁ ୨ ଟି ପ୍ଲାଷ୍ଟିକ୍ ଡ୍ରମ୍, ସ୍ଥାନୀୟ ଅଞ୍ଚଳରେ କୋଡେ ନାମରେ ପରିଚିତ ଗୋଟିଏ ବନଖଣ୍ଡର ଚେର ଓ ଗୁଡ଼ ସୁରେନ୍ଦ୍ର ମଲ୍ଲିକଙ୍କ ଘରୁ ଜବତ ହୋଇଛି । ଏହି ଘଟଣାରେ ଦିଗପାହାଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି ଗ୍ରାମର ଗିରଫ ଦୁଇ ଅଭିଯୁକ୍ତ ହେଲେ ୧) ଶ୍ରୀହରି ମଲ୍ଲିକ (୫୬ ବର୍ଷ),ପିତା – ଦାମ ମଲ୍ଲିକ ଓ ୨) ସରସ୍ବତୀ ମଲ୍ଲିକ(୩୫ ବର୍ଷ) ସ୍ଵାମୀ ସୁରେନ୍ଦ୍ର ମଲ୍ଲିକ । ଦିଗପହଣ୍ଡି ଅବକାରୀ ଷ୍ଟେସନ ପିଆର ନମ୍ବର ୩୩ ରେ ୨୦/୦୮/୨୦୨୪ରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଚଢ଼ାଉ ବେଳେ ଗ୍ରାମ ଢେପାଗାଁ ଥାନା: କେ. ନୂଆଗାଁ ଜିଲ୍ଲା : ଗଞ୍ଜାମର ନିର୍ମଳା ସାହୁ, ସ୍ଵାମୀ ଖଲି ସାହୁଙ୍କ ଠାରୁ ୧୫ ଲିଟର ଆଇଡି (ବେଆଇନ ମଦ) ଜବତ କରାଯାଇଛି । ଏବଂ ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ପିଆର ନଂ ୮୯ ତା ୨୦/୦୮/୨୦୨୪ ରେ ଏକ ଅବକାରୀ ମାମଲା ରୁଜୁ କରାଯାଇଛି । ମିଳିତ ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ମୋଟ ୫୨୦ ଲିଟର ପୋଚ ଓ ୧୯୫ ଲିଟର ଆଇଡି ମଦ ନଷ୍ଟ କରାଯାଇଛି। ତେବେ ତୁରନ୍ତ ବେଆଇନ ମଦ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।୨୨/୦୮/୨୦୨୪ରେ ସୁଦ୍ଧା ୩୭୬ ଟି ବେଆଇନ ମଦ କାରବାରର ମାମଲା ଠାବ ହୋଇଛି। ଏହି ମାମଲାରେ ୨୬୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ୪ ଜଣ ଫେରାର ହୋଇଯାଇଛନ୍ତି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି ଘଟଣାରେ ମୋଟ ୨୫୬୨୬ ଲିଟର ବେଆଇନ ମଦ ଜବତ କରାଯାଇଛି। ଏହି ସ୍ବତନ୍ତ୍ର ଅଭିଯାନରେ ୨୬ ଟି ଗାଡି କୁ ମଧ୍ୟ ଜବତ କରାଯାଇଛି । ଗଞ୍ଜାମର ୪ ଟି, ବାଲେଶ୍ବରର ୨ ଟି ଓ ସୁବପୁରର ଗୋଟିଏ ପ୍ରମୁଖ ବେଆଇନ ମଦ ସ୍ଥଳ ରୁ ବିପୁଳ ପରିମାଣର ଫରମେଣ୍ଟେଡ ୱାସ୍ ଜବତ ହୋଇ ନଷ୍ଟ ମଧ୍ୟ କରାଯାଇଛି ।
ମୌନ୍ଦପୁର ଗ୍ରାମରେ ଏହି ଘଟଣାରେ ରୁଜୁ ହୋଇଥିବା ମାମଲାର ଉପଯୁକ୍ତ ତଦନ୍ତ କରାଯିବା ସହ ବେଆଇନ କାରବାର, ବଣ୍ଟନ ଓ ବିକ୍ରୟରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଚାର୍ଜସିଟ୍ ଦାଖଲ କରାଯିବ। ମାମଲାର ତ୍ବରିତ ବିଚାର ପାଇଁ କୋର୍ଟରେ ଆବେଦନ କରାଯିବ । ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରଭାବିତ ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ଚିକିତ୍ସା ବାବଦରେ ସମସ୍ତ ଖର୍ଜ ସରକାର ବହନ କରିବେ । ରାଜ୍ୟରେ ଆରମ୍ଭ ହୋଇଥିବା ଆଇଡି ମଦ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ସମସ୍ତ ଆଇଡି ଡିଷ୍ଟିଲେସନ୍ ପଏଣ୍ଟ ଚିହ୍ନଟ କରି ନଷ୍ଟ ନ ହେବା ପର୍ଯ୍ୟନ୍ତ ଜାରି ରହିବ । ଅଭ୍ୟାସଗତ ଆଇଡି ନିର୍ମାତା ଓ ଡିଲରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇଡି ମଦ କାରବାରରେ ବ୍ୟବହୃତ ଯାନ କୁ ଆଇନ ଅନୁଯାୟୀ ଜବତ କରାଯିବ, ଯାହା ଏକ ଦୃଢ଼ ପ୍ରତିରୋଧକ ଭାବେ କାର୍ଯ୍ୟ କରିବ । ଜିଲ୍ଲା ପ୍ରଶାସନ ତରଫରୁ ପରିସ୍ଥିତିକୁ ପ୍ରଭାବଶାଳୀ ଭାବେ ପରିଚାଳନା କରିବା ପାଇଁ ସମସ୍ତ ଆବଶ୍ୟକୀୟ ଏବଂ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ପ୍ରଭାବିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି । ବେଆଇନ ମଦ ଉତ୍ପାଦନ ଓ ବିକ୍ରୟ କୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।










