ନୂଆଦିଲ୍ଲୀ: ଗତବର୍ଷ ଶେଷରୁ ଜାରି ରହିଥିବା ଇସ୍ରାଏଲ-ପାଲେଷ୍ଟାନଇନ ଯୁଦ୍ଧ ପୁଣି ଏକ ଭୟାନକ ମୋଡ ନେବା ଆରମ୍ଭ କରିଛି । ନିକଟରେ ଏହି ଯୁଦ୍ଧ ଅଧିକ ଜଟିଳ ହେବାରେ ଲାଗିଛି । ଗାଜା ଉପରେ ବ୍ୟାପାକ ଆକ୍ରମଣ କରିଥିବା ଇସ୍ରାଏଲ ଏବେ ଟାର୍ଗେଟ କିଲିଂ କରିବା ଆରମ୍ଭ କରିଛି । ବିରୋଧୀ ଗୋଷ୍ଠୀର ଶୀର୍ଷ କମାଣ୍ଡରଙ୍କୁ ଏଥିରେ ଟାର୍ଗେଟ କରାଯାଇ ହତ୍ୟା କରୁଛି ଇସ୍ରାଏଲ ।
ନିକଟରେ ଇରାନରେ ଏକ ବଡ ଟାର୍ଗେଟ କିଲିଂକୁ ରୂପ ଦେଇଛି । ଏହା ପୂର୍ବରୁ ଲେବନନରୁ ଅପରେଟ ହେଉଥିବା ହିଜବୁଲ୍ଲା ସଂଗଠନର ମୁଖ୍ୟ କମାଣ୍ଡର ଫୌଦ ଶୁକ୍ରକୁ ହତ୍ୟା କରିଥିଲା । ୨୭ ତାରିଖରେ ଲେବନନରୁ ଅପରେଟ ହେଉଥିବା ‘ହିଜବୁଲ୍ଲା’ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ହିଜବୁଲ୍ଲାର ରକେଟ ମାଡରେ ଇସ୍ରାଏଲର ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତୁରନ୍ତ ଇସ୍ରାଏଲ ସେନା ‘ହିଜବୁଲ୍ଲା’କୁ ଟାର୍ଗେଟ କରିଥିଲା । ଦକ୍ଷିଣ ଲେବନନରେ ଥିବା ସଂଗଠନର ଶୀର୍ଷ କମାଣ୍ଡର ଫୌଦ ଶୁକ୍ରକୁ ଟିହ୍ନଟ କରି ଇସ୍ରାଏଲ ସେନା ଷ୍ଟ୍ରାଇକ କରିଥିଲା ।
ଏଥିରେ ତାର ମୃତ୍ୟୁ ମଧ୍ୟ ହୋଇଥିଲା । ଏହାର ମାତ୍ର କିଛି ଦିନ ପରେ ଇରାନରେ ମଧ୍ୟ ଇସ୍ରାଏଲ ସିକ୍ରେଟ ମିଶନରେ ହମାସ ରାଜନୈତିକ ମୁଖ୍ୟ ଇସମାଇଲ ହାନିହେଙ୍କୁ ହତ୍ୟା କରିଥିଲା । ମାତ୍ର ଏହି ଘଟଣାରେ ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି ଦେଖାଯାଇଥିବା ବେଳେ ଇସ୍ରାଏଲ ଏନେଇ ସ୍ପଷ୍ଟ ଘୋଷଣା କରିନି । ଇରାନ ଓ ‘ଆକ୍ସିସ ଅଫ ରେଜିଷ୍ଟାନ୍ସ’ ଏବେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ପ୍ରୟାସରେ ଲାଗିଛନ୍ତି । ‘ଆକ୍ସିସ ଅଫ ରେଜିଷ୍ଟାନ୍ସ’ ହେଉଛି ବହୁଦେଶୀୟ ଆତଙ୍କୀ ସଂଗଠନ । ଏଥିରେ ଇରାନର ବଡ ଭୂମିକା ରହିଛି । ଏଥିରେ ଇରାକ, ଲେବନନ, ୟେମେନ, ସିରିୟା ପରି ଆରବ ଦେଶସମୂହର ଆତଙ୍କବାଦୀମାନେ ମିଳିତ ହୋଇଛନ୍ତି । ଏମାନେ ଇସ୍ରାଏଲ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲେ ହେଁ ଇସ୍ରାଏଲ ପଶ୍ଚିମ ରାଷ୍ଟ୍ର ଆମେରିକାର ସହଯୋଗରେ ଏମାନଙ୍କ ବିରୋଧରେ ଲଢେଇ ଜାରି ରଖିଛି । ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ଏହି ସଙ୍କଟ ପୂରା ବିଶ୍ୱବାସୀଙ୍କୁ ଆଶଙ୍କିତ କରିଛି ।