27.1 C
Bhubaneswar
Thursday, March 26, 2026
Homeଓଡିଶାଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶଙ୍କ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶଙ୍କ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 

 

 

ଏହି ପ୍ରଶିକ୍ଷଣ ଓଡ଼ିଶାର ଭବିଷ୍ୟତ ପ୍ରଶାସକଙ୍କୁ ପ୍ରସ୍ତୁତ କରିବାରେ ସହାୟକ ହେବ ।

ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶ(ସିଧାସଳଖ ନିଯୁକ୍ତି – ୨୦୨୧ ବ୍ୟାଚ୍ ) ଙ୍କ ନିଯୁକ୍ତି ପ୍ରଶିକ୍ଷଣ (ଇଣ୍ଡକ୍ସନ ଟ୍ରେନିଂ ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏହି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଛନ୍ତି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦେଶକ ତଥା ଶ୍ରୀ ଜି. ମାଥି ଭାଥନନଙ୍କ ଉପସ୍ଥିତି ତଥା ପରିଚାଳନାରେ ଏହି ପ୍ରଶିକ୍ଷଣର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୦୧୭ ବ୍ୟାଚ୍ ର ଜଣେ ପ୍ରୋବେସନରଙ୍କ ସମେତ ମୋଟ ୪୮ ଜଣ ପ୍ରୋବେସନର ଯୋଗ ଦେଇଛନ୍ତି । ଏହି ପ୍ରୋବେସନରମାନଙ୍କ ମଧ୍ୟରେ ୨୦ ଜଣ ମହିଳା ଅଛନ୍ତି, ଯାହା ରାଜ୍ୟର ପ୍ରଶାସନିକ ସେବାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଦର୍ଶାଉଛି ।
ମୁଖ୍ୟ ଅତିଥି ତଥା ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଏହି ଯୁବ ଅଧିକାରୀ ପ୍ରଶିକ୍ଷଣର୍ଥୀଙ୍କ ଠାରୁ ରାଜ୍ୟ କ’ଣ ଆଶା କରୁଛି, ସେ ବିଷୟରେ ନିଜର ଚିନ୍ତାଧାରା ବ୍ୟକ୍ତ କରିଥିଲେ । ବିଭିନ୍ନ ପଦବୀ ଓ ଦାୟିତ୍ୱରେ ନିଜ କ୍ୟାରିୟରର ଅନେକ ଉଦାହରଣ ଦେଇ ସେ କହିଥିଲେ ଯେ, ପରିବର୍ତ୍ତନ ଆଣିବାରେ ବହୁ ଆହ୍ୱାନର ମୁକାବିଲା କରିବାକୁ ପଡ଼ିଥାଏ । ସମ୍ବଳର ବିକାଶ ଏବଂ ଅଭିବୃଦ୍ଧି ସୂଚକାଙ୍କରେ ଉନ୍ନତି ମାଧ୍ୟମରେ ପରିବର୍ତ୍ତନ ଆସିଥାଏ । ୱିଲିୟମ ୱାର୍ଡସଓ୍ଵର୍ଥଙ୍କ ପଙ୍କ୍ତିକୁ ଉଦାହରଣ ଦେଇ ସେ କମ୍ ବୟସରେ ଅଧିକାରୀମାନେ ଲୋକଙ୍କ ଜୀବନରେ କିପରି ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ, ସେଥିପ୍ରତି ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ୨୦୩୬ ସୁଦ୍ଧା ଓଡ଼ିଶା ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଥିବା ବେଳେ , ବିକଶିତ ଓଡ଼ିଶା ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ ହୋଇଛି ଏବଂ ଅମଲାତନ୍ତ୍ର ଏହି ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ କରିବ ବୋଲି ସେ କହିଥିଲେ ।
ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ନିୟାମକ କ୍ଷମତାକୁ ବୁଝିବା ଏବଂ କ୍ଷେତ୍ରରେ ଥିବା ସମୟରେ ଏହାକୁ ବୁଦ୍ଧିମତା ସହିତ ବ୍ୟବହାର କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ସେଦିଗରେ ଉଦାହରଣ ଦେଇ ଯୁବ ଅଧିକାରୀଙ୍କୁ ବ୍ୟକ୍ତିତ୍ୱ, ଗୁଣ ଓ ଦକ୍ଷତାର ବିକାଶ, ପ୍ରଶାସନିକ ଦକ୍ଷତା ଓ ମନୋଭାବ ପୋଷଣ କରିବା ସହ ଓଡ଼ିଶାକୁ ୧୦% ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବା ପାଇଁ ଶୃଙ୍ଖଳିତ ଧାରା, ସ୍ଥିର ଚିତ୍ତରେ ଓ ବୃତ୍ତିଗତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ସରକାରଙ୍କ ନାଗରିକ କୈନ୍ଦ୍ରିକ ସୁଶାସନ ପାଇଁ ପଦକ୍ଷେପ ନେବାକୁ ସକ୍ଷମ ହେଉଥିବା ଯୁବ ଅଧିକାରୀ ପ୍ରଶିକ୍ଷଣର୍ଥୀମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ, ସେମାନଙ୍କଠାରୁ ସମ୍ଭାବ୍ୟ ସୁପାରିଶ ସଂଗ୍ରହ ଏବଂ ସଂକଳନ କରିବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ଏକ କକ୍ଷ(ସେଲ) ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଏହି ଦିନକୁ ଯୁବ ଅଧିକାରୀଙ୍କ କ୍ୟାରିୟର ପୁସ୍ତକର କଭର ପୃଷ୍ଠା ଭାବେ ବର୍ଣ୍ଣନା କରିଥିଲେ । ଯୁବ ଅଧିକାରୀମାନଙ୍କୁ ଜ୍ଞାନ ଓ ଅଭ୍ୟାସର ବିଭିନ୍ନ କ୍ଷେତ୍ରରେ ପରିଚିତ କରାଇ ସେମାନଙ୍କ କ୍ୟାରିୟର ଗଠନ କରିବାରେ ଜିଏଏ ପାଇଁ ରହିଥିବା ଆହ୍ୱାନ ଓ ଦାୟିତ୍ୱ ଉପରେ ସେ ଗୁରୁତ୍ୱାରୋପ କରିବା ସହ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅଭିବୃଦ୍ଧିର ଗୁରୁତ୍ୱପୂର୍ଣ୍ଣ ଉପାଦାନ ସଂପର୍କରେ ସେ ଆଲୋକପାତ କରିଥିଲେ । ନିଯୁକ୍ତି ପ୍ରଶିକ୍ଷଣ ସମୟରେ ସେ ଶିକ୍ଷଣ ଅଧିବେଶନଗୁଡିକ କିପରି ଅଧିକ ପ୍ରଭାବୀ ହୋଇପାରିବ, ସେଥିପାଇଁ ସେମାନେ ସହଜ ମନେ କରି ବିଭିନ୍ନ ଆଲୋଚନାରେ ଭାଗ ନେବା, ପାରସ୍ପରିକ ଅଂଶଗ୍ରହଣ ଏବଂ ଇଚ୍ଛା ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିଲେ । ଯୁବ ଅଧିକାରୀମାନେ ପ୍ରଶାସନିକ କ୍ଷେତ୍ର ତଥା ସ୍ଥାନୀୟ ଅଞ୍ଚଳର ବିକାଶରେ ନେତୃତ୍ୱ ନେବା ସହ ଓଡ଼ିଶାର ପ୍ରଗତିକୁ ଆଗକୁ ବଢ଼ାଇବେ ବୋଲି ଶ୍ରୀ ଭାଥାନନ ଆଶା ବ୍ୟକ୍ତ କରିଥିଲେ । ଜିଏଏର ଅତିରିକ୍ତ ନିର୍ଦେଶିକା ତଥା ପାଠ୍ୟକ୍ରମ ନିର୍ଦେଶିକା ଡ. ମୋନାଲିସା ଲେଙ୍କା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣରେ ଜ୍ଞାନ ଆହରଣ ନିମନ୍ତେ କ୍ଷେତ୍ର ପରିଦର୍ଶନ, ବ୍ୟବହାରିକ ପ୍ରଶିକ୍ଷଣ, କ୍ରୀଡ଼ା ଏବଂ ଅନ୍ୟାନ୍ୟ ପାଠ୍ୟକ୍ରମିକ କାର୍ଯ୍ୟକଳାପ ମାଧ୍ୟମରେ ଅଂଶଗ୍ରହଣକାରୀ ଶିକ୍ଷଣ ଉପରେ ଧ୍ୟାନ ଦେଇ ଏହି ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ।
ଏହି ଅବସରରେ ସେଣ୍ଟର ଫର ଗୁଡ୍ ଗଭର୍ଣ୍ଣାନ୍ସ ଦ୍ୱାରା ପ୍ରସ୍ତୁତ ଓ ସମ୍ପାଦିତ ୨୦୨୦ ବ୍ୟାଚ୍ ର ଓଏଏସ୍ ପ୍ରୋବେସନରଙ୍କ ଦ୍ୱାରା ପରିଚାଳିତ ତିନି ଖଣ୍ଡ ପୁସ୍ତକ ସମୀକ୍ଷାକୁ ମୁଖ୍ୟ ଶାସନ ସଚିବ ଉନ୍ମୋଚନ କରିଥିଲେ । ପ୍ରଶିକ୍ଷଣର ଆସୋସିଏଟ୍ କୋର୍ସ ଡାଇରେକ୍ଟର ତଥା ଯୁଗ୍ମ ନିର୍ଦ୍ଦେଶକ (ଏଫ୍ ଆଣ୍ଡଏ) ଶ୍ରୀ ଦେବ କଲ୍ୟାଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଡ. ହିମାଂଶୁ ଭୂଷଣ ପଣ୍ଡା, ଏକାଡେମୀ ର ଉପ ମହାନିର୍ଦ୍ଦେଶକ ଲାଲା ମନୋଜ କୁମାର ରାୟ, ସେଣ୍ଟର ଫର ଗୁଡ୍ ଗଭର୍ଣ୍ଣାନ୍ସର ନିର୍ଦ୍ଦେଶକ ଡ. ଶଶାଙ୍କ ଗ୍ରହାଚାର୍ଯ୍ୟଙ୍କ ସମେତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏବଂ ସେଣ୍ଟର ଫର ଗୁଡ୍ ଗଭର୍ଣ୍ଣାନ୍ସର ବରିଷ୍ଠ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking