19.1 C
Bhubaneswar
Thursday, February 12, 2026
Homeଓଡିଶା୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ

୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ

*ଉପାନ୍ତ ଅଞ୍ଚଳରେ ନବନିର୍ମିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ଆଣିବ ଶିକ୍ଷାକ୍ଷେତ୍ରରେ ବିପ୍ଳବ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ*

ଭୁବନେଶ୍ୱର : ଆଜି ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଭାସୀ ମାଧ୍ୟମରେ ୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓ ନୂଆଗାଁ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା, ନବରଙ୍ଗପୁରର ଝରିଗାଁ, କୋସାଗୁମୁଡ଼, ରାଇଘର ଓ ତେନ୍ତୁଳିଖୁଣ୍ଟି, ରାୟଗଡା ଜିଲ୍ଲାର କାଶୀପୁର ଓ ରମଣଗୁଡା, ଗଞ୍ଜାମ ଜିଲ୍ଲାର ଧରାକୋଟ ଓ କନ୍ଧମାଳ ଜିଲ୍ଲାର ଖଜୁରୀପଦା ଆଦି ଅଞ୍ଚଳରେ ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ ହୋଇଛି।

ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଅଭିଭାଷଣରେ କହିଥିଲେ ଯେ, ଶିକ୍ଷା ହିଁ କେବେଳ ସେହି ମାଧ୍ୟମ ଯାହାଦ୍ୱାରା ଯୁବବର୍ଗ ମାନେ ନିଜକୁ ସଶକ୍ତ କରିବା ସହ ସମାଜରେ ପରିବର୍ତ୍ତନ ଆଣିପାରିବେ। ଉପାନ୍ତ ଅଞ୍ଚଳରେ ନବ ନିର୍ମିତ ଏହି ୧୪ଟି ସରକାରୀ ସ୍ନାତକ ମହାବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ନିଶ୍ଚିତ ରୂପେ ବିପ୍ଳବ ଆଣିବ। ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢିବା ସହିତ ଡ୍ରପ୍ଆଉଟ୍ ପ୍ରତିଶତ ହ୍ରାସ ପାଇବ। ମନ୍ତ୍ରୀ ଶ୍ରୀ ସୂରଜ ଆଜିର ଉଦ୍‌ଘାଟନ ସମାରୋହରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିବା ନବନିର୍ମିତ ସ୍ନାତକ ମହାବିଦ୍ୟାଳୟର ଅଧ୍ଯକ୍ଷ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ଜନପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ କହିଥିଲେ ଯେ, ୮ଟି ଜିଲ୍ଲାର ୧୪ଟି ବ୍ଲକରେ ସ୍ନାତକ ମହାବିଦ୍ୟାଳୟ ସ୍ଥାପନା ହୋଇଛି, ଯାହା ଫଳରେ ଶିକ୍ଷା ସୁବିଧା ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚି ପାରିଛି। ଏଥି ସହିତ ସେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କଠିନ ପରିଶ୍ରମ କରି ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରନ୍ତୁ ବୋଲି ଉପଦେଶ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ବଣାଇର ମାନ୍ୟବର ବିଧାୟକ ଶ୍ରୀ ଲଷ୍ମଣ ମୁଣ୍ଡା ଓ ଲଷ୍ମୀପୁରର ମାନ୍ୟବର ବିଧାୟକ ଶ୍ରୀ ପବିତ୍ର ସାଉଁଟା ଯୋଗଦାନ କରି ମହାବିଦ୍ୟାଳୟ ଉଦ୍‌ଘାଟନ ସମାରୋହ ଅବସରରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ସରକାରଙ୍କ ଏହି ପଦକ୍ଷେପ ଶିକ୍ଷାକ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମତ ପ୍ରକାଶ କରିଥିଲେ । ଏହା ପରେ ମହାବିଦ୍ୟାଳୟରେ ନବନିଯୁକ୍ତ ଅଧ୍ୟକ୍ଷ ଓ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ନିଜର ଅନୁଭୂତି ଜଣାଇବା ସହ ଉଚ୍ଚଶିକ୍ଷା ବିଭାଗର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ, ଆଭାସୀ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମସଚିବ ଶ୍ରୀମତୀ ସ୍ନିଗ୍ଧା ଚମ୍ପତରାୟ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking