ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ଦେଶୀ ମଦ ପିଇ ୧୫ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଅସୁସ୍ଥ କରବାଲୁଆ ଗାଁର ବୋଲି ଜଣାପଡ଼ିଛି । ସୋମବାର ମାଉନ୍ଦପୁର ନିକଟରେ ଦେଶୀ ମଦ ବିକ୍ରି ହେଉଥିଲା । କରବାଲୁଆ ଗାଁର କିଛି ଲୋକ ଏଠାରୁ ମଦ କିଣି ପିଇ ଥିଲେ । ଏହା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ଆରମ୍ଭ କରିଥିଲା । ସମସ୍ତଙ୍କୁ ନିକଟସ୍ଥ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅବକାରୀ ବିଭାଗ ଖବର ପାଇ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାଉନ୍ଦପୁର, ଜେନାପୁର ଓ କରବାଲୁଆ ଗାଁରେ ବିଭାଗୀୟ ଅଧିକାରୀ ଲୋକଙ୍କୁ ପଚରାଉଚରା କରୁଛନ୍ତି ।