ନୂଆଦିଲ୍ଲୀ : ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଭାରତର ପ୍ରକୃତ ହିରୋ ଯିଏ ନିଜ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଭାରତର ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ବୀରତ୍ୱ ଯୋଗୁଁ ହିଁ ଭାରତ ସ୍ୱାଧୀନତା ଲାଭ କଲା। ଏନେଇ ଶହ ଶହ ବୀର ଜୀବନ ଦେଇଛନ୍ତି। ଭାରତ ଅନେକ ବୀର ସନ୍ତାନଙ୍କର ପବିତ୍ର ରକ୍ତରେ ସ୍ୱାଧୀନତା ହାସଲ କରିଛି। ତେବେ ସ୍ୱତନ୍ତ୍ରତାର ଏହି ଆନ୍ଦୋଳନରେ ଆମ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମରେ କେବଳ ପୁରୁଷ ଯେ ସାମିଲ ହୋଇଥିଲେ ତାହା ନୁହେଁ ବରଂ ଅନେକ ମହିଳା ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ।
ଜବାହରଲାଲ ନେହରୁ:
ଜବାହରଲାଲ ନେହରୁ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏକି ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଜବାହରଲାଲ ନେହରୁ ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ହୋମ୍ ରୁଲ୍ ଲିଗ୍ ଆନ୍ଦୋଳନରେ (୧୯୧୬)ରେ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ତାଙ୍କୁ ଅନେକ ଥର ଗିରଫ କରାଯାଇଥିଲା ଏବଂ ୧୯୨୧ ରୁ ୧୯୪୫ ମଧ୍ୟରେ ତାଙ୍କ ଜୀବନର ମୋଟ ୯ ବର୍ଷ କାରାଗାରରେ କଟିଥିଲା।
ସେ ୟୁନାଇଟେଡ୍ ପ୍ରୋଭିନ୍ସର ଅସହଯୋଗ ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟ ଥିଲେ ଏବଂ ଏହାର ନେତା ଭାବରେ କାର୍ଯ୍ୟ କରିଥିଲେ ଏବଂ ଲବଣ ସତ୍ୟାଗ୍ରହରେ ମଧ୍ୟ ସେ ଭାଗ ନେଇଥିଲେ। ୧୫ ଅଗଷ୍ଟ ୧୯୪୭ରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ଚନ୍ଦ୍ରଶେଖର ଆଜାଦ:
ଚନ୍ଦ୍ରଶେଖର ଆଜାଦ ୨୩ ଜୁଲାଇ ୧୯୦୬ ରେ ମଧ୍ୟପ୍ରଦେଶର ଭାବରା ଗ୍ରାମରେ ପଣ୍ଡିତ ସୀତାରାମ ତିୱାରୀ ଏବଂ ଜାଗରଣ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଗଣିତ। ସେ ସ୍ୱାଧୀନତାର ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ।
ହିନ୍ଦୁସ୍ତାନ ରିପବ୍ଲିକାନ୍ ଆସୋସିଏସନ୍ ର ପ୍ରତିଷ୍ଠାତା ରାମପ୍ରସାଦ ବିସ୍ମିଲଙ୍କ ମୃତ୍ୟୁ ପରେ ଆଜାଦ ହିନ୍ଦୁସ୍ତାନ ରିପବ୍ଲିକାନ୍ ଆସୋସିଏସନ୍ କୁ ପୁନଃ ନିର୍ମାଣ କରିଥିଲେ। ୧୫ ବର୍ଷ ବୟସରେ ତାଙ୍କୁ ଯେତେବେଳେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା, ସେତେବେଳେ ସେ ନିଜକୁ ଆଜାଦ(ମୁକ୍ତ), ବାପାଙ୍କୁ ସ୍ୱାଧୀନତା ଏବଂ ତାଙ୍କ ଘରରୁ ଜେଲ୍ ବୋଲି ବର୍ଣ୍ଣନା କରିଥିଲେ।
ରାଣୀ ଲକ୍ଷ୍ମୀ ବାଇ:
ଝାନ୍ସୀର ରାଣୀ ଲକ୍ଷ୍ମୀ ବାଇ ୧୯ ନଭେମ୍ବର ୧୮୨୮ରେ ବାରାଣାସୀରେ ଜନ୍ମଗ୍ରହଣ କରିଥିଲେ। ସେ ଛଦ୍ମନାମ ‘ମନୁ’ରେ ପରିଚିତ ତଥା ମଣିକର୍ଣ୍ଣିକା ତାମ୍ବେ ନାମରେ ଜଣାଶୁଣା। ସେ କ୍ରାନ୍ତିକାରୀ ଯୁଦ୍ଧର ଅନ୍ୟତମ ନିଷ୍ଠାପର ସୈନିକ ଥିଲେ। ସେ ଅନେକ ଭାରତୀୟ ମହିଳାଙ୍କୁ ନିଜ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିବାକୁ ପ୍ରେରଣା ଦେଇଥିଲେ ଏବଂ ସେ ଆଜି ମଧ୍ୟ ମହିଳାମାନଙ୍କ ଅଧିକାର ହାସଲ କାରିବାର ପ୍ରେରଣା ସାଜିଛନ୍ତି।
୧୮୫୮ ମସିହାରେ ଯେତେବେଳେ ବ୍ରିଟିଶ ସୈନ୍ୟମାନେ ଝାନ୍ସୀ ଉପରେ ଆକ୍ରମଣ କଲେ, ସେତେବେଳେ ସେ ତାଙ୍କ ଶିଶୁପୁତ୍ରକୁ ଧରି ତାଙ୍କ ଦୁର୍ଗକୁ ରକ୍ଷା କରିଥିଲେ। ୧୮ ଜୁନ୍ ୧୮୫୮ରେ, ଗ୍ୱାଲିଅରରେ, ସେ ବ୍ରିଟିଶ ଜେନେରାଲ ହ୍ୟୁଜ୍ ରୋଜଙ୍କ ବିରୋଧରେ ଲଢେଇ କରି ବୀରଗତି ପ୍ରାପ୍ତ କରିଥିଲେ।